Unknown

 

 

 

 

 

 

 

 

 

 

କୁମାର ସମ୍ଭବ

ପଣ୍ଡିତ ମୃତ୍ୟୁଞ୍ଜୟ ରଥ

 

ପ୍ରଥମ ସର୍ଗ

ଉତ୍ତର ଦିଗରେ ସ୍ଥିତ ନଗେନ୍ଦ୍ର ପ୍ରଧାନ

ହିମାଳୟ ନାମେ ଦେବ-ଗଣ ଅଧିଷ୍ଠାନ,

ବ୍ୟାପି ପୂରୁବ ପଶ୍ଚିମ ପାରାବାରଯାଏ

ଅବସ୍ଥିତ ପୃଥିବୀର ମାନଦଣ୍ଡ ପ୍ରାୟେ । ୧

ଯାହାକୁ ସକଳ ଶୈଳେ ଧରଣୀ ଦୋହନେ

ବରି ପ୍ରିୟ ବତ୍ସ ପଣେ ପୃଥୁର ବଚନେ,

ବରଗିଲେ ମେରୁ ଶୈଳେ ଦୋହବିଚକ୍ଷଣ

ଲଭିବାକୁ ମହୌଷଧି ଉଜ୍ଜଳ ରତନ । ୨

ବିବିଧ ରତନ ଗର୍ଭେ ଥିବାରୁ ଯାହାର

ସୁଷମା ବିଲୋପକାରୀ ନୁହଇ ତୁଷାର,

ଅଶେଷ ଗୁଣ ମଧ୍ୟରେ ଏକଇ ଦୁଷଣ

ଲୁଚିଯାଏ ଚନ୍ଦ୍ରିକାରେ କଳଙ୍କ ଯେସନ । ୩

ସନ୍ତତ ବିବିଧ ଧାତୁ ଧରେ ଯେ ଶିଖରେ

ଅଭ୍ରଖଣ୍ଡେ ସୁରଞ୍ଜିତ କରି ପ୍ରଭା-ବଳେ,

ତା ଦେଖି ଅସ୍ପରାଗଣ ସନ୍ଧ୍ୟା ଭାବି ମନେ

ବିଭ୍ରମେ ମଣ୍ଡନ୍ତି ଅଙ୍ଗ ବିଳାସ-ଭୂଷଣେ । ୪

 

ଯା ମେଖଳେ ବସି ସୁଖେ ସିଦ୍ଧ ଯତିଗଣ

ସାନୁଗତ ଘନ-ଛାୟା କରି ନିଷେବନ,

ବରଷାରେ କ୍ଷଣେ କ୍ଳେଶ ଲଭନ୍ତେ, ସତ୍ୱରେ

ଆରୋହନ୍ତି ରବିକର-ଶୁଭ୍ର ଯା ଶିଖରେ । ୫

 

ସଂହାରି ବାରଣେ ଚଳି ଗଲେହେଁ କେଶରୀ,

ତୁଷାର କ୍ଷରଣେ ଧୌତ ରକ୍ତପଦାବଳୀ

ନ ଦେଖି ଚିହ୍ନନ୍ତି ପଥ ଯହିଁ ବ୍ୟାଧଗଣେ

ସିଂହନଖଚ୍ୟୁତ ଗଜ-ମୋତି ଦରଶନେ । ୬

 

ସିନ୍ଦୂରେ ଲେଖିଲେ ଯହିଁ ଭୂର୍ଜପତ୍ରାବଳୀ

ସ୍ଥବିର କୁଞ୍ଜର ତନ୍ତୁ-ବିନ୍ଦ ସମ ଝଳି,

ବିଦ୍ୟାଧରସୁନ୍ଦରୀଙ୍କ ପ୍ରଣୟ-ପତର

ଲେଖିବାରେ ଉପଯୋଗୀ ହୋଇଲା ନିକର । ୭

 

ଦରୀ ମୁଖରୁ ବାହାରି ମନ୍ଦ-ସମୀରଣ

ବେଣୁରନ୍ଧ୍ର ପୁରି ଆହା ! କରେ କି ସୁସ୍ୱନ ?

ସେ ସ୍ୱନେ ଦିଅଇ ଗିରି ତାନ କିବା ସତେ

ସଙ୍ଗୀତେ ରତ କିନ୍ନରଗଣଙ୍କ ସଙ୍ଗତେ ? ୮

 

କଣ୍ଡୂଳ କପୋଳକଣ୍ଡୁ କରଣେ ନିର୍ମୂଳ

ଘର୍ଷନ୍ତେ ସରଳ ଦ୍ରୁମେ ଯହିଁ କରିକୁଳ,

ଅବିରତ କ୍ଷରି ତହୁଁ ବାସ ମନୋହର

କରିଦିଏ ଅମୋଦିତ ପର୍ବତ-ମେଖଳ । ୯

 

ବନିତା ସଙ୍ଗତେ ଯହିଁ କିରାତ ନିକରେ

ବିଳସନ୍ତି ରଜନୀରେ ପର୍ବତ କନ୍ଦରେ,

ସେ କାଳେ ଓଷଧି ଲତା ଉଜଳି ସେ ଦରୀ

ବିନା ତୈଳେ ହୁଏ ତାଙ୍କ କେଳି-ଦୀପ ପରି । ୧୦

 

ଶିଳାଘନ ହିମାନୀରେ ପଥ କି ଶୀତଳ !

ଚଳିଲେ ପୀଡ଼ଇ ଯହିଁ ଗୁଳ୍‌ଫ ପଦତଳ,

ତଥାପି ମନ୍ଥର ଗତି ନ ମୁଞ୍ଚନ୍ତି ଠୁଳେ

କିନ୍ନରୀଏ ଗୁରୁ ସ୍ତନ ନିତମ୍ବ-ବ୍ୟାକୁଳେ । ୧୧

 

ଯତନେ ରଖଇ ଗିରି କନ୍ଦରେ ଅନ୍ଧାର

ପେଚକ ପରାୟେ ଡର ଦିବାକରେ ଯାର,

ହେଲେହେଁ ଶରଣାଗତ ହୀନଜନ ଅତି,

ମହତ ମମତା ତହିଁ, ଯେହ୍ନେ ସନ୍ଥ ପ୍ରତି । ୧୨

 

ଏଣେତେଣେ ବୁଲି ଚାରୁ ପୁଚ୍ଛ ଚାଳନରେ

ଚନ୍ଦ୍ରି କାଧବଳ ବାଳଗୁଚ୍ଛ ଶୋଭା ଧରେ,

ସାର୍ଥକ କରନ୍ତି ଢାଳି ସେ ଚାମରେ ଯାର

ଗିରିରାଜ ପଦବୀକି ଏ ଚମରୀ-ବାର । ୧୩

 

ଦରୀଗୃହେ ଥାଇ ଯେବେ କିନ୍ନରଯୁବତୀ

ବସନ ହରଣ କାଳେ ଲଜ୍ଜା ପାଏ ଅତି,

ଅକସ୍ମାତେ ଦରୀହାରେ ଲମ୍ବି କାଦମ୍ବିନୀ

ଶୋଭଇ ସେକାଳେ ଯହିଁ ଯବନିକା ଜିଣି । ୧୪

 

ବହେ ମୃଦୁବାତ ହରି ଜାହ୍ନବୀ ଶୀକର

କମ୍ପାଇଣ ଦେବଦାରୁ ପାଦପନିକର,

କଟିତଟଲଗ୍ନ-ଶିଖି-ପୁଚ୍ଛକୁ ନଚାଇ,

ସେବନ୍ତି କିରାତେ ତାହା ମୃଗ ପଛେ ଧାଇଁ । ୧୫

 

ବଳେ ଯେତେ ପଦ୍ମ ଗିରି-ଶିଖ-ସରୋବରେ

ସପ୍ତର୍ଷିଏ ନିଜ କରେ ତୋଳି ନେବା ପରେ,

ତଳେ ଥାଇ ଦିବାକର ଊର୍ଦ୍ଧ୍ୱମୁଖ କରେ

ଆଚମ୍ୱିତେ ତାହା ଯହିଁ ବିକଶିତ କରେ । ୧୬

 

ଉପୁଜଇ ଏଥି ଯଜ୍ଞ ସାମଗ୍ରୀ ସକଳ,

ଧରଣୀଧାରଣେ ପୁଣି ଦେଖି ଯୋଗ୍ୟବଳ,

ହୋଇ ସୁପ୍ରସନ୍ନ ଯାରେ ସ୍ୱୟଂ ପ୍ରଜାପତି

କରିଛନ୍ତି ଯଜ୍ଞଭାଗୀ ଶୈଳ-ଅଧିପତି । ୧୭

 

ସୁମେରୁର ସଖା ସେହୁ କୁଳରକ୍ଷା ଅର୍ଥେ

ବରିଲେ ଗୃହିଣୀପଦେ କୁଳବିଧି-ମତେ

ମୁନିଜନ-ମାନନୀୟା ଅନୁରୂପା କନ୍ୟା

ପିତୃ ମାନସମ୍ଭୂତା ମେନା ନାମେ ଧନ୍ୟା । ୧୮

 

କ୍ରମେ ନବ ଯଉବନ ବିଳସନ୍ତେ ଅଙ୍ଗେ

ମାତିଲେ ପର୍ବତରାଜ ସୁରତପ୍ରସଙ୍ଗେ,

ଅନୁରୂପ ରଙ୍ଗରସେ ବିତିଲା ସମୟ,

ଗିରିରାଜପତ୍ନୀଙ୍କର ହେଲା ଗର୍ଭୋଦୟ । ୧୯

 

ପ୍ରସବିଲେ ଦେବୀ ନାମେ ମୈନାକ କୁମର,

ନାଗବଧୂଙ୍କର ଯୋଗ୍ୟ, ରୂପେ ମନୋହର,

ସିନ୍ଧୁ ସଙ୍ଗେ ସଖ୍ୟବଶୁ ପଶି ଯେ ସଲିଳେ

ଇନ୍ଦ୍ର ବଜ୍ରେ ପକ୍ଷଚ୍ଛେଦ କଷ୍ଟ ନ ଜାଣିଲେ । ୨୦

 

ଏଥୁଅନ୍ତେ ପିତୃକୃତ ଅପମାନଭରେ

ଯେ ସତୀ ବିସର୍ଜିଥିଲେ ତନୁ ଯୋଗବଳେ,

ଦକ୍ଷକନ୍ୟା ସେ ଭବାନୀ ପୂର୍ବଜନ୍ମ ଆଶେ

ଆଶ୍ରିଲେ ଗିରୀନ୍ଦ୍ର ବଧୂ ମେନା-ଗର୍ଭବାସେ । ୨୧

 

ଭୂଧରରାଜମହିଷୀ ପୂଣ୍ୟବ୍ରତଶୀଳା

ଗିରୀନ୍ଦ୍ର ସଙ୍ଗମେ ତହୁଁ କୁମାରୀ ଜନ୍ମିଲା,

ଉତ୍ସାହ ଗୁଣ ସଂଯୋଗେ ନୀତିରୁ ଯେସନ

ଉପୁଜଇ ପ୍ରଶଂସିତ ସମ୍ପଦରତନ । ୨୨

 

ସୁପ୍ରସନ୍ନ ସର୍ବଦିଗ, ନିର୍ମଳ ପବନ,

ଶଙ୍ଖଧ୍ୱନି ପଛେ ପୁଷ୍ପ-ବୃଷ୍ଟି ଘନଘନ,

କି ସ୍ଥାବର କି ଜଙ୍ଗମ ସର୍ବଦେହୀଙ୍କର

ସେ ଜନ୍ମ ଦିବସ ହେଲା ମହାସୁଖକର । ୨୩

 

ନବ ମେଘ ଗରଜନେ ( ୧ ) ବିଦୁର ଯେସନ

ନବୋଦ୍‌ଗତ ରତ୍ନାଙ୍କୁରେ ଦିଶଇ ଶୋଭନ,

ତେସନ ଜନନୀ ମେନା ଶୋଭିଲେ ବିଶେଷେ

ଉଜ୍ଜ୍ୱଳବରଣା କନ୍ୟା ଘେନି ଅଙ୍କଦେଶେ । ୨୪

 

ଦିନୁଦିନ ସୁକୁମରୀ ଚଢ଼ିଲା ଯେତିକି,

ବରାଙ୍ଗେ ଲାବଣ୍ୟ ଫୁଟି ଦିଶଇ ତେତିକି,

ଏକ ଏକ ଚନ୍ଦ୍ର କଳା ଯେସନ ଆକାଶେ

ଉଇଁ ପୂର୍ଣ୍ଣ ଷୋଳକଳା ଚନ୍ଦ୍ରିକା ପ୍ରକାଶେ । ୨୫

 

ପର୍ବତ-ତନୁଜା ବୋଲି ଆପ୍ତ ବନ୍ଧୁଜନେ

ବିହିଲେ କନ୍ୟାର ନାମ ‘ପାର୍ବତୀ’ ସୁମନେ,

‘ଉ-ମା’ ବୋଲି ମାତା ତାଙ୍କୁ ତପୁ ନିଷେଧିଲେ,

ସେହିଦିନୁ ସୁବଦନା ଉମା ବୋଲାଇଲେ । ୨୬

 

ବହୁ ପୁତ୍ର କନ୍ୟା ଥାଉଁ ସେ କନ୍ୟାରତନେ

ନିରେଖିଲେ ଗିରି-ରାଜ ଅତୃପ୍ତ ନୟନେ;

ମଧୁର ବସନ୍ତେ କେତେ ନ ଫୁଟେ ସୁମନ,

ବିଶେଷେ ରସାଳେ ସିନା ମଧୁପର ମନ ? ୨୭

 

ଉଜ୍ଜ୍ୱଳ ଶିଖାରେ ଯେହ୍ନେ ଦୀପ ଶୋଭା ବହେ,

ଅବା ଯଥା ସ୍ୱର୍ଗପଥ ମନ୍ଦାକିନୀ-ପୟେ,

ସୁମାର୍ଜିତ ଭାରତୀରେ ପଣ୍ଡିତ ଯେସନ,

କନ୍ୟାରତ୍ନେ ଗିରି ପୂତ ଭୂଷିତ ତେସନ । ୨୮

 

ଶୈଶବବୟସେ ଧନୀ ସଙ୍ଗିନୀଙ୍କ ମେଳେ

ମନ୍ଦାକିନୀତଟେ ବୁଲି କେତେ ରଙ୍ଗେ ଖେଳେ,

ବାଲୁକାବେଦୀରେ କେବେ,କେବେ ପିତୁଳାରେ

ଭୁଞ୍ଜେ କ୍ରୀଡ଼ାରସ ଅବା କନ୍ଦୁକ କ୍ରୀଡ଼ାରେ । ୨୯

 

ଶରଦେ ମିଳନ୍ତି ହଂସେ ଯଥା ଜାହ୍ନବୀରେ,

ନିଶାଗମେ ନିଜ କାନ୍ତି ଯଥା ଓଷଧିରେ,

ତେସନ ଭେଟିଲେ ଆସି ଉପଦେଶ ବେଳେ

ପୂର୍ବଜନ୍ମ ବିଦ୍ୟାରାଶି ପାର୍ବତୀଙ୍କି ହେଳେ । ୩୦

 

ଏଥୁଅନ୍ତେ ବିଳସିଲା ନବ ଯଉବନ

ବିନା ଯତ୍ନେ ଅପଘନେ ଅପୂର୍ବ ମଣ୍ଡନ,

ନୁହଇ ମନ୍ଦିରା ମାତ୍ର ମାଦକ ସେ ବଡ଼,

ନୋହିଲେହେଁ ପୁଷ୍ପ, ପୁଷ୍ପଶରର ସେ ଶର । ୩୧

 

ନବ ଯଉବନେ ତନୁ ଠାଣୀ କି ସୁଢ଼ଳ,

ରବିକରେ ବିଳସିତ କିବା ଶତଦଳ ?

ଅବା ଯେହ୍ନେ ରଙ୍ଗଜୀବ ଘେନି ଚିତ୍ରତୂଳି

ଫୁଟାଇଛି ପଟେ ଦିବ୍ୟ ଶୋଭାର ପିତୁଳି ! ୩୨

 

କରନ୍ତେ ଚରଣନ୍ୟାସ ଧରଣୀ ଉପରେ

ଅଙ୍ଗୁଷ୍ଠ ନଖ କି ରକ୍ତ କାନ୍ତି ବାନ୍ତି କରେ ?

ତା ଦେଖି ହୁଅଇ ପ୍ରତେ, ପଦଯୁଗ ଛଳେ

ଚଳ ସ୍ଥଳପଦ୍ମ କିବା ଶୋହେ ମହୀତଳେ । ୩୩

 

ସୁନ୍ଦରୀଚରଣ-ଲଗ୍ନ-ନୂପୁରନିକ୍ୱଣ-

ଅନୁକରଣ ତତ୍ପର ରାଜହଂସଗଣ

ଶିଖାଇଲେ ନତାଙ୍ଗୀକି ପ୍ରତିଦାନ ଛଳେ

ସବିଳାସ-ପଦନ୍ୟାସ କିବା ମହୀତଳେ ! ୩୪

 

ବର୍ତ୍ତୁଳ ସୁଢ଼ଳ ବେନି ଜଘନ ସୁନ୍ଦର

ନିର୍ମାଣି ଯତନେ ବିଧି, ଦେଖିଲେ ସକଳ

ଲାବଣ୍ୟର ଉପାଦାନ ହୋଇଲାଣି ଶେଷ !

ଶେଷାଙ୍ଗ ନିର୍ମାଣେ ତହୁଁ ଭାଳିଲେ ବିଶେଷ । ୩୫

 

ସ୍ୱଭାବେ କର୍କଶ ଜଣା କରିରାଜ କର,

ରାମରମ୍ଭା ପରଶେ ତ ଅତୀବ ଶୀତଳ,

ଲଭିଲେହେଁ ଚିରଖ୍ୟାତି ଏ ବେନି ଜଗତେ,

ଉପମା ଅଯୋଗ୍ୟ ତେଣୁ ତା ଉରୁ ସଙ୍ଗତେ । ୩୬

 

ଏଥିରୁ ସରବେ ଏବେ କର ଅନୁମାନ,

କେଡ଼େ ରମଣୀୟ ସେହି କାଞ୍ଚୀଗୁଣସ୍ଥାନ !

ପଶ୍ଚାତେ ଶଙ୍କର ଯାକୁ ସ୍ଥାପିଲେ ସାଦରେ

ଅନ୍ୟନାରୀ-ଅସୁଲଭ ନିଜ ଅଙ୍କପରେ । ୩୭

 

ନବ ରୋମାବଳୀ ଆହା କେଡ଼େ ମନୋଲୋଭା !

ନାଭିର ବିବରଯାଏ ଅନୁପମ ଶୋଭା,

ମେଖଳାର ମଧ୍ୟଗତ ନୀଳମଣି ରୁଚି

ନୀବୀ ବନ୍ଧ ଫୁଟି ତହିଁ କିବା ସଞ୍ଚରୁଚି ? ୩୮

 

ଡମ୍ବରୁମଧ୍ୟାର କଟିଦେଶ ଦେଲା ଦେଖା

ଅପୂର୍ବ ସୁନ୍ଦର ଏବେ ତ୍ରି ବଳୀର ରେଖା,

ଆରୋହଣ ଆଶେ ଅବା ନବ ଯଉବନ

କଲା କି କାମର ଏଥି ସୋପାନ ଗଠନ ? ୩୯

 

ବାରିଜାକ୍ଷୀର ପାଣ୍ଡୁର ବେନି ପୟୋଧର

ବେନି ଶ୍ୟାମ ମୁଖେ ଆହା କେଡ଼େ ମନୋହର !

ଏକକୁ ଆରେକ ପୀଡ଼ି ବଢ଼ିଲେ ଏସନ,

ମୃଣାଳ ତନ୍ତୁକୁ ତହିଁ ନ ରହିଲା ସ୍ଥାନ । ୪୦

 

ସୁକୁମାରୀ ବାହୁଯୁଗ ସୁକୁମାର ପଣେ

ଜିଣିଥିବ ମଣେ ନିଶ୍ଚେ ଶିରୀଷ ସୁମନେ !

ତେଣୁ ସିନା ଏ ବେନିଙ୍କି ମଦନ ହତାଶ

କଲା ଦିନେ ଦର୍ପହାରୀ ହର କଣ୍ଠପାଶ । ୪୧

 

ବନ୍ଧୁରିତ ପୟୋଧର ବଶେ କଣ୍ଠତଳ,

ଚାରୁ ମୁକ୍ତାଫଳ ହାର ତହିଁ ଢଳଢଳ,

ଏକ ଆରେକର ଶୋଭା କରଇ ବର୍ଦ୍ଧନ,

ତେଣୁ ଏ ଭୂଷଣ ତାର, ସେ ୟାର ଭୂଷଣ । ୪୨

 

ନ ଲଭଇ ଚନ୍ଦ୍ରଶୋଭା ପଦ୍ମାଳୟା ପଦ୍ମେ,

ନ ଭୁଞ୍ଜଇ ପଦ୍ମ-ଗୁଣ ଥିଲେ ଚନ୍ଦ୍ରସଦ୍ମେ,

ଏକାଧାରେ ଉମାମୁଖ ଭଜି ସେ ଚଞ୍ଚଳା

ଚନ୍ଦ୍ର-ପଦ୍ମ ବାସ ପ୍ରୀତି ଲଭିଲା କମଳା । ୪୩

 

ସ୍ଥାପିଲେ ବା ପୁଣ୍ଡରୀକ ନବୀନ ପଲ୍ଲବେ

କିମ୍ବା ସ୍ୱଚ୍ଛ ମୁକ୍ତାଫଳ ପ୍ରବାଳକଦମ୍ବେ,

ଲଭି ପାରେ କିଞ୍ଚିତରେ ସେସ୍ମି ତର ଛଇ

ଅରୁଣ ଅଧରେ ଯାର କାନ୍ତି ଝଟକଇ । ୪୪

 

ସୁମଧୁର ମଧୁମାସେ ମଧୁରଭାଷିଣୀ

ଭାଷଇ ଯେ କାଳେ ବାଣୀ ସୁଧାରସ ଜିଣି,

କୋକିଳାର ସ୍ୱର ତହିଁ ହୁଏ କର୍ଣ୍ଣଶୂଳ

ଛିନ୍ନତନ୍ତ୍ରୀ ବିପଞ୍ଚୀର କଟୁ ସ୍ୱର ତୁଲ । ୪୫

 

ବାତବିଧୁନିତ ନୀଳ ଉତ୍ପଳପରାୟେ

ବିଶାଳାକ୍ଷୀର ତରଳ ଦୃଷ୍ଟି ଶୋଭା ପାଏ,

ଆଣିଛି କି ଏଣୀଠାରୁ ବରାଙ୍ଗୀ ଏ ଭଙ୍ଗୀ

ଅବା ଏ ବରାଙ୍ଗୀଠାରୁ ଶିଖିଲେ କୁରଙ୍ଗୀ ? ୪୬

 

ବିଶାଳ ଭ୍ରୂଲତା ତାର କେଡ଼େ ମନୋହର,

ଆଙ୍କିଛି କେ ଯେହ୍ନେ ଘେନି ତୂଳିରେ କଜ୍ଜ୍ୱଳ,

ଯା ମୋହନ ଭଙ୍ଗୀ ଦେଖି ମଣିଛି ମଦନ

ଆପଣା ଚାପର ଶୋଭା-ଗର୍ବ ଅକାରଣ । ୪୭

 

ଇତର ଜନ୍ତୁଙ୍କ ଚିତ୍ତେ ଲାଜ ଥାନ୍ତା ଯେବେ

ଗିରିରାଜଜେମାଙ୍କର କେଶ ଦେଖି ଏବେ,

ନିଶ୍ଚୟେ ଚମରୀଗଣ କରିଥାନ୍ତେ ଖର୍ବ

ଆପଣାର ପ୍ରିୟ ପୁଚ୍ଛେ ସେ କେଶ ଗରବ । ୪୮

 

ସକଳ ଉପମା ବସ୍ତୁ କରି ଆହରଣ

ଯେ ସ୍ଥାନେ ଯେ ଯୋଗ୍ୟ ତହିଁ କରି ତା ସ୍ଥାପନ

ଗଢ଼ିଛି ଯତନେ ବିଧି ଏହାଙ୍କୁ ନିଶ୍ଚୟେ

ଏକାଧାରେ ସର୍ବ ଶୋଭା ଦେଖିବା ଆଶୟେ । ୪୯

 

ଦିନେ କାହୁଁ କାମଚାରୀ ନାରଦ ମିଳିଲେ,

ପିତାଙ୍କ ଛାମୁରେ ଉଭା ଉମାଙ୍କୁ ଦେଖିଲେ,

ଭାଷିଲେ ଏମନ୍ତ ବାଣୀ ତହୁଁ ମୁନିବର,

ପ୍ରେମେ ଏ ଅର୍ଦ୍ଧାଙ୍ଗହରା ହେବେ ହରଙ୍କର । ୫୦

 

ସେହି ଦିନୁ ଜାଣିଲେହେଁ କନ୍ୟାକୁ ଯୁବତୀ

ଅନ୍ୟ ବରେ ପିତାଙ୍କର ନ ବଳିଲା ମତି,

ଅଗ୍ନି ବନା ଅନ୍ୟ ତେଜ କେ ଅଛି ଏସନ

ମନ୍ତ୍ରପୂତ ହବ୍ୟ ଭୋଗେ ହୋଇବ ଭାଜନ । ୫୧

 

କିନ୍ତୁ ବିନା ନିବେଦନେ ବଳେ ଗିରିରାଣ

କରି ନ ପାରିଲ ଶିବେ କନ୍ୟାରତ୍ନ ଦାନ,

କେଜାଣି ପ୍ରାର୍ଥନାଭଙ୍ଗ ହେବ, ଏହି ଭୟେ

ଉଦାସୀନ ଥାନ୍ତି ସନ୍ଥେ ସ୍ୱପ୍ରିୟ ବିଷୟେ । ୫୨

 

ପୂର୍ବଜନ୍ମେ ଯେବେ ସତୀ କଲେ ବିସର୍ଜନ

ଦକ୍ଷକୋପ ଦରଶନେ ନିଜ ଅପଘନ,

ସେକାଳୁଁ ଶଙ୍କର ତେଜି ବିଷୟବାସନା

ବିନା ଦାରପରିଗ୍ରହେ ରହିଲେ ବିମନା । ୫୩

 

ହିମାଦ୍ରି ନିତମ୍ବେ ( ସିକ୍ତ ଗଙ୍ଗାଜଳେ ଯହିଁ

ନମେରୁ ଦ୍ରୁମେ, କସ୍ତୁରୀ-ବାସ ପ୍ରସରଇ, )

କିନ୍ନର ଗୀତେ ମୁଖର, ସେ ଦେଶେ ବସତି

ରଚିଲେ ତପସ୍ୟା ଅର୍ଥେ ବଶୀ ପଶୁପତି । ୫୪

 

ବସନ୍ତି ପ୍ରଥମଗଣେ ବେଢ଼ି ମୋଦଭରେ,

ମଣି-ଶିଳା-ବିଚ୍ଛୁରିତ ଚାରୁ ଶିଳାତଳେ,

ନମେରୁ କୁସୁମେ ଯାଙ୍କ ମସ୍ତକ ମଣ୍ଡନ,

ସୁକୋମଳ ଭୂର୍ଜଛାଲେ ପିନ୍ଧିଲା ବସନ । ୫୫

 

ଖଣ୍ଡଖଣ୍ଡ ହିମଶିଳା ଖୁରମୂନେ ଟାଳି

ମଦମତ୍ତ ବୃଷ ଯହିଁ ଭୈରବେ ଆସ୍ଫାଳି,

ନ ଗଣି ସିଂହର ରଡ଼ି ଗର୍ଜେ ବିକଟାଳେ,

ଦେଖନ୍ତି ଗୟଳେ ଯାକୁ ଭୟ ଅସମ୍ଭାଳେ । ୫୬

 

ତହିଁ ଆତ୍ମ-ମୂର୍ତ୍ତି-ଭୂତ ଜାଳି ହୁତାଶନେ

ତପ ଆରମ୍ଭିଲେ (୧) ଅଷ୍ଟ-ମୂର୍ତ୍ତି ଏକମନେ,

ତପସ୍ୟାର ଫଳ ଯେହୁ କରନ୍ତି ପ୍ରଦାନ,

କେଜାଣେ ତା, କେଉଁ ଆଶେ ତାଙ୍କର ଏ ଧ୍ୟାନ ! ୫୭

 

ତ୍ରିଦଶ ବନ୍ଦିତ ସେହି ବରେଣ୍ୟ ଈଶ୍ୱର

ପୂଜିବାକୁ ଆଦେଶିଲେ ଏବେ ଗିରିବର

ସଖୀ ସଙ୍ଗେ ବ୍ରତଶୀଳା ତନୟାରତନେ,

ପାଦ୍ୟ ଅର୍ଘ୍ୟେ ନିଜେ ପୂଜି ସେହି ତପୋବନେ । ୫୮

 

ଜାଣିଲେହେଁ ଯୋଗ-ବିଘ୍ନକ କରିଣୀ ଯୁବତୀ,

ପାର୍ବତୀଙ୍କି ଦେଲେ ଶିବ ସେବା ଅନୁମତି,

ବିକାର କାରଣ ଥାଇ ନ ଭଜେ ବିକାର

ଯାର ଚିତ୍ତ, ସେହି ସିନା ଧୀର ମଧ୍ୟେ ସାର । ୫୯

 

ତୋଳି ନିତି ପୂଜାଫୁଲ ମାଜି ବେଦିସ୍ଥାନ

ଆଣି ନିତ୍ୟ କର୍ମ ଜଳ ପୁଣି କୁଶମାନ

ସେବିଲେ ଗିରିଶେ ତହିଁ ସୁକେଶୀ ଯତନେ,

ଶ୍ରାନ୍ତି ହରି ହର-ଶିର-ଶଶାଙ୍କ କିରଣେ । ୬୦

 

ଦ୍ୱିତୀୟ ସର୍ଗ

ସେକାଳେ ତାରକା ନାମେ ଅସୁର

ଦେବଙ୍କର ସବୁ କରିଲା ଜୂର,

ଇନ୍ଦ୍ରଙ୍କୁ ଘେନି ତହୁଁ ସର୍ବ ସୁରେ

ମିଳିଲେ କୁଶଳେ ବ୍ରହ୍ମାଙ୍କ ପୁରେ । ୧

ସକଳ ଦେବଙ୍କ ମୁଖ ମଳିନ

ଯାମିନୀରେ ଜଳେ ଯଥା ନଳିନ,

ଦେଖାଦେଲେ ବିଧି ତାଙ୍କ ଆଗର,

ଉଇଁଲେ ଉଷାରେ କିବା ଭାସ୍କର ?

ସର୍ବ ସୃଷ୍ଟିକର୍ତ୍ତା ଚତୁରାନନେ

ଦେଖି ସମ୍ମୁଖରେ ଅମରଗଣେ,

ଆରମ୍ଭିଲେ ସ୍ତୁତି କରି ପ୍ରଣତି ।

ସାର୍ଥକ ବଚନେ ସେ ବିଦ୍ୟାପତି । ୩

‘ନମସ୍ତେ’ ତ୍ରିମୂର୍ତ୍ତି-ଧର ପରମ

ସୃଷ୍ଟି ପୂର୍ବେ ଥିଲ ଏକଇ ବ୍ରହ୍ମ,

ତ୍ରିଗୁଣ ଭେଦରେ ଭଜିଲ ପରେ

ତିନି ଭିନ୍ନ ରୂପ ଦେବ, ବିଶ୍ୱରେ । ୪

 

ରୋପିଲେ ଯେ ବୀଜ ଜଳ ମଧ୍ୟର,

ତହୁଁ ଜାତ ବିଶ୍ୱ ଏ ଚରାଚର,

ତେଣୁ ହେ ଅଯୋନି ସମ୍ଭବ, ତୁମ୍ଭେ

ବୋଲାଉଛି ବିଶ୍ୱ-କାରଣ ଶୁଭେ । ୫

 

ତିନିଗୁଣେ ତିନି ଅବସ୍ଥା ଧରି

ଜଗତେ ମହିମା ବିସ୍ତାର କରି

ତୁମ୍ଭେ ହେ ସୃଷ୍ଟି ସ୍ଥିତି ପ୍ରଳୟର

ଏକଇ କାରଣ ଜଣା ବିଶ୍ୱର । ୬

 

ଦ୍ୱିଧାକଲ ଦେହ ସୃଷ୍ଟି କାରଣେ

ସ୍ତ୍ରୀ ପୁରୁଷ ବେନି ଭାଗ ଯତନେ,

ତେଣୁ ଏ ଜନନ-ଶୀଳ ବିଶ୍ୱର

ଅଟନ୍ତି ସେ ବେନି ମାତା ପିଅର । ୭

 

ଆପଣାର କାଳ ପ୍ରମାଣ ଧରି

ବିଭାଗ କରିଛ ଦିବା ଶର୍ବରୀ,

ତେଣୁ ତୁମ୍ଭର ଯେ ସ୍ୱପ୍ନ ଜାଗର

ପ୍ରଳୟ ସୃଷ୍ଟି ସେ ଜଣା ବିଶ୍ୱର । ୮

 

ତୁମ୍ଭେ ଜଗତର ଅଟ କାରଣ,

କିନ୍ତୁ ଅଯୋନି-ସମ୍ଭବ ଆପଣ,

ବିଶ୍ୱ-ଅନ୍ତକାରୀ, ଆପେ ଅନନ୍ତ,

ଜଗତର ଆଦି, ଅନାଦି ସତ,

ବୋଲାଅ ବିଶ୍ୱର ପୁଣି ଈଶ୍ୱର,

ନାହିଁ କେ ଈଶ୍ୱର ଦେବ ତୁମ୍ଭର । ୯

ଆପେ ଆପଣାକୁ ସୃଜ ମହାନ,

ଆତ୍ମାକୁ ଆତ୍ମାରେ ତୁମ୍ଭେ ହିଁ ଜାଣ,

ସମର୍ଥ ତୁମ୍ଭେ ଆପେ ଆପଣାରେ

ଆପଣା ଛାଏ ଲୟ ଭଜିବାରେ । ୧୦

କେବେ ଅତିଘନ, କେବେ ତରଳ,

କେବେ ସ୍ଥୂଳ, କେବେ ନୁହଁ ଗୋଚର,

କେବେ ଭାରବନ୍ତ, ଲଘୁ ବା କେବେ,

କେବେ ବା ବ୍ୟକତ, ଅବ୍ୟକ୍ତ ଦେବେ ! ୧୧

ଓଁ ଙ୍କାର ଯାହାର ଉପକ୍ରମଣ,

ତ୍ରିବିଧ ସ୍ୱରେ ଯାର ଉଚ୍ଚାରଣ,

ଫଳ ଯାର ସ୍ୱର୍ଗ, କର୍ମ ଯଜନ,

ସେ ବେଦବାଣୀର ତୁମ୍ଭେ କାରଣ । ୧୨

 

ତୁମ୍ଭେ ପ୍ରକୃତି ତ୍ରୀଗୁଣ ଧାରିଣୀ

ସେ ପୁରୁଷର କାମ ପ୍ରବର୍ତ୍ତିନୀ,

ତୁମ୍ଭେ ହିଁ ପୁରୁଷ ପ୍ରକୃତି ଦ୍ରଷ୍ଟା

ଉଦାସୀନ ଥାଇ ବିଶ୍ୱର ସ୍ରଷ୍ଟା । ୧୩

 

ପିତୃଗଣଙ୍କର ତୁମ୍ଭେ ହିଁ ପିତା,

ସର୍ବଦେବଙ୍କର ତୁମ୍ଭେ ଦେବତା,

ସର୍ବ ବିଧାତାଙ୍କ ତୁମ୍ଭେ ବିଧାତା,

ତୁମ୍ଭେ ପରାତ୍ପର ଜଗତପିତା । ୧୪

 

ତୁମ୍ଭେ ହବ୍ୟ ପୁଣି ତୁମ୍ଭେହିଁ ହୋତା,

ତୁମ୍ଭେ ଭୋଜ୍ୟ ପୁଣି ବୋଲାଅ ଭୋକ୍ତା,

ତୁମ୍ଭେ ଜ୍ଞେୟ ଜ୍ଞାତା ହେ ସନାତନ !

ତୁମ୍ଭେ ଧ୍ୟାତା ତୁମ୍ଭେ ଧ୍ୟେୟ ପରମ । ୧୫

 

ଦେବମୁଖୁଁ ଶୁଣି ସ୍ତୁତି ଏସନ

ଅର୍ଥ-ସଙ୍ଗତ ମାନସରଞ୍ଜନ,

ପ୍ରସନ୍ନ ବଦନେ ଚତୁରାନନ

ଭାଷିଲେ ଦେବଙ୍କୁ ପ୍ରିୟ ବଚନ । ୧୬

 

ସେ ଆଦି କବି ତହୁଁ ଚାରିମୁଖେ

କରନ୍ତେ ବାଣୀ-ଉଚ୍ଚାରଣ ସୁଖେ

ଶବ୍ଦେ ଚାରି ସ୍ୱର ବୃତ୍ତି ଯେ ଥିଲା,

ତକ୍ଷଣେ ଯେହ୍ନେ କୃତାର୍ଥ ହୋଇଲା । ୧୭

 

ସ୍ୱାଗତ ହେ ସର୍ବ ବିକ୍ରମଶାଳୀ

ନିଜ ନିଯୋଗେ ପୂର୍ବ ଅଧିକାରୀ

ଆଜାନୁଲମ୍ବିତ ଭୁଜେ ହେ ସୁରେ,

ସମାଗତ ଆଜି କିପାଁ ମୋ ପୁରେ ? ୧୮

 

ଏ କି ଆଚମ୍ବିତ ତୁମ୍ଭ ବଦନେ

ନାହିଁ ନିଜ ପୂର୍ବ କାନ୍ତି ତେସନେ !

ହିମପାତେ ଯଥା ଜ୍ୟୋତିଷ୍କଗଣେ

ଊଣା ଦିଶେ ପୂର୍ବ ପ୍ରଭା ଗଗନେ । ୧୯

 

ଯେ ଅସ୍ତ୍ରେ ମରିଲା ବୃତ୍ର ଦାନବ

ପ୍ରଭା ଅଭାବେ ଆଜି ସେ ନିଷ୍ପ୍ରଭ,

ଦିଶଇ ବାସବ କରେ କୁଳିଶ

ମୁଣ୍ଡା-ଧାର ଖଣ୍ଡା ପ୍ରାୟେ ଏ କିସ ? ୨୦

 

ଏ କଣ ! ସମରେ ଦୁର୍ବାର ଅତି

ଥିଲା ଯେଉଁ ପାଶ ବରୁଣ କତି,

ସେ ଆଜି ଭଜିଲା କିପାଁ ସହସା

ମନ୍ତ୍ର-ବଶ୍ୟ ବିଷ-ଧରର ଦଶା ! ୨୧

 

ଶାଖାଚ୍ଛେଦେ ତରୁ ଦିଶେ ଯେମନ୍ତ

ଗଦା ବିନା ବାହୁ ଆଜି ତେମନ୍ତ,

ସୂଚାଇଦିଏ ଏ ଧନପତିର

ମନେ ଗଳିଅଛି କି ତୀକ୍ଷ୍ନଶର ! ୨୨

 

ସେ ଅମୋଘଦଣ୍ଡେ ଆଜି ଶମନ

କରନ୍ତି କି ଦୁଃଖେ ଭୂମି ଖନନ,

ତେଜ ହଜିବାରୁ ଏବେଟି ଆହା !

ଗୋଜଣାରୁ ହୀନ ହୋଇଛି ତାହା । ୨୩

 

କିପାଁ ଶୀତଳ ଏ ଆଦିତ୍ୟଗଣ

ନ କରନ୍ତି ଆଜି ନେତ୍ର ଧର୍ଷଣ !

ପୂର୍ବ ପ୍ରତାପ ଭଜିବାରୁ କ୍ଷୟ

ଦିଶନ୍ତି ନେତ୍ରେ ଚିତ୍ରାର୍ପିତ ପ୍ରାୟ । ୨୪

 

ମରୁତଗଣଙ୍କ ଗତି ସ୍ଖଳନେ

ପଥ ରୋଧିଲା କେ ଆସଇ ମନେ,

ସ୍ରୋତ ରୋଧିଲେ ଜଳର ଯେସନ

ବିପରୀତ ମୁଖେ ହୁଏ ଗମନ । ୨୫

 

ରୁଦ୍ରଗଣଙ୍କର ଆଜି ତ ନାହିଁ

ଏ ନତଶିରେ ସେ ହୁଙ୍କାର କାହିଁ ?

ଊର୍ଦ୍ଧ୍ୱ ଜଟାଜୂଟ ପଡ଼ିଛି ଖସି

ତଳେ ଭାଲଶଶି-କୋଟି ପରଶି । ୨୬

 

ତୁମ୍ଭ ପ୍ରତିଷ୍ଠା କି ଏବେ ଅମରେ !

ବଳବତ୍ତର କେ ହରଇ ବଳେ ?

ବିଶେଷ ବିଧି ନ ମାନେ ଯେସନ

ସାମାନ୍ୟ ଶାସ୍ତ୍ରର ପୂର୍ବ ଶାସନ। ୨୭

 

କହ ତ୍ୱରା କରି ହେ ବତ୍ସଗଣ !

କିପାଁ ଆସିଲ କିବା ନିବେଦନ ?

ମୁଁ ସିନା ସୃଷ୍ଟି କରଇଁ ଲୋକର,

ପାଳନ ତୁମ୍ଭ ଉପରେ ନିର୍ଭର । ୨୮

 

ମୃଦୁପବନେ ଯେହ୍ନେ ପଦ୍ମାକର

ଦିଶଇ ପଦ୍ମଫୁଲେ ମନୋହର,

ତେହ୍ନେ ଶୋଭନ ସହସ୍ର ନୟନେ

ଠାରିଲେ ଇନ୍ଦ୍ର ଗୁରୁଙ୍କୁ ତକ୍ଷଣେ । ୨୯

 

ହେଲେହେଁ ବେନି ନୟନ ତାଙ୍କର,

ସସ୍ର ନୟନୁ ବଳି ଗୁଣାକର,

କରଯୋଡ଼ି ତହୁଁ ସେ ବୃହସ୍ପତି

କମଳାସନେ ଭାଷିଲେ ଭାରତୀ । ୩୦

 

ଶତ୍ରୁ ହରିଲା ନିଯୋଗ ଆମ୍ଭର

କହିଲ ଯା ପ୍ରଭୋ, ସତ୍ୟ ନିକର,

ପୂରିଅଛ ଦେବ ସର୍ବ ଘଟରେ,

କିପାଁ ନ ଜାଣିବ ଏହା ଅନ୍ତରେ । ୩୧

 

ଉଦ୍ଧତ ହୋଇଛି ତୁମ୍ଭରି ବରେ

ତାରକା ନାମେ ଅସୁର ଲୋକରେ,

ଲୋକ-ଉତ୍ପାତ ପାଇଁ ସେ ଦଇତ

ଧୂମକେତୁ ପ୍ରାୟେ ଏବେ ଉଦିତ । ୩୨

 

ତା ପୁରେ ଶଙ୍କିତ ହୋଇ ତପନ

ତେତିକି ମାତ୍ର ବିଞ୍ଚନ୍ତି କିରଣ,

ଯେତିକିରେ ପଦ୍ମ ତା କ୍ରୀଡ଼ା-ସରେ

ବିକଶିବ, ତହୁଁ ଯେହ୍ନେ ନ ବଳେ ! ୩୩

 

ସବୁକାଳେ ଚନ୍ଦ୍ର ତା ସେବା କରେ

ସବୁ କଳା ଘେନି ଭୀତ ଅନ୍ତରେ,

ନ ହରେ କେବଳ ସେହି କଳାକୁ

ଶିରେ ଶଙ୍କର ଧରିଥାନ୍ତି ଯାକୁ । ୩୪

 

ଝଡ଼ି ପଡ଼ିବ କେଜାଣି ସୁମନ,

ଭୟେ ନ ବହେ ଉଦ୍ୟାନେ ପବନ,

ପାଶେ ମଧ୍ୟ ବାୟୁ ନ ବହେ ଠିକେ

ବିଚଣା ପବନୁ ବଳି ଅଧିକେ । ୩୫

 

ନିଜ କର୍ମ ତେଜି ଏ ଋତୁମାନେ

ଖଟନ୍ତି ତା ପାଶେ ମାଳୀ ସମାନେ,

ନିଜ ଫୁଲମାନ କରି ସଂଗ୍ରହ

ଅତି ଯତନେ ଭେଟନ୍ତି ପ୍ରତ୍ୟହ । ୩୬

 

ଉପହାରଯୋଗ୍ୟ ଯେତେ ରତନ

ଜଳେ ହୋଇବାଯାଏ ସୁଯତନ,

ଚାହିଁ ରହିଥାଏ ନୀଳାମ୍ବୁପତି

ଭେଟିବାକୁ ନେଇ ସେ ଦୈତ୍ୟ କତି । ୩୭

 

ବାସୁକି ଆଦି ଭୁଜଙ୍ଗେ ଯାବତ

ଉଜ୍ଜଳ ମଣିରେ ନିଶି ବ୍ୟଜତ,

ଅସରନ୍ତି ରତ୍ନଦୀପାଳୀ ପ୍ରାୟେ ।

ଖଟନ୍ତି ସେ ଦୈତ୍ୟ ପାଶେ ସଭୟେ । ୩୮

 

ତା ଚିତ୍ତରଞ୍ଜନ କରିବା ଆଶେ

ପୁରନ୍ଦର ମଧ୍ୟ ପେଷନ୍ତି ପାଶେ

ନିତି ନିତି ଦୂତ-ହସ୍ତେ ଶୋଭନ

କଳ୍ପଦ୍ରୁମର କୁସୁମ ଭୂଷଣ । ୩୯

 

ଯେତେ ମନରକ୍ଷା କଲେ ତାହାର

ତ୍ରିଭୂବନ କରେ ସେ ଛାରଖାର,

ପ୍ରତିକାରେ ଶାନ୍ତ ସିନା ଦୁର୍ଜନ,

ଉପକାରେଟି ନୁହେ କଦାଚନ । ୪୦

 

ନବପଲ୍ଲବ ଯାର ଦୟାଭରେ

ତୋଳନ୍ତି ଅପ୍‌ସରା କୋମଳକରେ,

ଜାଣିଲେ ଆଦି ସେ ନନ୍ଦନଦ୍ରୁମେ

ଛେଦନ ପତନେ ଦୈତ୍ୟ ହୁକୁମେ । ୪୧

 

ହେଲେ ନିଦ୍ରିତ ଦୈତକୁ ଚାମରେ

ବିଞ୍ଚନ୍ତି ସୁରବନ୍ଦିନୀଏ ଡରେ,

ନେତ୍ରୁ ଝରଇ ଅଶ୍ରୁ ଘନ ଘନ

ଶ୍ୱାସ ସମାନେ କରନ୍ତି ପବନ । ୪୨

 

ଯେ ମେରୁଶିଖର ଅତି ଉନ୍ନତ,

ସୂର୍ଯ୍ୟାଶ୍ୱ ଖୁରାବାଜି ଯହିଁ କ୍ଷତ,

ସେ ଶୃଙ୍ଗ ଉପାଡ଼ି ଆଣି ସ୍ୱପୁର

କରିଛି କ୍ରୀଡ଼ା-ଶଇଳ ଅସୁର । ୪୩

 

ଦିଗ୍‌ବାରଣ ମଦଜଳେ ଆବିଳ

ଥିଲା ଯେ ସୁରଧନୀର ସଲିଳ,

ସେ ଏବେ ଶେଷ, କନକକମଳେ

ଫୁଟନ୍ତି ତାର କେଳିସରୋବରେ । ୪୪

 

ବିମାନରେ ବସି ଅମରଗଣ

କରୁଥିଲେ ସୁଖେ ବିଶ୍ୱ ଲୋକନ,

ଏବେ ଦୈତ୍ୟ ଡରେ ସେଥୁ ବଞ୍ଚିତ

ହେବାରୁ ବିମାନପଥ ବାରିତ । ୪୫

 

ଯଜ୍ଞରେ ଯାଜ୍ଞିକେ ପବିତ୍ର-ମନେ

ଦିଅନ୍ତି ଯେ ହବ୍ୟ ଅମରଗଣେ,

ଦେଖ ଦେଖୁ ତା ନିଏ ଆମ୍ଭେ ଥାଇ

ଅଗ୍ନିମୁଖରୁ ମାୟାବୀ ଛଡ଼ାଇ । ୪୬

 

ଯେ ଉଚୈଃଶ୍ରବା ଶ୍ୱେତ ଅଶ୍ୱବର

ମୂର୍ତ୍ତିମନ୍ତ ଯଶ ବାସବଙ୍କର,

ସେ ଅଶ୍ୱରତନେ ହରିଲା ବଳେ

ପ୍ରତାପୀ ସେ ଦୈତ୍ୟ, କିବା ନ କରେ । ୪୭

 

ଯେତେ ଉପାୟ କଲୁଁ ଆମ୍ଭେମାନେ,

ସବୁ ବିଫଳ ହେଲା ତାହା ସ୍ଥାନେ,

ସନ୍ନିପାତ ଜ୍ୱରେ ହୁଏ ଯେମନ୍ତ

ନିଷ୍ଫଳ ତାର ଔଷଧ ଯାବତ । ୪୮

 

ଜୟ ଆଶା ଥିଲା ଯେ ସୁଦର୍ଶନେ,

ଫିଙ୍ଗନ୍ତେ ତେଜ ଉଗାରି ତକ୍ଷଣେ

ଶୋହିଲା ତାହା ସୁନାହାର ପ୍ରାୟେ

ଦୈତ୍ୟର କଣ୍ଠେ, ଆଉ କି ଉପାୟେ ! ୪୯

 

ପୁଷ୍କର ଆଦି ଜଳଧର ଅଙ୍ଗେ

ଖେଳନ୍ତି ଶୁଣ୍ଢ ପିଟି ନାନାରଙ୍ଗେ

ତାର ବାରଣେ ଅତି ମଦଭରେ

ଐରାବତ ଗଜେ ଜିଣି ସବଳେ । ୫୦

 

କର୍ମବନ୍ଧ ଛେଦେ ଧର୍ମକୁ ଯଥା

ଲୋଡ଼ଇ ମୁମୁକ୍ଷୂଜନ ସର୍ବଥା,

ତେହ୍ନେ ତାରକା ବଧେ ସେନାପତି

ଲୋଡ଼ୁଅଛୁଁ ଆମ୍ଭେ ହେ ପ୍ରଜାପତି ! ୫୧

 

ଯେ ସେନାନୀକି କରି ପୁରଃସର

ପଶି ସମରେ ଦମ୍ଭେ ପୁରନ୍ଦର

ଆଣିବେ ଫେରାଇ ଜୟ-ଲକ୍ଷ୍ମୀକି,

ଶତ୍ରୁ ହସ୍ତୁଁ ଯେହ୍ନେ ବନ୍ଦୀ ନାରୀଙ୍କି । ୫୨

 

ଏମନ୍ତ କହି ଯହୁଁ ବାଚସ୍ପତି

ହେଲେ ନୀରବ, ତହୁଁ ପ୍ରଜାପତି

ଭାଷିଲେ ସବୁରି ପ୍ରିୟ ବଚନ,

ଗର୍ଜନ ପରେ ବରଷା ଯେସନ । ୫୩

 

ସିଦ୍ଧ ହେବ ଏ ତୁମ୍ଭର କାମନା

ନ ହୁଅ ଅମରେ ଆଉ ବିମନା,

କିଛିକାଳ ଏଥି ପ୍ରତିକ୍ଷାକର

ଏ ସୃଷ୍ଟିରେ ହାତ ନାହିଁ ଆମ୍ଭର । ୫୪

 

ଆମ୍ଭ ବରେ ଦୈତ୍ୟ ଲଭି ଉଦୟ

କେମନ୍ତେ ଏ ହସ୍ତେ ଭଜିବ କ୍ଷୟ ?

ବିଷବୃକ୍ଷକୁ ଆପଣେ ବଢ଼ାଇ ?

ଆପେ ଛେଦିବା କେବେ ନ ଯୋଗଇ । ୫୫

 

ପୂର୍ବେ ଅସୁର ମାଗିଲା ଏ ବର,

ଶାନ୍ତି କଲି ବର ଦେଇ ସତ୍ୱର,

ଯେଣୁ ତା ଉଗ୍ର ତପଟି ବିଷମ

ଏ ତିନିପୁର ଦହିବାକୁ କ୍ଷମ । ୫୬

 

ସମରେ ସେ ଦୈତ୍ୟ ହୋଇଲେ ଠିଆ,

କେ ସହିବ, ଅଛି ଏମନ୍ତ ହିଆ ?

ଏକା ସେ ନୀଳ-କଣ୍ଠ ବୀର୍ଯ୍ୟୁ ଜାତ

ସୁତକରି ପାରେ ତାର ନିପାତ । ୫୭

 

ଅଟନ୍ତି ପରମ ଜ୍ୟୋତି ଶଙ୍କର

ଅତୀତ ସେହି ତାମସ ବିଶ୍ୱର,

ତାଙ୍କ ମହିମା ମୋତେ ଅଗୋଚର

ବୈକୁଣ୍ଠବାସୀ ବିଷ୍ଣୁଙ୍କୁ ଆବର । ୫୮

 

ଯାଅ ସରବେ କରିବ ଯତନ,

ଯୋଗେ ନିଶ୍ଚଳ ଏବେ ତାଙ୍କ ମନ,

ଆକର୍ଷିବ ଯତ୍ନେ ଉମା ରୂପରେ,

ଲୋହକୁ ଯେମନ୍ତ ଅୟସ୍କାନ୍ତରେ । ୫୯

 

ଦୁହେଁ ସମାନ ଆମ୍ଭ ବେନିଙ୍କର

ରୋପିତ ବୀଜ ଧାରଣେ ତତ୍‌ପର,

ସେ ଉମା ସତୀ ଅବା ଶମ୍ଭୁଙ୍କର

ତାଙ୍କରି ମୂର୍ତ୍ତି ଜଳ ବା ଆମ୍ଭର । ୬୦

 

ସେ ଶିତିକଣ୍ଠଙ୍କ ହେଲେ କୁମର,

ସେନାପତି ହୋଇ ରଣେ ତୁମ୍ଭର

ସୁରବନ୍ଦିନୀଙ୍କ ବେଣୀମୋକ୍ଷଣେ

କ୍ଷମ ସେହିଟି ଏକା ବୀରପଣେ ! ୬୧

 

ଏମନ୍ତ ଭାଷି ଦେବେ, ଅନ୍ତର୍ଦ୍ଧାନ

ଭଜିଲେ ବ୍ରହ୍ମା ଅମର ପ୍ରଧାନ,

କର୍ତ୍ତବ୍ୟ ମନେ ମନେ ପାଞ୍ଚି ସୁରେ

ତହୁଁ ଚଳିଲେ ସର୍ବେ ସୁରପୁରେ । ୬୨

 

ଏଥିକି ମଦନ ଏକା ଭାଜନ,

ବିଚାର ତକ୍ଷଣେ ପାକଶାସନ,

ସ୍ମରିଲେ ଦ୍ୱିଗୁଣ ଚଞ୍ଚଳ ମନେ

କାର୍ଯ୍ୟସିଦ୍ଧି ଅର୍ଥେ ମୀନକେତନେ । ୬୩

 

ସୁମରୁ ଚିତ୍ତେ ଆସି ପୁଷ୍ପଶର

ଉଭା ବାସବ ପାଶେ ଯୋଡ଼ି କର,

ରତି-ବଳୟାଙ୍କିତ-କ୍ଷତ ଗଳେ

ଲମ୍ବିଛି ଫୁଲଧନୁ ମନୋହରେ,

 

ବେନି କୋଟି ତା ଆହା କି ଶୋଭନ

ଲଳିତାଙ୍ଗୀର ଭ୍ରୁଲତା ଯେସନ

ସଖା ବସନ୍ତ ହସ୍ତେ ଯାର ତୀକ୍ଷ

ଚୂତଅଙ୍କୁର ସାକ୍ଷାତେ ବିଶିଖ । ୬୪

 

ତୃତୀୟ ସର୍ଗ

ବରଜି ସକଳ ସୁରେ ପଡ଼ିଲା ସଘନେ

ସୁରେଶଙ୍କର ସହସ୍ର-ନେତ୍ର ସେ ମଦନେ,

ଥିଲେ ପ୍ରୟୋଜନ ଦାସ-ଜନେ ପ୍ରଭୁଙ୍କର

ହୁଏ ଏହିରୂପେ ସିନା ବିଶେଷେ ଆଦର । ୧

ବସ ଏ ଆସନେ ବୋଲି ନିଜ ସନ୍ନିଧାନେ

ବସାଇଲେ ଅପସରି ବାସବ ସମ୍ମାନେ,

କାମ ତହୁଁ ପ୍ରଭୁ ଆଜ୍ଞା ଶିରୋଧାର୍ଯ୍ୟ କରି

ଆରମ୍ଭିଲା ବଚନକୁ ରହସ୍ୟେ ଏପରି । ୨

ତୁମ୍ଭେ ପ୍ରଭୁ ଜ୍ଞାତସାର ଏ ତିନିଭୁବନେ,

କିବା କାର୍ଯ୍ୟ ଅଛି ତବ କହନ୍ତୁ ସୁମନେ,

ସ୍ମରଣେ ମୋହର କଲେ ଅନୁଗ୍ରହ ଯାହା,

ଆଦେଶ ହେଲେ ଦ୍ୱିଗୁଣ ମଣିବି ମୁଁ ତାହା । ୩

କହ ଦେବ ! କିଏ ତବ ପଦ ଅଭିଳାଷୀ

ଉଗ୍ର ତପସ୍ୟାରେ ଦ୍ୱେଷ ଜନ୍ମାଇଲା ଆସି ?

ଯାବତ ହେବ ସେ ବଶ ମୋହ ଆଦେଶର,

ଏ କୁସୁମକୋଦଣ୍ଡରେ ଯୋଖିଦେଲେ ଶର । ୪



 

ଅବା କେହି ପୁନର୍ଜନ୍ମ-କଷଣକୁ ଡରି

ତୁମ୍ଭ ଅମତରେ ମୁକ୍ତି-ପଥ ଅଛି ଧରି ?

ବନ୍ଧନ ଲଭୁ ସେ ଚିରଦିନ ଭବଘୋରେ

ସୁନ୍ଦରୀଙ୍କ ସେ ତରଳ ଚାହାଣୀର ଡୋରେ । ୫

 

ଶୁତ୍ର ନୀତି ପଢ଼ିଥାଉ ପଛକେ ସେ ଅରି,

ପେଷିଲେ ତା ପାଶେ ଏବେ ଦେବି ଦୂର କରି

ବିଷୟବାସନାବଳେ ଧର୍ମ ଅର୍ଥ ତାର;

ନଦୀସ୍ରୋତ ଗ୍ରାସେ ବେନି ତଟେ ସେ ପ୍ରକାର । ୬

 

ଅବା କେହି ପତିବ୍ରତା ନାରୀ ଚାରୁଶୀଳା

ରୂପଗୁଣେ ତୁମ୍ଭ ଚଳ ଚିତ୍ତ ବଳାଇଲା ?

କହ, ଛଡ଼ାଇବି ଲାଜ, ଲମ୍ବାଇବ ବଳେ

ସେହି ନିତମ୍ବିନୀ ବାହୁ-ପାଶ ତବ ଗଳେ । ୭

 

କହ ହେ କାମୁକ ! ଅବା ଅନ୍ୟାସଙ୍ଗ ଦୋଷେ

ପଦ ଧରି ମାଗିଲେହେଁ ଫିଙ୍ଗିଲା କେ ରୋଷେ ?

ଅଣାଇବି ଅନୁତାପ ବହୁତ ତା ମନେ,

ପଲ୍ଲବ-ଶଯ୍ୟାର ଆଶ୍ରା ଧରିବ ଯେସନେ ! ୮

 

ହୁଅ ସୁପ୍ରସନ୍ନ ଦେବ, ଥାଉ ବଜ୍ର ତବ

ମୋହର ଏ ପୁଷ୍ପଶରେ କହ କେ ଦାନବ

ହରାଇ ସ୍ୱ-ବାହୁବଳ ଡରିବ ବହନେ

ଚାହିଁଲାକ୍ଷଣି ରମଣୀ-ଅଧରକମ୍ପନେ ? ୯

 

ଧରି ଛାର ଫୁଲଶର, ତୁମ୍ଭ କୃପା ହେଲେ,

ଏକା ବସନ୍ତକୁ ସାଥି ପାଇଲେ ମୁଁ ହେଳେ

କରି ପାରେଂ ସେ ପିନାକ-ଧାରୀ ହରଙ୍କର

ଧୈର୍ଯ୍ୟଭଙ୍ଗ, କିବା ଛାର ଅନ୍ୟ ଧନୁର୍ଦ୍ଧର ! ୧୦

 

କଳ୍ପିତ ବିଷୟେ ଯହୁଁ ଆପଣାର ବଳ

ଜଣାଇଦେଲା ସେ ସୁର, ତହୁ ଆଖଣ୍ଡଳ

ପାଦପୀଠେ ଥୋଇ ପାଦ ଉରୁଦେଶୁ ଆଣି

ହରଷେ ସେ ଫୁଲଶରେ ଭାଷିଲେ ଏ ବାଣୀ । ୧୧

 

ସଖେ, ତୁମ୍ଭଠାରେ କିଛି ନୁହେଁ ଅପ୍ରମାଣ,

ତୁମ୍ଭେ, ଏ କୁଳିଶ, ବେନି ମୋର ଶସ୍ତ୍ର ଜାଣ,

ମାତ୍ର ନ ପାରଇ ବଜ୍ର, ଯହିଁ ତପୋବଳ ।

ସବୁଠାରେ ପାର ତୁମ୍ଭେ, ସାଧକ ମୋହର । ୧୨

 

ଜାଣଇ ମୁଁ ତୁମ୍ଭ ବଳ, ତେଣୁ ନିଜ ପରି

ଏ ମହତ କାର୍ଯ୍ୟେ କଲି ନିୟୋଗ ତୁମ୍ଭରି ।

ଦେଖି ବାସୁକିର ପୃଥ୍ୱୀ-ଧାରଣେ ଶକତି

ସ୍ୱଦେହ ବହନ ଭାର ଅର୍ପିଲେ ଶ୍ରୀପତି । ୧୩

 

ଶରେ ହର ଧୈର୍ଯ୍ୟଚ୍ୟୁତି ହେବ ଯା ବୋଇଲ,

ତହିଁ ଆମ୍ଭ କାର୍ଯ୍ୟସିଦ୍ଧି ବୋଲି ଜଣାଇଲ ।

ଯଜ୍ଞଭାଗୀ ସେବଙ୍କର ଅରାତି ପ୍ରବଳ

ଏବେ ଏହି କାର୍ଯ୍ୟ ଏକା ହୋଇଛି ସମ୍ବଳ । ୧୪

 

ସେହି ଶତ୍ରୁ ବଧେ ସର୍ବ-ଦେବେ ଏ ଇଚ୍ଛନ୍ତି,

ହର ବୀର୍ଯ୍ୟୁ ଜାତ ସୁତ ହେବେ ସେନାପତି,

ପରଂବ୍ରହ୍ମେ ଲଗ୍ନ ସଦା ଆତ୍ମା ତାହାଙ୍କର,

ତୁମ୍ଭରି ବାଣେ ସେ ସାଧ୍ୟ ଅଟନ୍ତି କେବଳ । ୧୫

 

କର ଯତ୍ନ ଯୋଗୀଶ୍ୱର ମଜ୍ଜିବେ ଯେମନ୍ତେ

ବ୍ରତଶୀଳା ହୈମବତୀ ଦେବୀଙ୍କ ସଙ୍ଗତେ,

କହିଛନ୍ତି ବ୍ରହ୍ମା ସେହି ଉମା ଏକା କ୍ଷମା

ତଦ୍‌ବୀର୍ଯ୍ୟ ଧାରଣେ ନାରୀ-କୁଳେ ନିରୁପମା । ୧୬

 

ଶୁଣିଛି ଅପ୍‌ସରା ମୁଖୁଁ, ପିତାଙ୍କ ଆଦେଶେ

ସେବନ୍ତି ପାର୍ବତୀ ଏବେ ଗିରିଶିଖଦେଶେ

ତପସ୍ୟାନିରତ ସେହି ଯୋଗୀ ମହେଶ୍ୱରେ,

ନୁହଇ ୟା ମିଥ୍ୟା, ଯେଣୁ ସେ ମୋ ଗୂଢ଼ ଚରେ । ୧୭

 

ଯାଅ ତେବେ, ସାଧ କାର୍ଯ୍ୟ ବେଗେ ଦେବଙ୍କର

ଏ କାର୍ଯ୍ୟ କାରଣାନ୍ତର ସାଧ୍ୟ ପରା ସ୍ମର ?

ତୁମ୍ଭକୁ ଡକାଏ ଏହା ପ୍ରଧାନକାରଣ

ନ ଉଠୁଣୁ ବୀଜାଙ୍କୁର ଜଳକୁ ଯେସନ । ୧୮

 

ହର ପ୍ରତି ଶର ଗତି ଥିବାରୁ ତୁମ୍ଭର

ସୁରଙ୍କ ବିଜୟ ହେବ, ଧନ୍ୟ ତୁମ୍ଭେ ସ୍ମର !

ନ ହେଉ ବିଖ୍ୟାତ ପଛେ, ଯା ଅସାଧାରଣ,

ସେ କର୍ମ ପୁଂସର ହୁଏ ଯଶ-ବିବର୍ଦ୍ଧନ । ୧୯

 

ଦେଖ ସଖେ, ଯାଚକ ଏ ସକଳ ଅମର,

ଏ କାର୍ଯ୍ୟଟି ପ୍ରିୟ ପୁଣି ତିନିଭୁବନର,

ତୁମ୍ଭରି ଧନୁରେ ହେବ, ନୁହେ ହିଂସ୍ର ଅତି

ଧନ୍ୟ ତୁମ୍ଭ ପରାକ୍ରମ ଅଦ୍ଭୁତ ଶକତି । ୨୦

 

ପ୍ରିୟ ସହଚର ମଧୁ ବିନା ପ୍ରବର୍ତ୍ତନେ

ସହାୟ ହୋଇବ ନିଶ୍ଡେ ଏ କାର୍ଯ୍ୟ ସାଧନେ,

କହିଥାଏ କେବେ କେହି ଭଲା ସମୀରଣେ

ହୁତାଶନର ସହାୟ ହୁଅ ଏ ଭୁବନେ ? ୨୧

 

ହେଉ, ବୋଲି ଶିରେ ତହୁଁ ଆଜ୍ଞାକୁ ମଦନ

ଫୁଲମାଳ ପ୍ରାୟେ ଘେନି ଚଳିଲା ବହନ,

ପରଶିଲେ ଇନ୍ଦ୍ର ତାର ଅଙ୍ଗ ପ୍ରେମଭରେ

ସେ ଐରାବତ-ପ୍ରହାର-କରକଶ କରେ । ୨୨

 

ପ୍ରିୟବନ୍ଧୁ ମଧୁ ତହିଁ ଚଳିଲେ ଗହଣେ,

ପଛେ ପଛେ ରତିଦେବୀ ଶଙ୍କାକୁଳ ମନେ,

ଶରୀର ପାତନେ ଭାବି କାର୍ଯ୍ୟର ସାଧନ

ହିମାଦ୍ରିର ହରାଶ୍ରମେ ଚଳିଲା ମଦନ । ୨୩

 

ଉଇଁଲା ବସନ୍ତ ତହୁ ସେହି ତପୋବନେ

ନିଜ ରୂପ ଧରି, ଯହିଁ ଗର୍ବ କରେ ମନେ

ସେ ପୁଷ୍ପଶର ମଦନ; ଯୋଗୀ ଋଷିଙ୍କର

ଯୋଗଧ୍ୟାନେ ପ୍ରତିକୂଳ ହୋଇଣ ସତ୍ୱର । ୨୪

 

ଉତ୍ତର ଆଡ଼କୁ ଯହୁଁ ପ୍ରଚଣ୍ଡ ତପନ

ଯିବାକୁ ବସିଲେ କରି ସମୟ ଲଙ୍ଘନ,

ତା ଦେଖି କି ଦକ୍ଷିଣାଶା ଛାଡ଼ି ରବି-ଆଶ

ମଳୟ ମାରୁତ ଛଳେ ତେଜିଲା ନିଶ୍ୱାସ ? ୨୫

 

ଫୁଟିଲା ଅଶୋକ ଦେଖୁ ଦେଖୁ ଡାଳେ ଡାଳେ

ପଲ୍ଲବ ସହିତେ ମୂଳେ ସ୍କନ୍ଦରେ ଅକାଳେ,

ନ ଚାହିଁଲା ସୁନ୍ଦରୀଙ୍କ ଚରଣ ତାଡ଼ନ

ଶୁଭେ ମନୋହର ଯହିଁ ନୂପୁରନିକ୍ୱଣ । ୨୬

 

ନବ ରସାଳପଲ୍ଲବେ କରି ବାଣ ଫଳି

ଚୂତାଙ୍କୁର ବାଣ ଯହୁଁ ସାରିଲାକ ଗତି,

ବସାଇଲା ତା ଉପରେ ମଧୁ, ଭୃଙ୍ଗାବଳୀ

ମନ୍ମଥର ନାମାକ୍ଷର ପରାୟେ ତା ଝଳି । ୨୭

 

କର୍ଣ୍ଣେ କର୍ଣ୍ଣିକାର ଫୁଲ ହେଲେହେଁ ମଞ୍ଜୁଳ

ବାସ ନ ଥିବାରୁ ହେଲା ମାନସକୁ ଶୂଳ,

ସର୍ବଗୁଣେ ସାମଗ୍ରୀର ପୂର୍ଣ୍ଣତା ବିଧାନେ

ବିମୁଖ ବିଧିର ବୁଦ୍ଧି ପ୍ରାୟ ସବୁସ୍ଥାନେ । ୨୮

 

ଦରବିକଶିତ ରଙ୍ଗପଲାଶ-ମୁକୁଳ

ବାଳେନ୍ଦୁ ପରାୟେ ଦିଶେ ବଙ୍କିମ ମଞ୍ଜୁଳ,

ବସନ୍ତର ସମାଗମେ ବନ-ଭୂମି ଅଙ୍ଗେ

ସଜ ନଖକ୍ଷତ କି ସେ ରାଜଇ ସୁରଙ୍ଗେ ? ୨୯

 

ମଣ୍ଡାଇ ମଧୁଶ୍ରୀ, ଭାଲେ ତିଳକ ପରାୟେ

ଗର୍ଭ-ଭୃଙ୍ଗ-କଜ୍ଜଳିତ ତିଳଫୁଲ ଛାଏଁ,

ବାଳଅରୁଣ ସୁନ୍ଦର ପାଟଳବରଣେ

ରସାଳପଲ୍ଲବାଧର ମଣ୍ଡିଲା ଯତନେ । ୩୦

 

ଏବେ ଏ କାନନଭୂମି ସଦା ମରମରେ

ଜୀର୍ଣ୍ଣ ପତ୍ରାବଳୀ ପାତେ, ତହିଁ ମଦଭରେ ।

ହରିଣେ ପବନମୁଖେ କରୁ ବିଚରଣ

ପିୟାଳ ମଞ୍ଜରୀ ଧୂଳି ରୋଧଇ ନୟନ । ୩୧

 

ଚୂତାଙ୍କୁର ଖାଇ ଏବେ ସୁମଧୁର କଣ୍ଠେ

ଗାଇଲା କୋକିଳ ଯାହା ଡାଳେ ବସି ହଠେ,

ମାନିନୀର ଅଭିମାନ-ଭଙ୍ଗେ ତାହା ଜାଣ

ହୋଇଲା ମନସିଜର ବଚନ-ପ୍ରମାଣ । ୩୨

 

ଶିଶିରର ଅନ୍ତେ ଏବେ ଦିଶଇ ବିମଳ

କିନ୍ନର-ସୁନ୍ଦରୀଙ୍କର ମଳିନ ଅଧର,

ମୁଖମଣ୍ଡଳର କାନ୍ତି ଆହା କି ଉଜ୍ଜ୍ୱଳ !

ମୃଗମଦପତ୍ରେ ସ୍ୱେଦ-ବିନ୍ଦୁ ଢଳ ଢଳ । ୩୩

 

ସେ ରୁଦ୍ରବନେଟି ଥିଲେ ଯେତେ ତପୋଧନ

ଏ ଅକାଳ ବସନ୍ତର ଦେଖି ଆଗମନ

ହୃଦୟ-ବିକାର ସେହୁ ବହୁତ ଯତନେ

ନିରୋଧିଲେ ଅଭ୍ୟନ୍ତରେ ଧୈର୍ଯ୍ୟ ଧରି କ୍ଷଣେ । ୩୪

 

ମିଳିଲା ମଦନ ଧରି ଫୁଲଧନୁ କରେ

ରତି ସଙ୍ଗେ ସେ ବିପିନେ ଯହୁଁ ମଦଭରେ,

ପ୍ରକାଶିଲେ ଚରାଚର ସକଳ ଦମ୍ପତୀ

କାଷ୍ଠା-ଗତ ପ୍ରେମରସ-ଭାବକୁ ଝଟତି । ୩୫

 

ଏକା ଫୁଲେ ବସି ପାନ କଲା ମକରନ୍ଦେ

ଭ୍ରମରୀ ସହିତେ ଭୃଙ୍ଗ-ବର ମହାନନ୍ଦେ,

ଶୃଙ୍ଗେ କୁରଙ୍ଗୀ ରଙ୍ଗେ ଘଷେ କୃଷ୍ଣସାର,

ସ୍ପର୍ଶସୁଖେ ନିମୀଳିତ ନୟନ ତାହାର ! ୩୬

 

ଢାଳିଲା କରିଣୀ ରସେ କରିବର ତୁଣ୍ଡେ

ପଦ୍କରେଣୁ ସୁବାସିତ ଜଳ ଭରି ଶୁଣ୍ଢେ,

ଅର୍ଦ୍ଧଭୁକ୍ତ ମୃଣାଳରୁ ଖଣ୍ଡେ ଘେନି ସୁଖେ

ରଥାଙ୍ଗ ଦିଅଇ ରଙ୍ଗେ ରଥାଙ୍ଗୀର ମୁଖେ । ୩୭

 

ଘୂର୍ଣ୍ଣିତ ନୟନ ଫୁଲ ମଦିରା ପାନରେ,

ଶ୍ରମଜଳ ଝରି ଭାଲେ ପତ୍ରାବଳୀ ଝଳେ,

ଗାନେ ରତ କିନ୍ନରୀଏ ଏହି ଅବସରେ,

ଚୁମ୍ବିଲେ ପ୍ରେୟସୀ ମୁଖ ପୁଲକେ କିନ୍ନରେ । ୩୮

 

ସ୍ଥାବର ପାଦପେ ମଧ୍ୟ ଲଭିଲେ ସେ ଦେଶେ

ନତଶାଖା ଭୁଜେ ଲତା-ବଧୁର ଆଶ୍ଳେଷେ,

କୁସୁମ-ସ୍ତବକାବଳୀ ଯେହ୍ନେ ପୟୋଧର,

ନବୀନ ପଲ୍ଲବ ତାଙ୍କ ଅଧର ସୁନ୍ଦର । ୩୯

 

ଏକାଳେ ଜିନ୍ନରୀ ଗୀତ ଶୁଣିଲେହେଁ ହର

ଥିଲେ ସେହିମତେ ଆତ୍ମ-ଧ୍ୟାନେ ତତ୍‌ପର,

ଅଟନ୍ତି ଯେ ଯୋଗୀ ପ୍ରଭୁ ଆପଣା ଆତ୍ମାର,

ତାଙ୍କ ଧ୍ୟାନଭଙ୍ଗେ ଏହି ବିଘ୍ନ କିବା ଛାର ! ୪୦

 

ଲତାଗୃହଦ୍ୱାରେ ଏବେ ଉଭା ଆସି ନନ୍ଦୀ

ଧରି ଏକ ହେମବେତ୍ର ବାମକରେ ଛନ୍ଦି,

ବଦନେ ତର୍ଜନୀ ଦେଇ ସେ ପ୍ରମଥଗଣେ

ଆକଟିଲା ‘ଶାନ୍ତହୁଅ’ ସରୋଷନୟନେ ! ୪୧

 

ନିଷ୍ମମ୍ପ ହେଲେ ପାଦପେ ମଧୁପେ ନୀରବ,

ନ ଚଳିଲେ ମୃଗେ, ଖଗେ ନ କରିଲେ ରବ,

ନନ୍ଦୀର ଶାସନେ ଯେହ୍ନେ କାନନ ସମସ୍ତ

ଚିତ୍ରପିତୁଳା ପରାୟେ ହୋଇଲା ତଟସ୍ଥ । ୪୨

 

ଲୁଚି ପ୍ରବେଶିଲେ କାମ ସେ ଆଶ୍ରମଠାରେ

ପଛପଟୁ ଦେବଦାରୁ-ବୃକ୍ଷ ଅନ୍ତରାଳେ,

କେଜାଣି ପଡ଼ିବ ଭୂତ-ପତିଙ୍କ ଆଗରେ ?

ଶୁତ୍ର ସମ୍ମୁଖରେ ଥିଲେ କେବା ଯାତ୍ରା କରେ ! ୪୩

 

ଦେବଦାରୁଦ୍ରୁମେ ବେଦୀ ଅପୂର୍ବ ଗଠନ,

ଶାର୍ଦ୍ଦୂଳ ଚର୍ମରେ ତହି ଦେବ ତ୍ରିଲୋଚନ

ବସି ଯୋଗାସନେ ଏବେ ଧ୍ୟାନେ ନିମଗନ,

ମରଣ ଘୋଟିଲା ତାଙ୍କୁ ଭେଟିଲା ମଦନ । ୪୪

 

ବୀରାସନେ ପୂର୍ବକାୟ ଥିଲା ସୁନିଶ୍ଚଳ,

ନତ ସ୍କନ୍ଧଦ୍ୱୟ, ବପୁ ବିଶାଳ ସରଳ,

ଊର୍ଦ୍ଧ୍ୱତଳ ବେନି କର ଯୋଡ଼ଭାବେ ରହି

ପ୍ରଫୁଲ୍ଲ କମଳ ପ୍ରାୟେ ଅଙ୍କେ ବିରାଜଇ । ୪୫

 

ସର୍ପେ ଜଟାଜୂଟ ଘେରା ହୋଇ ସରି ସରି

କର୍ଣ୍ଣଯୁଗେ ଦୋଳେ ଅକ୍ଷ-ମାଳ ଦୁଇ ସରି,

ଗ୍ରନ୍ଥିମାନେ କୃଷ୍ଣାଜିନ ଶୋହେ ଚାରୁ ଅଙ୍ଗେ,

ବଢ଼ିଛି ନୀଳିମା ଯାର ନୀଳକଣ୍ଠ ସଙ୍ଗେ । ୪୬

 

ନିଶ୍ଚଳ ଚକ୍ଷୁର ଡୋଳା ଅଳ୍ପ ଉନ୍ମୀଳିତ,

କମ୍ପହୀନ ପକ୍ଷ୍ମମାଳ ଭ୍ରୂକ୍ଷେପରହିତ,

ତଳକୁ ପଡ଼ଇ ବୃଷ୍ଟି ପଲକ ବିହୁନେ

ସ୍ଥିର ଲକ୍ଷ୍ୟ ରହିଅଛି ତୀକ୍ଷ୍‌ଣ ନାସା-ମୁନେ । ୪୭

 

ପ୍ରାଣବାୟୁ ନିରୋଧରୁ ଦିଶନ୍ତି ନିଶ୍ଚଳ,

ଜଳବରଷଣ ବିନା ଯେହ୍ନେ ଜଳଧର,

ଜଳପୂର୍ଣ୍ଣ ହ୍ରଦ ଯଥା ବିନା ତରଙ୍ଗରେ,

ନିଷ୍କମ୍ପ ପ୍ରଦୀପ ଅବା ନିର୍ବାତ ସ୍ଥଳରେ । ୪୮

 

ଭେଦି ବ୍ରହ୍ମରନ୍ଧ୍ର ସ୍ଫୁରେ ଦିବ୍ୟ ଜ୍ୟୋତି-ରେଖା

କପାଳ ନୟନେ ଆସି ଦିଅନ୍ତେ ସେ ଦେଖା

ଭାଲସ୍ଥିତ ବାଳଇନ୍ଦୁ ଯାଉଛି ମଉଳି,

ମୃଣାଳସୂତ୍ରୁ ଯା କଳା କୋମଳା ଆହୁରି । ୪୯

 

ନବଦ୍ୱାରରୁ ନିରୁଦ୍ଧ ଚିତ୍ତବୃତ୍ତି କରି

ପ୍ରଣିଧାନବଶ୍ୟ ସେହି, ହୃଦୟରେ ଧରି

ଅବିନାଶୀ ବୋଲି ଯାଙ୍କୁ ଜାଣେ ଜ୍ଞାନୀଜନ

ଆତ୍ମାକୁ ଆତ୍ମାରେ ସଦା କରନ୍ତି ଦର୍ଶନ । ୫୦

 

ଏମନ୍ତ ବିଷମରୂପ ଯହୁଁ ସେ ମଦନ

ଭେଟିଲା, ହଟିଲା ଆଶା ଖସିଲା ତକ୍ଷଣ

ଫୁଲଶରାସନ, ଭୟେ ସର୍ବାଙ୍ଗ ଥରିଲା,

ଆପଣା ହାତୁ ବିଚ୍ୟୁତ ହେବା ନ ଚେତିଲା । ୫୧

 

ଏକାଳେ ଦେଖିଲା କାମ ବେନି ସଖୀ ସଙ୍ଗେ

ଆସିଲେ ନଗେନ୍ଦ୍ରଜେମା ବନ୍ଦନା-ପ୍ରସଙ୍ଗେ,

ମନୋହର ରୂପଗୁଣେ ତେଜି କି ଉଠିଲା

କାମର ସେ ବଳବୀର୍ଯ୍ୟ, ଯାହା ହଜିଥିଲା ? ୫୨

 

ବସନ୍ତ ପୁଷ୍ପଭୂଷଣେ ବିରାଜନ୍ତି ଧନୀ,

ଅଶୋକ କୁସୁମ ଦିଶେ ପଦ୍ମରାଗମଣି !

ସୁବର୍ଣ୍ଣକୁ ଜିଣି ଦିଶେ କର୍ଣ୍ଣିକାର ଫୁଲ,

ସିନ୍ଧୁବାର ଫୁଲେ ମୁକ୍ତାହାର ନୁହେଁ ତୁଲ । ୫୩

 

କିଞ୍ଚିତ ଆନତା ଦେବୀ ପୟୋଧରଭରେ,

ତରୁଣ-ଅରୁଣ କାନ୍ତି ପିନ୍ଧା ବସନରେ,

ସତେ କି ସ୍ତବକ-ନତା ଲତିକା ସୁନ୍ଦରୀ

ପଲ୍ଲବମଣ୍ଡନା ହୋଇ ଚାଲେ ଢଳି ଢଳି ? ୫୪

 

ନିତମ୍ବୁ ବଉଳମାଳ ଖସେ ଘନ ଘନ,

ବରମ୍ବାର କରେ ଧନୀ କରନ୍ତି ଧାରଣ,

ନିହିଛି କି ଫୁଲଧନୁ ତହିଁ ସ୍ଥାନ ଜାଣି

ଆପଣା ଧନୁର ନୂଆ ଗୁଣ ଅବା ଆଣି ? ୫୫

 

ସୁଗନ୍ଧ ନିଶ୍ୱାସ ଗନ୍ଧେ ଅନ୍ଧ ଅଳିକୁଳ

ବିମ୍ବାଧର ପାଶେ ଆସି କରନ୍ତି ଆକୁଳ,

କ୍ଷଣେ କ୍ଷଣେ କରେ ଚାଳି ଲୀଳା-ଅରବିନ୍ଦ

ତଡ଼ନ୍ତି ସେ ତରଳାକ୍ଷୀ ସମ୍ଭ୍ରମେ ମିଳିନ୍ଦ ! ୫୬

 

ସର୍ବାଙ୍ଗସୁନ୍ଦର ତନୁ, ନାହିଁ ବାଛିବାକୁ,

ଲଜ୍ଜା ପାଇବଟି ରତି ଦେଖିଲେ ଯାହାକୁ !

ଅନାଇ ତା ଫୁଲଧନୁ ବାନ୍ଧିଲା ସାହସ

ଯୋଗୀ ଶିବେ କାର୍ଯ୍ୟସିଦ୍ଧି ହୋଇବ ଅବଶ୍ୟ । ୫୭

 

ଉଭା ହେଲେ ଉମା ଆସି ମନୋହରବେଶେ

ଭାବୀ ପତି ଭୂତ-ପତି-ପୀଠଦ୍ୱାରଦେଶେ;

ହୃଦ ମଧ୍ୟେ ପରବ୍ରହ୍ମଂ ଜ୍ୟୋତି ଦରଶନ

ଲଭି ହର ବିରମିଲେ ଯୋଗରୁ ତକ୍ଷଣ । ୫୮

 

ଧୀରେ ପ୍ରାଣବାୟୁ ଯହୁଁ ଛାଡ଼ିଲେ ଶଙ୍କର

ଅତି କଷ୍ଟେ ଫଣି-ପତି ସହିଲା ସେ ଭର

ସହସ୍ରଫଣାରେ କରି ଧରଣୀ-ଧାରଣ;

ଧୀରେ ଶିବ ଫିଟାଇଲେ ତହୁଁ ବୀରାସନ । ୫୯

 

ପ୍ରଣମି ଚରଣେ ନନ୍ଦୀ ଭାଷିଲା ସେକାଳେ,

ସେବା ଲାଗି ହୈମବତୀ ଉଭା ଏବେ ଦ୍ୱାରେ,

ନେତ୍ର ସଙ୍କେତୁ ପ୍ରଭୁଙ୍କ ଅନୁମତି ପାଇ

ଆଣିଲା ଦେବୀଙ୍କି ପାଶେ ପହଣ୍ଡ ମଣାଇ । ୬୦

 

ନବବସନ୍ତର ଯେତେ ଫୁଲ ମନୋହର

ତୋଳିଥିଲେ ଚୌରୀ ନିଜ କରେ ଯେ ସକଳ,

ପଲ୍ଲବ-ଖଣ୍ଡ ମଣ୍ଡିତ ସେହି ପୁଷ୍ପାବଳୀ

ଘେନି ବେନି ସଖୀ ଦେଲେ ଚରଣେ ଅଞ୍ଜଳି । ୬୧

 

ମସ୍ତକ ନୁଆଁଇ ଉମା ବୃଷଭବାହନେ

ପ୍ରଣାମ କରନ୍ତେ, ଖସି ପଡ଼ିଲା ତକ୍ଷଣେ

ସୁନୀଳ ଅଳକାମଧ୍ୟୁ ନବ କର୍ଣ୍ଣିକାର,

ବେନି ଶ୍ରବଣୁ ପଲ୍ଲବ-ଭୂଷା ସୁକୁମାର । ୬୨

 

ଭାଷିଲେ ଯା, ତଥ୍ୟ ତାହା ପରିତୋଷେ ଭବ

‘ଅଦ୍ୟ ନାରୀ-ଅନାସକ୍ତ ବର ତୁମ୍ଭେ ଲଭ’,

ମହତ ଜନେ ସୁମନେ କହନ୍ତି ଯେ କଥା,

ଏ ମହୀମଣ୍ଡଳେ କେବେ ନୁହଇ ଅନ୍ୟଥା । ୬୩

 

ବାଣ ବେଳ ଉଣ୍ଡି କାମ ହେଲା ହୃଷ୍ଟମନ,

ଅନଳ ଦେଖି ପତଙ୍ଗ ଯେହ୍ନେ ଛନଛନ,

ଉମାଙ୍କ ସାକ୍ଷାତେ ଲକ୍ଷ୍ୟ ରଖି ତ୍ରିଲୋଚନେ

ଧନୁରେ ବଢ଼ାଇ ଗୁଣ ଟାଣିଲା ସଘନେ । ୬୪

 

ବଢ଼ାଇ ଦେଲେ ପୁଷ୍କର ମାଳ ସେକାଳରେ

ରଙ୍ଗ କରେ ଧରି ଗୌରୀ ଯୋଗୀ ମହେଶ୍ୱରେ,

ମନ୍ଦାକିନୀ ବକ୍ଷେ ଫୁଟେ ଯେ ଚାରୁ ବାରିଜ

ରବିକର-ବିଶୋଷିତ ତାହାରି ଏ ବୀଜ ! ୬୫

 

ପ୍ରଣୟୀ ଜନର ପ୍ରିୟ ଥିବାରୁ ଶଙ୍କର

ନେବାପାଇଁ ସେହି ମାଳା ବଢ଼ାଇଲେ କର,

ସମ୍ମାହନ ନାମେ ବାଣ ରଖିଥିଲା ବାଛି,

ଧନୁରେ ବସାଇ କାମ ଏବେ ଦେଲା ଲାଛି । ୬୬

 

କିଞ୍ଚିତେ ସେ ଅସମ୍ଭାଳ ହୋଇଲେ ଶଙ୍କର,

ଚନ୍ଦ୍ରୋଦୟ କାଳେ ଯେହ୍ନେ ଉଛୁଳେ ସାଗର ।

ସ୍ନେହଭରେ ଅନାଇଲେ ସେ ତିନି ନୟନେ

ଚାରୁ-ବିମ୍ବାଧର ଗୌରୀ ବଦନକୁ କ୍ଷଣେ । ୬୭

 

ଗିରିଜା ଅଙ୍ଗେ ଅନଙ୍ଗ-ବିକାର ଉଇଁଲା

କଦମ୍ବକେଶର ପ୍ରାୟେ ରୋମ ଟାଙ୍କୁରିଲା,

ଲଜ୍ଜାରେ ଫେରାଇ ମୁଖ ଆହା କି ଛଇଳେ

ଆଡ଼ ନୟନରେ ଥରେ ଥରେ ଅନାଇଲେ ! ୬୮

 

ଜିତେନ୍ଦ୍ରିୟ ବୋଲି ସେହିକ୍ଷଣି ତ୍ରିଲୋଚନ

ଇନ୍ଦ୍ରିୟ ବିକାର ଆଗେ କରି ସଂବରଣ

ଚିତ୍ତ-ବିକୃତିର ହେତୁ ନିରେଖିବା ପାଇଁ

ସକଳ ଦିଗନ୍ତେ ଦୃଷ୍ଟି ଦେଲେ ସେ ପକାଇ । ୬୯

 

ଦେଖିଲେ ଅଦୂରେ ଉଭା କାମ ନତସ୍କନ୍ଧେ

ଦକ୍ଷିଣ ଅପାଙ୍ଗ ପାଶେ ରଖି ମୁଷ୍ଟିବନ୍ଧେ,

ସଙ୍କୋଚି ବାମ ଜାନୁକୁ ଚକ୍ରାକାର ଚାପେ

ଫୁଲବାଣ ଲାଛିବାକୁ ବସିଛି ପ୍ରତାପେ । ୭୦

 

ତପୋବିଘ୍ନ ଦେଖି ହର କୋପିଲେ ବିଶେଷେ,

କୁଟିଳ ଭ୍ରୁକୁଟି ଦେଖା ଦେଲା ମୁଖଦେଶେ,

ଚାହୁଁ ଚାହୁଁ ଅତର୍କିତେ ତୃତୀୟ ନୟନ

ଭେଦି ନିଃସରିଲା ଅଗ୍ନି ନୟନ-ଧର୍ଷଣ । ୭୧

 

‘ସଂହର ସଂହର ପ୍ରଭୋ ! କ୍ରୋଧକୁ ସଂହର’

ଯାବତ ଏ ଗିରି ଶୂନ୍ୟେ ସୁରଗଣଙ୍କର,

ସଞ୍ଚରି ଗଲା ତକ୍ଷଣେ ଭବନେତ୍ରୁ ଜାତ

ଜାତଦେବ ସେ ମଦନେ କଲା ଭସ୍ମସାତ । ୭୨

 

କହି ନୁହେଁ ରତିର ସେ ଦୁଃସହ ବେଦନା,

ହଜିଗଲା ବାହାଜ୍ଞାନ ବୁଡ଼ିଲା ଚେତନା,

ପତିର ମରଣ ତେଣୁ କ୍ଷଣେ ନ ଜାଣିଲା,

ସେ ମୂର୍ଚ୍ଛା ସତୀକୁ ବଡ଼ ହିତଟି ହୋଇଲା । ୭୩

ଭୀଷଣ ଅଶନିପାତେ ପାଦପେ ଯେସନ

ତପୋବିଘ୍ନକାରୀ କାମେ ବିନାଶି ବହନ,

ଚଳିଲେ ସେ ଭୂତପତି ଘେନି ଭୂତଗଣ

ଉଚିତ ବିଚାରି ନାରୀ-ସଙ୍ଗ ବରଜନ । ୭୪

ପିତାଙ୍କର ଅଭିଳାଷ ହୋଇଲା ବିଫଳ,

ଆପଣାର ସେ ଲଳିତ ବରାଙ୍ଗ ଆବର,

ବିଚାରି ମଉନେ ଗୌରୀ ଅତି ଦୁଃଖଭରେ

ସଖୀଙ୍କ ଆଗେ କି ଲାଜେ ବାହୁଡ଼ିଲେ ଘରେ । ୭୫

ରୁଦ୍ର, କୋପ ଦେଖି ତ୍ରାସେ ମୁଦିଲା ନୟନ,

ଆପଣା କନ୍ୟାକୁ ଜାଣି ଧରିଲେ ବହନ ।

ଭୁଜକୁ ପ୍ରସାରି ଗିରି-ରାଜ ଦୟାବନ୍ତ

ଦନ୍ତଲଗ୍ନ ନଳିନୀକି ଯେହ୍ନେ ଐରାବତ,

ଚାଲନ୍ତେ ବେଗରେ ରାଜମାର୍ଗେ ଦେଇ ପଦ

ବଢ଼ିଯାଏ କାୟା, ଯେହ୍ନେ ସେ ଗଜ ସମଦ । ୭୬

 

Unknown

ଚତୁର୍ଥ ସର୍ଗ

ଚେତି ଉଠିଲା ତହୁଁ ଚିର ମୂର୍ଚ୍ଛିତା

ପତିଶୋକେ ବିବଶା କାମବନିତା,

ନବ ବୈଧବ୍ୟ ଦଶା ଭୁଞ୍ଜିବା ପାଇଁ

ଦେଲା ବାମ ବିଧି ତାକୁ ଚେତାଇ ? ୧

ଉନ୍ମୀଳ ନେତ୍ର ବେନି ମୋହ ଅନ୍ତରେ

ନିହିଲା ବରାରୋହା ତହିଁ ଉପରେ,

ଅତୃପ୍ତ ନୟନରେ ନିରେଖି ସତୀ

ପତିକି ନ ଜାଣିଲା ଲୁପ୍ତ ମୂରତି । ୨

ସତେ କି ଜୀବିତେଶ, ଅଛି ଜୀବନେ

ବେଲି ଉଠିଲା ଭୋଳେ ରତି ସଘନେ,

ଦେଖିଲା ପୁଂସରୂପ ଅବନୀତଳ

ଶଙ୍କର-କୋପାଳନ-ଭସ୍ମ କେବଳ ! ୩

ଅତି ବିହ୍ୱଳେ ପୁଣି ଉଠି ସେ ଧନୀ

ମହୀରେ ଲୋଟି ଧୂଳିଧୂସରସ୍ତନୀ

କନ୍ଦାଇ ନିଜ ଦୁଃଖେ ବନସ୍ଥଳୀକି

କାନ୍ଦିଲା ମୁକୁଳିତ କୁନ୍ତଳା ନିକି ? ୪

 

ସରି ନାହିଁ ଯାହାକୁ ସୁନ୍ଦରପଣେ

ଦେବାକୁ ପଟାନ୍ତର ଏ ତ୍ରିଭୁବନେ,

ବିଳାସୀ ଜନଙ୍କର ଉପମା ସାର

ସେ ଅପଘନ ଆଜି ଭସ୍ମ ଅସାର !

ନ ଫାଟି ଯା ହୃଦୟ ରହିଛି ମୋର,

ଧିକ ନାରୀ ଜୀବନ ଏଡ଼େ କଠୋର ! ୫

 

କ୍ଷଣକେ ଛାଡ଼ି ନାଥ, ଚଳିଲ କାହିଁ

ପ୍ରେମ ବନ୍ଧନ ଡୋର ହେଳେ ଛିଣ୍ଡାଇ,

ନିରତେ ତବ ପ୍ରେମ ସଲିଳେ ବୁଡ଼ି

ଥିଲା ଏ ଦାସୀ, ବନ୍ଧ ଗଲେ ଭୁସୁଡ଼ି

ଜଳ ବିନା ପଲକେ ଯେହ୍ନେ ନଳିନୀ

ତେସନ ଆଜି ସିନା ଏ ଅଭାଗିନୀ ! ୬

 

କରିନାହିଁ ଅପ୍ରିୟ ମୋର ଏ ଭବେ,

କରି ନାହିଁ ଅପ୍ରିୟ କେବେ ମୁଁ ଲବେ,

ତେବେ ନ ଦିଅ କିମ୍ପା ଅକାରଣରେ

ରୁଦତୀ ଏ ରତିରେ ଦର୍ଶନ ଥରେ ? ୭

 

ସ୍ମରୁଛ କିବା ସ୍ମର ! ନାମ ସ୍ଖଳନ

କାଳରେ ମୋର ସେହି କାଞ୍ଚିବନ୍ଧନ ?

ଅଥବା ଫୁଲଶର ପଡ଼େ ମନରେ

ଯେ ପଦ୍ମ ଶୋଭା ପାଏ ଗଭା ଉପରେ,

ସେ ଧୂଳିଭରା ଫୁଲେ ଯେବେ ତାଡ଼ନ

କଲେ ପ୍ରେମରେ, ଡରେ ବୁଜ ନୟନ । ୮

 

‘ମୋ ହୃଦୟବାସିନୀ’ ବୋଲିଟି ଯାହା

ବଖାଣୁଥାଅ ମିଥ୍ୟା ଜାଣିଲି ତାହା,

ନୋହିଲେ ହୋଇଥାନ୍ତ ତୁମ୍ଭେ ଅନଙ୍ଗ,

ଅକ୍ଷତ ଥାନ୍ତା ରତି ନ ଯାଇ ସଙ୍ଗ ? ୯

 

କରିଛ ତୁମ୍ଭେ ନବ ସ୍ୱର୍ଗ ପ୍ରବାସ,

ଅନୁସରନ୍ତି ସୁଖେ ଅଛି କି ଆଶ !

ମାତ୍ର ଏ ଜନେ ସିନା ଭୁଞ୍ଜିବେ ଦୁଃଖ;

ତୁମ୍ଭ ଆୟତ୍ତ ଯେଣୁ ସବୁରି ସୁଖ । ୧୦

 

ଦୁର୍ଦ୍ଦିନ ରଜନୀରେ ଘୋର ଅନ୍ଧାରେ

ନ ଦିଶେ ପଥ ଯେବେ ପୁର ବାହାରେ,

ଘନ ଗର୍ଜନ ଶୁଣି ପୁରକାମିନୀ

 

ଡରିବେ ନାଥ, ଚଳ-ଭୁରୁଶାଳିନୀ,

ସେକାଳେ କିଏ ତାଙ୍କୁ ପ୍ରିୟଭବନ

ଭେଟାଇବାକୁ ତୁମ୍ଭ ବିନା ଭାଜନ ? ୧୧

 

ପଦ ପଦକେ ଯହିଁ ଘଟେ ସ୍ଖଳନ

ଅରୁଣ ନୟନରେ ଘନ ଘୂର୍ଣ୍ଣନ,

ଏବେ ସେ ପ୍ରମଦାଙ୍କ ମଦିରାମଦ

ହେବ କି ଆଉ ତୁମ୍ଭ ବିନା ସୁଖଦ ? ୧୨

 

ଜାଣିଲେ କଥାଶେଷ କାୟ ତୁମ୍ଭର

ମଣିବ ଉଦୟକୁ ରଜନୀ-କର

ଅକାରଣ ଏଣିକି, ଅମା ଅନ୍ତରେ

ତେଜିବ ତନୁତାକୁ ନିଶ୍ଚେ ଦୁଃଖରେ । ୧୩

 

କଳକୋକିଳ କୁହୂରବେ ସୂଚିତ

ହରିଣାରୁଣ ଚାରୁବୃନ୍ତ-ଶୋଭିତ

ନବଚୂତ ବକୁଳ ଏବେ ହେ ମାର,

ବୋଲାଇବ ଅମୋଘ ବାଣ କାହାର ? ୧୪

 

ବରଗି ଅଛ ଫୁଲଧନୁର ଗୁଣେ

ସରାଗେ ଯାହାଙ୍କୁ, ସେ ଏବେ କରୁଣେ

ଅଳିଏ ବିଳପନ୍ତି କେତେ ସଙ୍ଗତେ,

ପତିଶୋକେ ଆତୁରା ଦେଖିଣ ମତେ ! ୧୫

 

ଧରି ସେ ମନୋହର ରୂପକୁ ଥରେ

ମଣାଅ ପୁଣି ରିତିଦୂତୀ ପଦରେ

ସୁମଧୁରଭାଷିଣୀ ପକ୍ଷିଣୀ ମେଳେ

ପଣ୍ଡିତା ପରଭୃତବଧୂକୁ ହେଳେ ! ୧୬

 

ପାଦପତଳେ ଲଭି ଯେଉଁ ଆଶ୍ଳେଷେ

ମୋ ଅଙ୍ଗେ ଖେଳୁଥିଲା କମ୍ପ ବିଶେଷେ,

ଏକାନ୍ତେ କାନ୍ତ ! ସେହି ସୁରତ ଚିତ୍ତେ

ସୁମରି ଶାନ୍ତି ମୋର ନାହିଁ କିଞ୍ଚିତେ । ୧୭

 

ରତିପଣ୍ଡିତ ! ରଚିଥିଲା ଶ୍ରୀକରେ

ଯେ ଫୁଲଝରା କେତେ ଋତୁ ଫୁଲରେ

ଶୋହେ ମୋ ଦେହେ ଆଜି ତାହା ଅନଙ୍ଗ,

ମାତ୍ର ନ ଦିଶେ ତବ ସେ ଚାରୁ ଅଙ୍ଗ ! ୧୮

 

କରି ଦାରୁଣ ସୁର-ଗଣଙ୍କ କର୍ମ

ନ ସରୁଣୁ ଏ ବାମ ଚରଣେ ମମ

ଅରୁଣ ଲାକ୍ଷାକମ ଗଲ ପଳାଇ,

ସାରିବାକୁ ତା ବାରେ ଆସ ମୋଠାଇଁ । ୧୯

 

ପତଙ୍ଗ ପଦବୀକି ମୁଁ ଅନୁସରି

ଆଶ୍ରିବି ନାଥ ! ପୁଣି ଅଙ୍କ ତୁମ୍ଭରି,

ନ ଭୁଲିଛି ଯାବତ ବିଳାସରଙ୍ଗେ

ଚତୁରୀ ସୁରନାରୀଗଣଙ୍କ ସଙ୍ଗେ । ୨୦

 

ହେବି ଯଦି ବା ତୁମ୍ଭ ସଙ୍ଗିନୀ ଏବେ,

ଯିବ କି ଅପବାଦ ତହିଁରେ କେବେ ?

ରହିବ ତ ଅକୀର୍ତ୍ତି ‘‘ମର୍ତ୍ତ୍ୟରେ ରତି

ମଦନ ବିନା କ୍ଷଣେ ଥିଲା ବରତି !’’ ୨୧

 

କେମନ୍ତେ କରିବି ଏ ସ୍ୱର୍ଗ ଗମନ-

କାଳେ ତୁମ୍ଭର ନାଥ, ଅନ୍ତ୍ୟମଣ୍ଡନ ।

ଏକାବେଳେକେ ପ୍ରାଣ ସହିତେ ଅଙ୍ଗ

ଭଜିଲା ତ ସମାନ ଦଶା ଅନଙ୍ଗ । ୨୨

 

ଯୋଖି ସଳଖେ ଶର ଫୁଲଧନୁରେ

ଉତ୍ସଙ୍ଗେ ନିହି କହ ଯେବେ ମଧୁରେ

ପ୍ରିୟବନ୍ଧୁ ମଧୁକୁ ଆଡ଼ନୟନେ,

ସେହି ଚାହାଣି ଆଜି ପଡ଼େ ତ ମନେ ୨୩

 

କାହିଁ ଆଜି ସେ ପ୍ରିୟବନ୍ଧୁ ମାଧବ,

ଫୁଲେ ଯେ ରଚୁଥିଲା ଧନୁକୁ ତବ ?

କପର୍ଦିକୋପାନଳେ ସେ ପୁଣ ସଙ୍ଗେ

ଭଜି ତ ନାହିଁ ବନ୍ଧୁ-ଦଶାକୁ ଅଙ୍ଗେ ? ୨୪

 

ଶୋକାତୁରା ରତିର ବିଳାପବାଣୀ

ବାଣବିଦ୍ଧ ପରାୟେ ହୋଇଲା ଜାଣି,

ଆଶ୍ୱାସିବାକୁ ତହିଁ ଆସି ସତ୍ୱରେ

ଦେଖା ଦେଲା ବସନ୍ତ ସଖୀ ଆଗରେ । ୨୫

 

ଦେଖି ଋତୁପତିକି ଅତି ଆତୁରେ

କେଳତି ବିଳପିଲା କଚାଡ଼ି ଉରେ,

ଅନାଇଲେ ଅଗ୍ରତେ ସ୍ୱଜନ-ମୁଖ

ଉଛୁଳି ଉଠେ ହୃଦ ବିଦାରି ଦୁଃଖ । ୨୬

 

ଭାଷିଲା ଅତି ଦୁଃଖେ ଦୁଃଖିତା ରତି,

ଦେଖ ଦେଖ ବସନ୍ତ ! ସଖାଙ୍କ ଗତି,

ଖେଳିଯାଏ ପବନେ ଭସ୍ମନିକର

କପୋତ ତନୁ ଭଳି କେହ୍ନେ ଧୂସର ! ୨୭

 

ଏବେହେଁ ଦିଅ ଥରେ ଦର୍ଶନ ସ୍ମର !

ଉତ୍ସୁକ ଛନ୍ତି ପରା ବନ୍ଧୁ ତୁମ୍ଭର ?

ସ୍ତ୍ରୀଜନେ ଚଳ ସିନା ପୁରୁଷ ପ୍ରତି,

ଅଚଳ ବନ୍ଧଜନେ ଅଛି ୟା ରୀତି ! ୨୮

 

ସୁରାସୁରଲୋକରେ ଯେହୁ ସକଳେ

ମନାଇଛି ଆଜ୍ଞାକୁ ତବ କୌଶଳେ

ମୃଣାଳ ଗୁଣ, ଫୁଲ, ଶର! ଧନୁର;

ସେ ସଖା ମଧୁ ଆଜି ଉଭା ଛାମୁର । ୨୯

 

ବାତ-ଆହତ ଦୀପ ପରାୟେ ଯାଇ

ଆଉ ତ ନ ଫେରନ୍ତି ମୋ ବନ୍ଧୁ କାହିଁ ?

ମୁଁ ଏବେ ଭଜୁଅଛି ଦୁଃଖେ ବିବଶା

ଧୂମାୟ ତ ସେ ଦୀପ ଦଶିର ଦଶା ! ୩୦

 

ମାରି ମରକୁ ପୁଣି ରଖି ଏ ଜୀବ

କରିଲା ଦରମରା ସିନା ଦଇବ !

ଆଶ୍ରୟ-ପାଦପକୁ ଭାଙ୍ଗିଲେ କରୀ

ଲୋଟେ ନାହିଁ କି ତଳେ ତାର ବଲ୍ଲରୀ ? ୩୧

 

କର ବସନ୍ତ ଏଥୁଅନ୍ତେ ଏତିକି,

ବାନ୍ଧବ ବୋଲି କରେ ଏ ବିନତିକି !

କରେ ମୁଠିଏ ଅଗ୍ନି ଦିଅ ରତିକି,

ଦୁଃଖରୁ ତରୁ ଯାଇ ପତି କତିକି । ୩୨

 

ଶଶି ସଙ୍ଗତେ ମିଶି କୌମୁଦୀଯାଏ,

ମେଘ ଗଲେ କି ଆଉ ବିଦ୍ୟୁତ ଥାଏ ?

ନିରତେ ପତି-ଅନୁଗତା ଅଙ୍ଗନା,

ଚେତାଏ ଏହା, ଯାର ନାହିଁ ଚେତନା ! ୩୩

 

ଅଗ୍ରତେ ଶୋହେ ଏହି ଭସ୍ମ ପତିର,

ମଣ୍ଡି ଏଥିରେ ଆଜି ମୋର ଶରୀର

ରଚିବ ନବଶଯ୍ୟା ବିଭାବସୁରେ

ଯେହ୍ନେ କୋମଳ ନବପଲ୍ଲବ ଫୁଲେ ! ୩୪

 

ଫୁଲ-ଶୟନ ରଚି ବହୁତ ଥର

କରିଛି ମିତ୍ର ! ତୁମ୍ଭେ ହିତ ଆମ୍ଭର,

କର ଯୋଡ଼ି ସମ୍ପ୍ରତ୍ତି ଜଣାଏ ରତି,

ରଚ ଏ ନବଚିତା-ଶଯ୍ୟା ଝଟତି । ୩୫

 

ତହୁଁ ଦକ୍ଷିଣ ବାତ ବ୍ୟଜନ ଧରି

ତାହା ସେ ହବ୍ୟବାହ କରୁଣା କରି,

କ୍ଷଣେହେଁ ନ ଜାଣନ୍ତି ସୁଖ ତ ଜାଣ

ରତି ବିନା ମଦନ ହେ ଋତୁରାଣ ! ୩୬

 

ସମ୍ପାଦି ଏ ବିଧିକି ଦେବ ତେଣିକି

ଜଳରୁ ଅଞ୍ଜଳିଏ ବନ୍ଧୁ ବେନିଙ୍କି,

ପିଇବେ ପରଲୋକ ମୋହ ସଙ୍ଗର

ବିଭାଗ ନ କରି ତା ବନ୍ଧୁ ତୁମ୍ଭର । ୩୭

 

ଲୋଳ ପଲ୍ଲବ ସଙ୍ଗେ ପବନେ ଥରି

ଦୋହଲଇ ଯେ ନବ ଚୂତମଞ୍ଜରୀ,

ତାହାକୁ ପିଣ୍ଡ ଦିଅ ବନ୍ଧୁ ଉଦ୍ଦେଶେ,

ଜାଣ ତ ତାଙ୍କ ଶ୍ରଦ୍ଧା ତହିଁ ବିଶେଷେ ! ୩୮

 

ବସନ୍ତେ ତହୁଁ ରତି ଦେବାକୁ ଝାସ

ଲଭିଲା ଦେବବାଣୀ ଶୁଣି ଆଶ୍ୱାସ,

ନିର୍ଜଳ ସରେ ଜଳରଙ୍କ ଶଫରୀ

ନବବରଷା ବାରି ପାଇଲା ପରି । ୩୯

 

‘‘ଫୁଲଶର ଘରଣି ! ଧର ଧୃତିକି,

ଲଭିବ ଅବିଳମ୍ବେ ତୁମ୍ଭେ ପତିକି,

ଶୁଣ, ହୋଇଲେ ଯେଣୁ ଶମ୍ବର-ଅରି

ହର ନେତ୍ର-ବହ୍ନିରେ ପତଙ୍ଗ ସରି । ୪୦

 

ଆପଣେ ପ୍ରଜାପତି କାମବିକାରେ

ବଳାଇଥିଲେ ମତି ନିଜ ସୁତାରେ,

ସଙ୍କୋଚି ବିକାର ସେ ବିହିଲେ ଶାପ,

ଏବେ ତା ଫଳ ଭୁଞ୍ଜେ କୁସୁମଚାପ । ୪୧

 

ତପରେ ପରିତୃପ୍ତ ହର ଯେକାଳେ

ରମିବେ ପାର୍ବତୀରେ ସୁଖେ, ସେକାଳେ

ଉଲ୍ଲାସଭର ହୋଇ ଆପଣା ତନୁ

ଅର୍ପିବେ ଅତନୁକୁ ବଳେ ସୁତନୁ ! ୪୨

 

( ଭାଷିଲେ ସ୍ମରଶାପ ଶେଷ, ଏସନ

ସେ କୋପୀ ବ୍ରହ୍ମା ହୋଇ ଦୟାପ୍ରବଣ,

ବଜ୍ର ଅମୃତ ବେନି ଥାନ୍ତି ଏକରେ

ସେ ଜଳଧରେ ଅବା ବଶୀ ଜନରେ । ) ୪୩

 

‘‘ରଖ ଏ ଅପଘନ ଏବେ ସୁନ୍ଦରି !

ଭାବୀ ପ୍ରିୟସଙ୍ଗମ ହୃଦରେ ଧରି,

ନିଦାଘ ଅପଗମେ ଶୁଷ୍କ ସରିତ,

ଜାଣ ତରଙ୍ଗେ ପୁଣି ହୁଏ ମିଳିତ ।’’ ୪୪

 

ଆକାଶେ ଥାଇ କିଏ ଏମନ୍ତ ଭାଷି

ନିବାରିଲା ମରଣୁ ରତିକି ଆସି,

ସ୍ମରବନ୍ଧୁ ବସନ୍ତ ବିଶ୍ୱାସ ବହି

ଆଶ୍ୱାସିଲା ସଖୀକି ଭବିଷ୍ୟ କହି । ୪୫

 

ପତି ଶୋକ-ବିଧୁରା ସ୍ମର ଯୁବତୀ,

ରହିଲା ଶାପାନ୍ତକୁ ତକାଇ ସତୀ,

ପାଣ୍ଡୁର ଶଶିକଳା ଯେହ୍ନେ ଦିବସେ

ପ୍ରଦୋଷ ଆଗମକୁ ଅନାଇ ବସେ । ୪୬

 

ପଞ୍ଚମ ସର୍ଗ

ସମ୍ମୁଖେ ଏମନ୍ତେ ଦେଖି ମଦନ-ଦହନ

ଶିବ ଆଶା ମୂର୍ଚ୍ଛି ମନୁ ପାର୍ବତୀ ବହନ

ଅନ୍ତରେ ଆପଣା ରୂପ ନିନ୍ଦିଲେ କେବଳ,

ପତି ସଉଭାଗ୍ୟ ସିନା ସ୍ୱରୂପର ଫଳ ? ୧

ଇଚ୍ଛିଲେ ସୁନ୍ଦରୀ ତେଣୁ ତପସ୍ୟାସାଧନେ

କରିବାକୁ ନିଜ ରୂପ ସଫଳ ଭୁବନେ,

ନୋହିଲେ କାହୁଁ ବା ବେନି ମିଳିବ ସୁସାର-

ତଥାବିଧ ପତି ଆଉ ପ୍ରୀତି ସେପ୍ରକାର ? ୨

ଶୁଣିଲେ ଯେକାଳ ମେନାଦେବୀ ଏ ବାରତା,

ଶିବ ଆଶେ ସୁତା ପୁଣି ତପେ ସମୁଦ୍ୟତା !

ଭାଷିଲେ ଏସନ ବକ୍ଷେ ଆଲିଙ୍ଗି ନିର୍ଭରେ

ମୁନିବ୍ରତୁ ନିବର୍ତ୍ତିବା ଆଶେ ସ୍ନେହଭରେ । ୩

ଅଭୀଷ୍ଟ ଦେବତା କେତେ ଅଛନ୍ତି ମା ଘରେ,

କାହିଁ ତପ, ସହିବୁ ତା ଏ ତୋର ଦେହରେ !

କୋମଳଶିରୀଷ ଫୁଲ ସିନା ମଧୁପର

ସହେ ପଦଭର, ସହେ କି ସେ ବିହଗର ? ୪

 

ଯେତେ ଉପଦେଶ ଦେଲେ ତହିଁ ମେନା ସତୀ

ବାରି ନ ପାରିଲେ ବ୍ରତ ଉଦ୍ୟମୁ ପାର୍ବତୀ,

ଫେରାଇ ପାରିବ କିଏ କହ ଏ ଭୁବନେ

ନିମ୍ନଗାମୀ ସ୍ରୋତ ଅବା ବ୍ରତନିଷ୍ଠମନେ ? ୫

 

ଦିନେ ସଖୀ ମୁଖେ ସତୀ ବ୍ରତପରାୟଣା

ଜଣାଇଣ ପିତୃଦେବ ଆପଣା ବାସନା

ମାଗିଲେ ଅରଣ୍ୟବାସ ସେ ଆପଣାଛାଏ

ସାଧିବାକୁ ତପବିଧି ଫଳସିଦ୍ଧିଯାଏ । ୬

 

ଅନରୂପ ନିଷ୍ଠା ଦେଖି ପରିତୋଷେ ତହୁଁ

ଦେଲେ ତପେ ଅନୁମତି ଗିରିରାଜ ଯହୁଁ,

ଚଳିଲେ ଗୌରୀ ଶିଖଣ୍ଡି-ମଣ୍ଡିତ ଶିଖରେ,

ପଶ୍ଚାତେ ଲଭିଲା ଖ୍ୟାତି ଯା ତାଙ୍କ ନାମରେ । ୭

 

ଲାଖି ରହେ ଯହିଁ ବକ୍ଷେ ଲପନ୍ତେ ଚନ୍ଦନ

ଉତାରି ସେ ମୁକ୍ତାହାର ସୁବ୍ରତା ବହନ

ବାଳାରୁଣ ସମ ପୁଣ ପିଙ୍ଗଳ ବଳ୍‌କଳେ

ଉନ୍ନତ ଉରଜେ ଦଳି ଲମ୍ବାଇଲେ ଗଳେ । ୮

 

ସେ ଚାରୁଚିକୁରେ ପୂର୍ବେ ମଧୁର ଯେସନ,

ଏବେ ଜଟାଜୂଟେ ମୁଖ ଦିଶଇ ତେସନ ।

କେବଳ ଅଳିପନ୍ତିରେ ନ ଶୋହେ କମଳ,

ଶଇବାଳ ସ୍ତରେ ମଧ୍ୟ ଦିଶଇ ବିମଳ । ୯

 

କ୍ଷଣ କ୍ଷଣ ତ୍ରିଗୁଣିତ ମୂଞ୍ଜ ମେଖଳରେ

ବନ୍ଧନ କରନ୍ତେ କଟି ରୋମାଞ୍ଚ ସଞ୍ଚରେ,

ସେ ବନ୍ଧନ ସୁକୁମାର କାଞ୍ଚିଗୁଣ ସ୍ଥାନ

ଦିଶେ କି ରକ୍ତିମାମୟ ସୁଷମା-ନିଧାନ । ୧୦

 

ଅଧର ରଞ୍ଜନୁ ଏବେ ହୋଇ ନିବର୍ତ୍ତିତ

ସ୍ତନରାଗେ ଅରୁଣିତ କନ୍ଦୁକୁ ବଞ୍ଚିତ

କୁଶାଙ୍କୁର ଛେଦନରେ ବିକ୍ଷତ ସେ କର

ହେଲା ଏବେ ବ୍ରତେ ଅକ୍ଷ-ମାଳାସହଚର । ୧୧

 

ଢାଳିଲେ ଯେ ଅଙ୍ଗ ଦିନେ କୋମଳ ଶୟନେ

କେଶଚ୍ୟୁତ ଫୁଲେ କ୍ଳେଶ ମଣୁଥିଲେ ମନେ,

କେବଳ ଧୂଳି-ଶୟନେ ସେ ଏବେ ଶୟାନ

ସୁକୁମାର ବାହୁଳତା କରି ଉପାଧାନ । ୧୨

 

ବ୍ରତ ଅନ୍ତେ ବ୍ରତଶୀଳା ଯିବେ ପୁଣି ଘେନି,

ଏହି ଆଶେ ବେନିରେ କି ସମର୍ପିଲେ ବେନି ?

ସୁକୁମାରୀ ଲତିକାରେ ସେ ଲଳିତ ଠାଣି,

ହରିଣଅଙ୍ଗନାଠାରେ ତରଳ ଚାହାଣି । ୧୩

 

ଘଟ-ସ୍ୱନ-ନିସ୍ୟନ୍ଦିତ ଜଳେ ନିରଳସା

ବଢ଼ାଇଲେ ବାଳତରୁ ହୋଇ ସ୍ନେହବଶା,

ସେ ଆଦ୍ୟ ସନ୍ତାନେ ଯାହା ବାତ୍ସଲ୍ୟ କରୁଣା

ସ୍ୱୟଂ କୁମାର କି କରିପାରିବେ ତା ଉଣା ? ୧୪

 

ନୀବାର ଅଞ୍ଜଳି ଦାନେ ଲାଳିତା ଯତନେ

ତେଣୁ ସିନା ମଣିଥାନ୍ତି ଏଣୀଏ ତେସନେ ?

ଯେଣୁ ତାଙ୍କରି ନୟନେ ବାଳା କୁତହଳେ

ସଖୀଙ୍କ ପୁରତେ ବେନି ନୟନକୁ କଲେ ? ୧୫

 

ନିତ୍ୟ ସ୍ନାନଶୀଳା ସେହି ବଳ୍‌କଳଭୂଷଣା

ଆରମ୍ଭନ୍ତେ ସ୍ତୁତି ଜପ-ହୋମପରାୟଣା

ଆସିଲେ ବୃଦ୍ଧ ତାପସେ ଦର୍ଶନ ଲାଳସେ,

ଧର୍ମବୃଦ୍ଧେ କେବେ କେହି ଧରେ କି ବୟସେ ? ୧୬

 

ବରଜିଲେ ଚିର ବୈର ଯହିଁ ଜନ୍ତୁମାନେ

ପୂଜିଲେ ଅତିଥି ଦ୍ରୁମେ ଇଷ୍ଟଫଳ ଦାନେ,

ପ୍ରତି ନବପର୍ଣ୍ଣଶାଳେ ଜଳେ ହୁତାଶନ,

ଆହା କିବା ପାବନ ସେ ହେଲା ତପୋବନ । ୧୭

 

ଜାଣିଲେ ଯେକାଳେ ଦେବୀ, ପୂର୍ବତପୋବଳେ,

ନୋହିଲା ବାଞ୍ଛିତ ଲାଭ, ତେଣୁ ଏବେ ବଳେ

ନ ଗଣି ଆପଣା ତନୁ ସୁକୁମାରପଣ,

ଉଗ୍ର ତପ ଆଚରଣେ ବଳାଇଲେ ମନ । ୧୮

 

କନ୍ଦୁକଖେଳରେ ଯେହୁ ଭଜୁଥିଲେ ବ୍ୟଥା,

ସେ ଏବେ ଦୁଷ୍କର ମୁନି-ବ୍ରତକୁ ସମର୍ଥା !

ନିଶ୍ଚୟେ ସେ ତନୁ ହେମ-ପଦ୍ମେ ଗଢ଼ା ଜାଣ,

ସହଜେ କୋମଳ ତେଣୁ, ପୁଣି ମଜ୍ଜା-ଟାଣ ! ୧୯

 

ଗ୍ରୀଷ୍ମେ ଶୁଦ୍ଧ ସ୍ମିତଶୀଳା ସୁମଧ୍ୟମା ଦୀନା

ଚତୁର୍ଦ୍ଧା ଜ୍ୱଳନ୍ତ ବହ୍ନି ମଧ୍ୟେ ସମାସୀନା,

ଜିଣି ସେ ତପନ ପ୍ରଭା ନୟନଧର୍ଷଣ

ସ୍ଥିରନେତ୍ରେ ସବିତାଙ୍କୁ କରନ୍ତି ଈକ୍ଷଣ । ୨୦

 

ସେ ଖର କିରଣେ ତପ୍ତ ହେଲେହେଁ ବଦନ

ପ୍ରଫୁଲ୍ଲ କମଳ ଶିରୀ କଲାକ ଧାରଣ,

କେବଳ କାଳିମା ଲମ୍ବ କଟାକ୍ଷ-ରେଖାର

କରୁଥିଲା ଧୀରେ ଧୀରେ ସେଥିରେ ସଞ୍ଚାର । ୨୧

 

ଅଯାଚିତଭାବେ ମିଳେ ଯେ ପ୍ରମାଣେ ଜଳ

ଅବା ସୁଧାଂଶୁ ବିଧୁର ସୁଧାମୟ କର,

ତେତିକିରେ ହୁଏ ତାଙ୍କ ପାରଣା ବିଧାନ,

ବୃକ୍ଷ ବୃତ୍ତି ଭିନ୍ନ ଗତି ନ ଥିଲାକ ଆନ । ୨୨

 

ହେଲେହେ ତାପିତ ନାନାବିଧ ହୁତାଶନେ

ଇନ୍ଧନଜ ଦହନେ ବା ଖେଚର ତପନେ,

ନବବାରିସେକେ ସିକ୍ତ ହୋଇ ବର୍ଷାକାଳେ

ଧରା ସଙ୍ଗେ ତପ୍ତଶ୍ୱାସ ମୁଞ୍ଚିଲେ ସେ ଢାଳେ । ୨୩

 

ପକ୍ଷ୍ମେ ରହି କ୍ଷଣେ ନେତ୍ରୁ ବିନ୍ଦୁ ବିନ୍ଦୁ ଜଳ

ପଡ଼େ ପୟୋଧରେ ଆଗେ ପରଶି ଅଧର,

ଛିଡ଼ିକି ତହୁଁ ତ୍ରିବଳି-ସୋପାନେ ଖସରି

ପ୍ରବେଶଇ ବହୁକ୍ଷଣ ପରେ ନାଭିଦରୀ । ୨୪

 

କିବା ନିରନ୍ତର ବର୍ଷା କି ଶୀତ ଝଟିକା

ଗୃହ ତେଜି ଶିଳାତଳ-ଶାୟିନୀ ଅମ୍ବିକା,

ବିଦ୍ୟୁନ୍ମୟ ବିଲୋକନେ ସତେ କି ଦେଖନ୍ତି

ତପସ୍ୟାସାକ୍ଷିଣୀରୂପେ ଏ ଯାମିନୀତତି ? ୨୫

 

କାକରେ କାତର ହୋଇ ସ୍ଥଳେ ବେନି କୂଳେ

ବିରହୀ କୋକଦମ୍ପତୀ ଡାକନ୍ତି ବ୍ୟାକୁଳେ,

ହୋଇଣ ସେ ଦୟାବତୀ ତାଙ୍କ ଦୁଃଖେ ସାଥୀ

କଟାଇଲେ ପୁଷମାସେ-ହିମ ଶୀତରାତି । ୨୬

 

ନିଶାର ତୁଷାରପାତେ ଯେବେ ପଦ୍ମଧନ

ହରାଇ ବସଇ ଜଳ, ତହିଁ କି ପୂରଣ

କଲେ ଉମା ପଦ୍ମଗନ୍ଧ ମୁଖେ ପଦ୍ମ ସ୍ଥାନ ?

କମ୍ପିତ ଅଧର ଯହିଁ ତା ପତ୍ର ସମାନ । ୨୭

 

ଚୂତତରୁ ପର୍ଣ୍ଣେ କରି ଜୀବନ ଧାରଣ

ତପେ ପରାକାଷ୍ଠା ଧନୀ କଲେ ପ୍ରଦର୍ଶନ,

ପର୍ଣ୍ଣ ପୁଣି ହେଲା ତ୍ୟକ୍ତ ଶେଷେ, ସେ କାରଣେ

ଅପର୍ଣ୍ଣା ବୋଇଲେ ତାଙ୍କୁ ପୌରାଣିକଗଣେ । ୨୮

 

ଏମନ୍ତ ସେ ବ୍ରତେ ବାଳା ଦିବସ ଶର୍ବରୀ

ମୃଣାଳକୋମଳ ତନୁ କୃଶତର କରି

ଅର୍ଜିଲେ ଯେ ତପ, ତାକୁ ସରି ହେଲା ନାହିଁ

କଠିନ ଦେହେ ତାପସେ ଥିଲେ ଯା ଭିଆଇ ! ୧୯

 

ଏଥୁଅନ୍ତେ ପ୍ରବେଶିଲେ ସେହି ତପୋବନେ

ମୂର୍ତ୍ତିମନ୍ତ ବ୍ରହ୍ମଚର୍ଯ୍ୟ ଜଟାଧର ଜଣେ,

କରେ ପଲାଶର ଦଣ୍ଡ, କଟିରେ ଅଜିନ,

ବ୍ରହ୍ମତେଜେ ମହାତୋରା, ବଚନେ ପ୍ରବୀଣ । ୩୦

 

ପାଛୋଟି ଆଣିଲେ ତାଙ୍କୁ ଦୂରୁଁ ବହୁମାନେ

ଅତିଥିବତ୍ସଳା ଗୌରୀ ପୂଜାର ବିଧାନେ,

ଥିଲେ ସମଦୃଷ୍ଟି ସର୍ବଜନେ ସାଧୁଙ୍କର,

ବ୍ୟକ୍ତିବିଶେଷରେ ହୁଏ ଅଧିକେ ଆଦର । ୩୧

 

ଯଥାବିଧିପୂଜା ତହୁଁ ଘେନି ମୁନିବର

କ୍ଷଣବିଶ୍ରାମରେ ଶାନ୍ତି କଲେକ ଅନ୍ତର,

ସରଳନୟନେ ଉମା-ବଦନେ ଅନାଇ

ଆରମ୍ଭିଲେ ଏ ବଚନ କ୍ରମ-ଅନୁଯାୟୀ । ୩୨

 

ସୁଲଭ ତ ଦେବି ! ଏଥି ସ୍ନାନଯୋଗ୍ୟ ଜଳ ?

ହୋମର ସାଧନ କୁଶ ସମିଧ ଆବର ?

ସ୍ୱଶକ୍ତିକି ଦେଖି ବ୍ରତ କରୁଛଟି ଚିର ?

ଧର୍ମର ଆଦ୍ୟ ସାଧନ ପରା ଏ ଶରୀର ? ୩୩

 

ତବ କରବାରିସେକେ ଆଜି ଏ ବଲ୍ଲରୀ

ହସଇ କି ନବରାଗେ କିଶଳୟ ଧରି !

ପଟାନ୍ତର ସେ ଅଧର ସଙ୍ଗକୁ ତୁମ୍ଭର

ଚିରଦିନୁ ଲାକ୍ଷାରସ ତେଜି ଯା ପାଟଳ ! ୩୪

 

କରୁ କୁଶରାଶି ସ୍ନେହେ କରନ୍ତି ହରଣ

ଏ ଯେଉଁ ହରିଣେ, ତହିଁ ପ୍ରସନ୍ନ କି ମନ ?

ରାଜୀବନୟନି ! ଯେହୁ ତରଳ ଲୋଚନେ

ତୁମ୍ଭରି ନୟନଠାଣି ଦେଖାନ୍ତି ଏ ବନେ ! ୩୫

 

ନୁହଇ କଦାପି ରୂପ ପାପର କାରଣ

କହନ୍ତି ପାର୍ବତି ! ଯାହା ତଥ୍ୟ ସେ ବଚନ,

ଅୟି ରୂପବତି ! ତବ ଏ ଶୀଳ ଉଦାର

ମୁନିଜନଙ୍କର ବୃତ୍ତି କରିବ ସଂସ୍କାର ! ୩୬

 

ସପ୍ତର୍ଷିବିକ୍ଷିପ୍ତ ପୂଜାଫୁଲେ ମନୋହର

ସ୍ୱର୍ଗଚ୍ୟୁତ ଗଙ୍ଗାଜଳେ ଏହି ମହୀଧର

ନୁହନ୍ତି ପବିତ୍ର ତେତେ, ଯେସନ ତୁମ୍ଭର

ଅନାବିଳ ଏ ଚରିତେ ସଂବଶେ ନିର୍ମଳ ! ୩୭

 

ବିଶେଷ ଭାବିନି ! ତବ ଦେଖି ଏ ଆଚାର

ମଣଇଁ ଧର୍ମକୁ ଆଜି ତ୍ରିବର୍ଗରେ ସାର,

ଯେଣୁ ଅର୍ଥ କାମ ବେନି ଦୂର କରି ମନୁ

ଏକା ଏ ଧର୍ମକୁ ଆଶ୍ରା କରିଛ ସୁତନୁ ! ୩୮

 

କରିଛ ବିଶେଷେ ଆଜି ମୋର ଅଭ୍ୟର୍ଥନା,

ତେଣୁ ପର ବୋଲି ମୋତେ ନ କର ଗଣନା,

ନତାଙ୍ଗି ! ସଜ୍ଜନ ସଙ୍ଗେ ଘଟେ ଆତ୍ମୀୟତା

ସାତପଦ କଥାରେ, ୟା ଜ୍ଞାନୀଙ୍କର ପ୍ରଥା ! ୩୯

 

ଏଣୁ ତପସ୍ୱିନି ! କିଛି ତବ ସନ୍ନିଧାନେ

ଦ୍ୱିଜୋଚିତ ଚପଳତା ପ୍ରକାଶିଏ ସ୍ଥାନେ

ପୁଛିବାକୁ ଇଚ୍ଛେ ଏହି ଜନ କ୍ଷମାନ୍ୱିତେ !

ନୋହିଲେ ଗୁପତ ତାହା, ଭାଷିବ ସୁଚିତ୍ତେ । ୪୦

 

ଆଦ୍ୟ ପ୍ରଜାପତି ବଂଶେ ଜନମ ଶୋଭନେ

ତ୍ରିଭୁବନ ଶୋଭା କିବା ରୁଣ୍ଡ ଅପଘନେ !

ବିପୁଳ ଐଶ୍ୱର୍ଯ୍ୟ ତବ, ଖୋଜିବାକୁ ନାହିଁ,

ଏ ନବଯୌବନେ କହ ତପସ୍ୟା କିପାଇଁ ? ୪୧

 

ଦୁଃସହ ଗଞ୍ଜନା ସହି କେହି ମନସ୍ୱିନୀ,

ହୋଇଥାନ୍ତି ଅବା କେବେ ଭବେ ସନ୍ନ୍ୟାସିନୀ,

ଆଲୋଚନା କରି ମନେ ଏବେ କୃଶୋଦରି !

ନ ଦେଖଇଁ ତୁମ୍ଭଠାରେ ଲବେ ତ ସେପରି ? ୪୨

 

ନୁହଇ ଏ ତନୁ ଦୁଃଖଧିକକାର-ଭାଜନ,

ପିତୃଗୃହେ ଅସମ୍ଭବ ଅବଜ୍ଞା ବଚନ,

ପର ହାତେ ପରାଭବ ନାହିଁ ତ ତୁମ୍ଭର !

ଫଣିଶିରେ ମଣିପାଇଁ କେ ବା ଦେବ କର ? ୪୩

 

ଏ ନବଯୌବନେ କାଢ଼ି ସର୍ବ ଆଭରଣ

କଲ ବାର୍ଦ୍ଧକ୍ୟର ଭୂଷା ବଳ୍‌କଳ ଧାରଣ,

ପ୍ରଦୋଷେ ଶଶି ତାରକେ ଶୋହେ ଯେ ଶର୍ବରୀ,

କହ କେବେ ଅରୁଣକୁ ଯିବ ସେ ଆଦରି ? ୪୪

 

ବାଞ୍ଛ ଯଦି ଦେବଲୋକେ ବୃଥା ଶ୍ରମ ଜାଣି,

ଯେଣୁ ଏ ପିତୃଭବନ ଦେବଙ୍କ ଆସ୍ଥାନ,

ଅବା ଯଦି ଇଚ୍ଛା ବରେ, ତପସ୍ୟା କିପାଇଁ ?

ରତ୍ନସିନା ପଡ଼େ ଖୋଜା, ସେତ ଖୋଜେ ନାହିଁ ! ୪୫

 

ଏ ଉଷ୍ଣ ନିଶ୍ୱାସୁ ଜଣା ଯାଉଛି ତା ମତେ,

ତଥାପି ସନ୍ଦେହୀ ମନ ନ ଯାଏ ପରତେ,

ପ୍ରାର୍ଥନାର ଯୋଗ୍ୟ କିଛି ନ ଦେଖଇଁ ତବ,

ପ୍ରାର୍ଥିତ ଯେ, ସେ ବା କିପାଁ ହୋଇବ ଦୁର୍ଲଭ ? ୪୬

 

ଯେ କପୋଳେ ଶୋହୁଥିଲା ଚାରୁ କର୍ଣ୍ଣୋତ୍ପଳ

ଚିରଦିନୁ ଗଲାଣି ତା, ଲମ୍ବିଛି କେବଳ

ପକଶାଳ ଶିଂଷା ପରି ଏ ଜଟା ପିଙ୍ଗଳ

କେ ଏଡ଼େ କଠୋର ଯୁବା ଅଛି ଏ ଜଗତେ,

ଏହାକୁ ଉପେକ୍ଷା କରେ ଦେଖି ନେତ୍ରପଥେ ? ୪୭

 

ଜାଣିଲି ବଞ୍ଚିତ ନିଶ୍ଚେ ରୂପର ଗରବେ

ତୁମ୍ଭର ସେ ବର, ଯେହୁ ନ କରଇ ଭବେ

ଆପଣାର ବଦନକୁ ଲକ୍ଷ୍ୟସ୍ଥଳ ଚିର

ଛନ ଛନ ଆଡ଼-ପତ୍ର ଏ ନେତ୍ର ବେନିର ! ୪୮

 

କେତେ କାଳ ଆଉ ଗୋରି ! ସହିବ କଷଣ

ବ୍ରହ୍ମଚର୍ଯ୍ୟେ, ମୋର ମଧ୍ୟ ଅଛି ତପ-ଧନ,

ତାର ଅର୍ଦ୍ଧକରେ ଲଭ ତୁମ୍ଭେ ଇଷ୍ଟବର

କିଏ ସେହି, ଜାଣିବାକୁ ବାସନା ମୋହର ! ୪୯

 

ମନେ ପଶି ଦ୍ୱିଜବର ପୁଛନ୍ତେ ଏପରି,

ମନ କଥା ନ ପାରିଲେ ପ୍ରକାଶି ସୁନ୍ଦରୀ,

ତହୁଁ ପାଶେ ସହଚରୀ ସହାସବଦନେ

ଅଞ୍ଜନହୀନନୟନେ ଅନାଇଲେ ଛନ୍ନେ । ୫୦

 

କହେ ତହୁଁ ସହଚରୀ ଦ୍ୱିଜଙ୍କୁ ବହନ,

ଶୁଣ ଆହେ ସାଧୁ ! ଯେବେ ଏଥି ଅଛି ମନ,

ଯେଣୁ ମୋ ସଖୀ ପଦୁକୁ ଛତ୍ର କଲା ସମ

ଏ ପରା ତନୁକୁ କରିଛନ୍ତି ତପ-କ୍ଷମ ! ୫୧

 

ଇନ୍ଦ୍ର ଆଦି ଧନବନ୍ତ ଚତୁର୍ଦିଗପାଳେ

ତୁଚ୍ଛ ମଣି ଏ ମାନିନୀ ମନେ ବସି ଭାଳେ

ବରିବାକୁ ପତି ପଦେ ସେ ପିନାକପାଣି,

ରୂପେ ବଶ୍ୟ ନୁହନ୍ତି ଯେ, କାମଦାହୁଁ ଜାଣି ! ୫୨

 

ଫୁଲଧନୁର ଯେ ବାଣ ଆସିଲା ଲେଉଟି

ଉଗ୍ର ହୁଙ୍କାର ଶବଦେ ହର ପାଶୁଁ ତୁଟି,

ହେଲେହେଁ ତା ତନୁବାଶ, ସେହି ତୀକ୍ଷ୍‌ଣ-ଶର

ଭେଦିଛି ହୃଦରେ ଅତି ଦୂରକୁ ସଖୀର ! ୫୩

 

ସେହିଦିନୁ ମଦନର କଦନେ ତରୁଣୀ

କ୍ଷଣେ ନ ମଣଇ ସୁଖ ଗୃହେ ତାହା ଗୁଣି,

ଘନ ହିମଶିଳା ଶେଯେ ଶୋଇ ନ ମେଣ୍ଟିଲା

କପାଳ ଚନ୍ଦନେ ଚୂର୍ଣ୍ଣକୁନ୍ତଳ ଲୋଟିଲା । ୫୪

 

କରନ୍ତେ ସଙ୍ଗୀତେ ହରଚରିତ ବର୍ଣ୍ଣନ

ବାଷ୍ପଗଦଗଦ କଣ୍ଠେ କେତେ ତା କୀର୍ତ୍ତନ

କରି କନ୍ଦାଇଛି ସଖୀ ମୋର ଏହି ବନେ

ଗୀତ ସହଚରୀ ବିଦ୍ୟାଧରୀଙ୍କ ଗହଣେ । ୫୫

 

ଯାମିନୀ ତୃତୀୟ ଯାମେ ନେତ୍ର ବୁଜି କ୍ଷଣେ

ସହସା ଉଠଇ ଜାଗି ସଖୀ, ମନେ ମନେ

କଳ୍ପିତ ପତିର ଗଳେ ଭୁଜକୁ ଲମ୍ବାଇ

କହେ ଯେହ୍ନେ ନୀଳକଣ୍ଠ ! ଯାଉଅଛ କାହିଁ ? ୫୬

 

କେବେ ଚିତ୍ରପଟେ ବାଳା ଚିତ୍ରି ନିଜ କରେ

ଗୋପନେ ଭର୍ତ୍ସନା କରେ ସେ ଚନ୍ଦ୍ରଶେଖରେ,

ତୁମ୍ଭେ ପରା ଅନ୍ତର୍ଯ୍ୟାମୀ ବିଦିତ ଭୁବନେ,

ମୋ ଅନ୍ତର କଥା କିମ୍ପା ନ ଜାଣ ଆପଣେ ? ୫୮

 

ସେ ଭୂତପତିଙ୍କି ପତିପଦେ ଯେବେ ସତୀ

ଲଭିବାରେ ନ ଦେଖିଲା ଖୋଜି ଅନ୍ୟ ଗତି,

ତହୁଁ ପିତୃ-ଅନୁମତି ଘେନି ତପୋବନେ

ଆମ୍ଭ ସଙ୍ଗେ ଆସିଛନ୍ତି ତପ ଆଚରଣେ ! ୫୯

 

ତପସ୍ୟାର ମୂକସାକ୍ଷୀ ସଖୀର ଶ୍ରୀକରେ

ଲାଳିତ ଏ ଦ୍ରୁମେ ଏବେ ଶୋହିଲେଣି ଫଳେ,

ଯେ ଆଶା ପୋଷିଛି ସଖୀ ସେ ଚନ୍ଦ୍ରଶେଖରେ,

ଅଦ୍ୟାପି ଅଙ୍କୁର ତହିଁ ନ ଦିଶିଲା ଥରେ । ୬୦

 

ନ ଜାଣେ କେବେ ସେ ପତି ଜଗତଦୁର୍ଲଭ

ତପ-କୃଶା ଏ ସଖୀକି ବିହି କୃପ ଲବ

କରିବେ ସରସା ସ୍ନେହେ; ବାସବ ଯେସନେ

ଅବୃଷ୍ଟି ତାପିତ କୃଷ୍ଟ-ଭୂମିକି ବର୍ଷଣେ । ୬୧

 

ଫେଡ଼ିୟା ବୋଲନ୍ତେ ସଖୀ ଗୌରୀ ମନ ଜାଣି

ସେ ଶୁଦ୍ଧ ସୁନ୍ଦର ଯତି ପୁଛିଲେ ଏ ବାଣୀ

ଗମ୍ଭୀରବଦନେ ଠୁଳେ ନ ପ୍ରକାଶି ହାସ ?

ସତେ କି ଏ କଥା ଉମା ଅବା ପରିହାସ । ୬୨

 

କୋରକିତ କରତାଳେ ତହୁଁ ସେ ପାର୍ବତୀ

ସ୍ଫଟିକମାଳିକା ଧରି କ୍ଷଣେ ମୌନବତୀ

ଅତିକଷ୍ଟେ ପ୍ରତ୍ୟୁତ୍ତର ଦେଲେ ଦ୍ୱିଜବରେ

ମିତ ସଂଯତବଚନେ ଲଜ୍ଜାଭୟଭରେ ! ୬୩

 

ଶୁଣିଲେ ଯା, ତଥ୍ୟ ତାହା ହେ ବେଦଜ୍ଞବର !

ଗିରି ଲଘିଂବାକୁ ମନ ଏ ହୀନ ଜନର !

ଏ ତପସ୍ୟା ସତ ସେହି ପଦଲାଭ ପାଇଁ,

ମନୋରଥର ବା ଗତି ନାହିଁ କେଉଁଠାଇଁ ? ୬୪

 

କହିଲେ ସେ ବ୍ରହ୍ମଚାରୀ, ଜାଣେ ମହେଶ୍ୱର

ସଦା କଦାଚାରେ ରତ, ତାହାଙ୍କୁ ଆବର

ବରି ପତିପଦେ ଗୌରି ! ରହିଛି ଏ ଭାବେ,

ନାହିଁ ଅଭିମତ ମୋର ଏ ତୁମ୍ଭ ପ୍ରସ୍ତାବେ । ୬୫

 

ଅପଦାର୍ଥେ ବଳାଇଛ ମନକୁ ସୁନ୍ଦରି !

କହ ଭଲା ପରିଣୟବେଳେ ଏ କିପରି

ସହିବ ତୁମ୍ଭର କର ସେ କରଗ୍ରହଣ !

ଯହିଁ ବିଷଧର ଅହି ହୋଇଛି କଙ୍କଣ । ୬୬

 

ତୁମ୍ଭେହିଁ ବିଚାର ମନେ, ଭଲା ଏହି ବେନି

କେବେ ହେଲେ ମିଳିପାରେ ହୋଇ ଘେନା ଘେନି ?

କନ୍ୟା ପଟ୍ଟବାସ ତବି ହଂସାଳୀ ଚିହ୍ନିତ,

ଆଉ ସେ କୁଞ୍ଜରଚର୍ମ ଶୋଣିତେ ରଞ୍ଜିତ ! ୬୭

 

ଯେ ଚରଣ ବେନି ଏବେ ଫୁଲ ଆସ୍ତରଣେ

ଅଲକ୍ତରଞ୍ଜିତ ଆହା ! ଶୋଭଇ ଭବନେ,

ସେ ପୁଣି ଶ୍ମଶାନେ କେଶରାଶିରେ ପଡ଼ିବ !

ଏହା କେଉଁ ଶତ୍ରୁ ଭଲା ତୁମ୍ଭର ସହିବ ? ୬୮

 

ତ୍ରିଲୋଚନ ବକ୍ଷ ହେଲେ ସୁଲଭ ତୁମ୍ଭର,

ଏଥୁ ବଳି କହ କିବା ଅଛି ଅସୁନ୍ଦର ?

ହରିଚନ୍ଦନଲେପନଯୋଗ୍ୟ ଯେଉଁ ସ୍ତନ,

ତହିଁ ଚିତାଭସ୍ମ ସିନା ଲଭିବ ଆସନ ? ୬୯

 

ଆନ ଏକ ବିଡ଼ମ୍ବନା ଘେନ ଗୋ ମନରେ,

ପରିଣୟ ଅନ୍ତେ ବୃଦ୍ଧ ବୃଷଭପୃଷ୍ଠରେ

ଆସିବା ଦେଖିଲେ ନିଶ୍ଚେ ହସିବେ ତ ଜନ,

ଐରାବତପୃଷ୍ଠ ସିନା ତୁମ୍ଭଙ୍କୁ ଭାଜନ ? ୭୦

 

ପତିପଦେ ପିନାକୀଙ୍କି ଏବେ ସିନା ବରି

ବେନିଏ ଲଭିଲେ ହୀନଦଶାକୁ ସୁନ୍ଦରି ?

କାନ୍ତବିଭାସିତ ସେହି ଚନ୍ଦ୍ରିକା ଚନ୍ଦ୍ରର,

ଜନନୟନକୌମୁଦୀ ତୁମ୍ଭେ ଗୋ ଆବର । ୭୧

 

ବିରୂପ ନୟନ ତିନି, ଜନ୍ମ ନାହିଁ ଜଣା,

ଦିଗମ୍ବର ବେଶୁ ହୁଏ ସମ୍ପଦ କଳନା,

ଯେ ଗୁଣ ଲୋଡ଼ନ୍ତି ବରେ କୁରଙ୍ଗନୟନେ !

ଗୋଟିଏ ହେଲେ ତ ତହୁଁ ନାହଁ ତ୍ରିଲୋଚନେ । ୭୨

 

ଫେରାଅ ଏ ମନୋରଥୁ ମତିକି ପାର୍ବତି !

କାହିଁ ବା ସେ, କାହିଁ ତୁମ୍ଭପରା ପୁଣ୍ୟବତୀ !

ନ ଇଚ୍ଛେ ସୁଜନ କେବେ ଶ୍ମଶାନ ଶୂଳର

ବେଦୋକ୍ତସତ୍କାର ବିଧି, ଯୋଗ୍ୟ ଯା ଯୂପର । ୭୩

 

ବଟୁମୂଖୁ ଶୁଣି କଟୁବଚନ ଏସନ

ଉପୁଜିଲା କୋପ ସଙ୍ଗେ ଅଧରକମ୍ପନ,

ଭ୍ରୁଲତାକୁଞ୍ଚନ କରି ଆରକ୍ତନୟନେ

ତରାଟି ଚାହିଁଲେ ଦେବୀ ରୋଷ ବହି ମନେ । ୭୪

 

ଭାଷିଲେ ଏସନ ଦେବୀ, କହିଲ ଯା ମତେ,

ନିଶ୍ଚୟେ ହରଙ୍କୁ ତୁମ୍ଭେ ଜାଣି ନାହ ସତେ ।

ନ ବୁଝି ନିନ୍ଦନ୍ତି ସିନା ମୂଢ଼େ ଅକାରଣ,

ମହତଜନ ଚରିତ ନୁହେ ସାଧାରଣ । ୭୫

 

ବିପଦୁ ଉଦ୍ଧାର ଆଶେ କେହି ବା ବିଭବ-

ଦର୍ଶନ ଆଶେ ଲୋଡ଼ନ୍ତି ଏ ଶୁଭ ସରବ,

ଜଗତ ଶରଣ ଯେହୁ, କି ଆଶା ତାଙ୍କର ?

ଚିତ୍ତ ଯେ ଦୂଷିତ କରେ, ସେ ଧନେ କି ଫଳ ? ୭୬

 

ହୁଅନ୍ତି ସେ ଅକିଞ୍ଚନ, ପ୍ରଭୁ ସମ୍ପଦର

ଶ୍ମଶାନନିବାସୀ ହୋଇ ତ୍ରିଲୋକ-ଈଶ୍ୱର,

ଦିଶନ୍ତୁ ସେ ଭୟଙ୍କର, ବୋଲନ୍ତି ଶଙ୍କର,

ନ ଜାଣନ୍ତି ତତ୍ତ୍ୱକଥା କେହି ତ ତାଙ୍କର ! ୭୭

 

ଭୂଷଣେ ଭୂଷିତ କେବେ, କେବେ ଫଣିକୁଳେ,

ଗଜଚର୍ମେ ଶୋହେ କେବେ, କେବେ ବା ଦୁକୂଳେ,

କେବେ ନରକପାଳ ବା ଇନ୍ଦୁ ଶିରେ ଝଳି,

ବିଶ୍ୱରୂପଙ୍କର ରୂପ କେ ପାରିବ କଳି ? ୭୮

 

ଲଭି ତାଙ୍କ ଅଙ୍ଗସଙ୍ଗ ଚିତାଭସ୍ମରେଣୁ

ହୁଅଇ ଅତି ପାବନ ଭସ୍ମ ସିନା ତେଣୁ ।

ତାଣ୍ଡବକାଳେ ସକଳ ସୁରେ ତାହା ଶିରେ

ଘେନନ୍ତି ପବିତ୍ରମନେ ପଡ଼େ ଯା ଭୂମିରେ ! ୭୯

 

ମତ୍ତଦିଗ୍‌ବାରଣେ ବସି ଯେବେ ସୁରପତି

ସେ ଅକିଞ୍ଚନ ବୃଷଭବାହନେ ଭେଟନ୍ତି,

ତକ୍ଷଣେ ଆପଣା ଶିରେ ଛୁଇଁ ସେ ପୟର

ପ୍ରଫୁଲ୍ଲ ମନ୍ଦାର ରଜେ କରନ୍ତି ପାଟଳ । ୮୦

 

‘ଜନ୍ମ ନାହିଁ କଣ’ ବୋ ଭାଷିଲ ଆପଣେ

ଦୋଷ ଦେଖାଇ ଯା ହରେ, ତାହା ତଥ୍ୟ ମଣେ

ବ୍ରହ୍ମାର କାରଣ ବୋଲି ଜାଣନ୍ତି ଯାହାଙ୍କୁ,

ତାଙ୍କ ଜନ୍ମ ହେବ ପୁଣି ଗୋଚର କାହାକୁ ? ୮୧

 

କି ଫଳ କଳହେ ଆଉ, ହୁଅନ୍ତୁ ପଛେ ସେ

ଯେପରି ଶୁଣିଛ ତୁମ୍ଭେ ସେପରି ବିଶେଷେ,

ଏକାନ୍ତେ ମୋ ମନ ତହିଁ ରସିଅଛି ଏବେ,

କୁତ୍ସାକୁ କି କାମଚାରୀ ବିଚାରଇ କେବେ ? ୮୨

 

ମନା କର ସହି ! ଏବେ ଦ୍ୱିଜେ ବହି ତ୍ୱରା,

ଅଧର କମ୍ପାଏ ପୁଣି କହିବ ଏ ପରା !

ନୁହେ ସେ କେବଳ ପାପୀ ନିନ୍ଦେ ଯେ ମହତେ,

ଶୁଣଇ ତାଠାରୁ ଯେହୁ, ପାପୀ ସେ ଯୁକତେ । ୮୩

 

ଅବା ଯିବ ଚାଲି ଏଠୁଁ, କହି ସେ ମହିଳା

ଚାଲନ୍ତେ ଚଞ୍ଚଳେ ସ୍ତନୁ ବଳ୍‌କଳ ଖସିଲା,

ନିଜ ରୂପ ଧରି ତହୁଁ ବୃଷଭବାହନ

ସସ୍ମିତେ ପାର୍ବତୀକର ଧରିଲେ ବହନ । ୮୪

 

ଦରଶନ ମାତ୍ରେ ତନୁ ସଘନେ ଥରିଲା,

ସର୍ବାଙ୍ଗେ ସାତ୍ତ୍ୱିକଭାବ ତହୁଁ ପ୍ରକାଶିଲା,

ନ ଚଳିଲା ଆଉ ପଦ, ତୋଳି ସେ ଚରଣ

ନ ପାତି ଧରଣୀ ତଳେ ରହିଲେ ତେସନ;

 

ପଥରେ ରୋଧିଲେ ଗିରି ଯଥା ସ୍ରୋତସ୍ୱିନୀ

ନ ରହେ ନ ବହେ ତଥା ଗିରୀନ୍ଦ୍ରନନ୍ଦିନୀ । ୮୫

 

ଆଜହୁଁ ନତାଙ୍ଗୀ ! ତବ ଦାସ ଏହି ଜନ,

ତବ ତପେ କିଣା, ହର ଭାଷନ୍ତେ ଏସନ,

ତପସ୍ୟାର କ୍ଳେଶ ଯେତେ ମୁଞ୍ଚିଲେ ଶଙ୍କରୀ,

ଫଳସିଦ୍ଧି ହେଲେ କ୍ଳେଶ ଲାଗେ ନୂଆ ପରି । ୮୬

 

ଷଷ୍ଠସର୍ଗ

ଏଥୁଅନ୍ତେ ଗୌରୀ            ସଖୀ ମୁଖେ ଶିବେ

ଭାଷିଲେ ଗିରି ଏସନେ,

ମୋହ ସମ୍ପ୍ରଦାନେ            ଜନକ ଗିରୀଶେ

ବରଗନ୍ତୁ ଦାତାପଣେ । ୧

ସଖୀ ବାକ୍ୟେ ପ୍ରିୟେ            ଜଣାଇ ସନ୍ଦେଶ

ଉଭା ମୌନେ ଗଉରୀ ସେ,

ମଧୁ ପାଶେ ଅବା            ପିକା ମୁଖରିତା

ମୂକା ଚୂତଲତା କି ସେ ? ୨

ହେଉ ତା, ବଖାଣି            ବିସର୍ଜି ଈଶାନୀ

ସେ ଦେବ ସ୍ମରଶାସନ

ଜ୍ୟୋତିରେ ଭାସ୍କର            ସପତଋଷିଙ୍କି

ସ୍ମରିଲେ ତହିଁ ବହନ । ୩

ସଦ୍ୟଃସ୍ନାତ ସର୍ବେ            ସୁରଧୁନୀ ସ୍ରୋତେ

ମୁଞ୍ଚେ ଯହିଁ ପୁଷ୍ପାଞ୍ଜଳି

ତୀରେ ଉଭା ସୁର-            ତରୁ, ସୁରଭି ଯା

ବିରବାରଣମଦ ଝରି । ୪

 

ମୁକ୍ତା ଉପବୀତ            ହେମର ବଳ୍‌କଳ

ରତ୍ନ ଅକ୍ଷମାଳ ଧରି

ଦିଶନ୍ତି ସେ ସପ୍ତ            ଦିବ୍ୟ ବାନପ୍ରସ୍ଥ

ଚଳକଳ୍ପତରୁ ସରି । ୫

 

କରି ନିମ୍ନମୁଖ            ସହସ୍ରମୟୂଖ

ନିଜ ରଥ-ଅଶ୍ୱଗତି,

ନୂଆଇଁ ଆପଣା            କେତନକୁ ଯେହ୍ନେ

ଅନାଇଲେ କରି ନତି । ୬

 

ପ୍ରଳୟ ସଙ୍କଟେ            ଦନ୍ତାଗ୍ରେ ଉଦ୍ଧୃତ

ବାହୁଲତାଲଗ୍ନଧରା-

ସହିତେ ସେ ମହା            ବରାହର ଦନ୍ତେ

ବିଶ୍ରମିଥିଲେ ଏ ପରା ? ୭

 

ପ୍ରଜାପତି ଅନ୍ତେ            ଅବଶିଷ୍ଟ ସୃଷ୍ଟି

ସଜିବାରୁ ଯେଉଁ ଗଣେ

ବିଧାତାପୁରୁଷ-            ନାମେ ଖ୍ୟାତ ଲୋକେ

ପୁରାଣକାର ବଚନେ । ୮

 

ପୂର୍ବଜନ୍ମକୃତ            ପରିପାକ-ଗତ

ବିଶୁଦ୍ଧ ତପର ଫଳ

ଭୋଗ କରି ସୁଦ୍ଧା            ଦିବ୍ୟ ପୁରେ ସଦା

ତପସ୍ୟାରତ ସକଳ । ୯

 

ମଧ୍ୟେ ବିରାଜନ୍ତି            ବିଶେଷରେ ସତୀ

ତପଃସିଦ୍ଧି ମୂର୍ତ୍ତିମତୀ,

ପତି ପଦତଳେ            ଢାଳି ଭକ୍ତିଭରେ

ନେତ୍ରବେନି ଅରୁନ୍ଧତୀ । ୧୦

 

ସମାନ ଗୌରବ            ଦେଖାଇଲେ ତହିଁ

ଯଥା ମୁନିଗଣେ ହର;

ନାରୀ ପୁଂସ ବୋଲି            ନ ବାରନ୍ତି ସନ୍ଥେ

ଚରିତ୍ର ପୂଜ୍ୟ ତାଙ୍କର । ୧୧

 

ହେଲା ଶମ୍ଭୁରଙ୍କ            ଦାର ପରିଗ୍ରହେ

ଆଦର ତାଙ୍କ ଦର୍ଶନେ,

ସତୀ ପତ୍ନୀ ପରା            ଅଟନ୍ତି ନିଦାନ

ଧର୍ମ-କର୍ମ ଆଚରଣେ ! ୧୨

 

ଏଅନ୍ତେ ସେ ସପ୍ତ            ମୁନି ବ୍ରହ୍ମବାଦୀ

ଶିବେ ବିଧିରେ ସମ୍ମାନି,

ପ୍ରେମେ ରୋମାଞ୍ଚିତ            ଦେହେ ବିଶ୍ୱେଶ୍ୱରେ

ଭାଷିଲେ ଏସନ ବାଣୀ । ୧୩

 

କରିଛୁ ନିଷ୍ଠାରେ            ଯେ ବେଦ ଅଭ୍ୟାସ

ହୋମ କର୍ମ ଯଥାବିଧି,

ବହୁକ୍ଳେଶ ସହି            ଅର୍ଜିଲୁ ଯେ ତପ,

ଆଜି ତାର ଫଳସିଦ୍ଧି । ୧୪

 

ମନେ ଅଗୋଚର            ମାନସେ ତୁମ୍ଭର

ସ୍ଥାନ ଲଭିଅଛୁ ଯେଣୁ,

ଆହେ ବିଶ୍ୱପତି !            ଫଳ ପରିଣତି

ମଣୁଅଛୁ ଆଜି ତେଣୁ । ୧୫

 

ହୃଦୟେ ଯାହାର            ବିରାଜ ହେ ଦେବ !

ସେହି କୃତୀ ଏ ସମାଜେ,

କି ନୁହେଁ ସେ ପୁଣ            ହେ ବିଶ୍ୱକାରଣ !

ଯେ ତୁମ୍ଭ ହୃଦେ ବିରାଜେ ? ୧୬

 

ତୁମ୍ଭର ସ୍ମରଣ            ଅନୁଗ୍ରହେ ଦେବ !

ମାନସେ ଯାଉ ପରତେ,

ଚନ୍ଦ୍ର ସୂର୍ଯ୍ୟଲୋକୁ            ବଳି ଉଚ୍ଚପଦେ

ବସିଲୁ ଆଜି କି ସତେ ? ୧୭

 

ତବ ସମାଦର            ଲଭି ଆପଣାକୁ

ମଣୁଅଛୁ ଧନ୍ୟ ଅତି

ମହତ ଆଦର            ଜନମାଏ ସିନା

ସ୍ୱଗୁଣେ ଶ୍ରଦ୍ଧା ପୀରତି ? ୧୮

 

ତୁମ୍ଭରି ସ୍ମରଣେ            ଦେବ ତ୍ରିଲୋଚନ

ଜନ୍ମିଅଛି ପ୍ରୀତି ଯାହା,

ତୁମ୍ଭ ସର୍ବଭୁତ-            ଅନ୍ତର୍ଯ୍ୟାମୀ ପ୍ରଭୁ,

କିବା ଜଣାଇବୁ ତାହା । ୧୯

 

ହୋଇଲ ପ୍ରତ୍ୟକ୍ଷ            ତଥାପି ନ ଜାଣୁ

ହେ ଦେବ ! ତତ୍ତ୍ୱ ତୁମ୍ଭର,

ହୋଇ ସୁପ୍ରସନ୍ନ            ସ୍ୱରୂପ ବଖାଣ

ତୁମ୍ଭେ ବୁଦ୍ଧି ଅଗୋଚର । ୨୦

 

କହ କେଉଁ ମୂର୍ତ୍ତି            ତୁମ୍ଭର ଏ ଦେବ !

ଯହିଁରେ କରୁଛ ସୃଷ୍ଟି,

ଅବା ଯେଉଁ ରୂପେ,            ପାଳୁଅଛି ବିଶ୍ୱ

ସଂହାରୁଛ ପୁଣି ସୃଷ୍ଟି । ୨୧

 

ଥାଉ ପଛେ ଏହି            ନିବେଦନ ଦେବ !

ଚିନ୍ତାକୁଳ ଆମ୍ଭେମାନେ,

କର ଅଜ୍ଞା ଏବେ            କରିବୁ ବା କିସ

ଉପସ୍ଥିତ ସନ୍ନିଧାନେ । ୨୨

 

ତହୁଁ ମହେଶ୍ୱର            ଦଶନ ପ୍ରଭାରେ

କ୍ଷୀଣ ବାଳଇନ୍ଦୁ ଦ୍ୟୁତି

ବଢ଼ାଇ ଦ୍ୱିଗୁଣେ            ପ୍ରସନ୍ନ ବଦନେ

ଏମନ୍ତ କଲେ ପ୍ରତ୍ୟୁକ୍ତି । ୨୩

 

ନାହିଁ କିଛି ମୋର            ସ୍ୱାର୍ଥପର ବୃତ୍ତି

ଜାଣ ତ ତୁମ୍ଭେ ସରବେ,

ଏ ଅଷ୍ଟ ପ୍ରକାର            ମୂରତିରୁ ସ୍ପଷ୍ଟ

ଜଣାପଡ଼ି ଥିବ ଲବେ । ୨୪

 

ଯେହ୍ନେ ତୁଷାତୁର            ଚାତକ ବାରିଦେ

ମାଗଇ ବିନ୍ଦୁ ଏ ଜଳ,

ତେସନ ଏ ସୁରେ            ଯାଚନ୍ତି ଆକୁଳେ

ମୋ ତହୁଁ ସୁତ ସମ୍ବଳ । ୨୫

 

ଏଣୁ ଆତ୍ମୋତ୍ପତ୍ତି            ନିମନ୍ତେ ପାର୍ବତୀ

ଗ୍ରହଣେ ମୋହର ମନ,

ଅଗ୍ନି ଉତ୍ପାଦନେ            ଯଜମାନ ଯେହ୍ନେ

ଅରଣ୍ୟ ରେ ଗ୍ରହଣ । ୨୬

 

ଆମ୍ଭଲାଗି ଯେବେ            ହିମାଦ୍ରିଙ୍କି ସର୍ବେ

କରିବ ଯାଇ ପ୍ରାର୍ଥନା,

ମଚ୍ଛନ ବିହିତ            ସମ୍ବନ୍ଧେ କଦାପି

ନ ଘଟିବ ବିଡ଼ମ୍ବନା । ୨୭

 

ଧରଣୀ ଧାରଣ            କ୍ଷମ ସେହି ଗିରି

ଉନ୍ନତ ପ୍ରତିଷ୍ଠାବନ୍ତ,

ତାଙ୍କ ସଙ୍ଗେ ନବ-            ବିମ୍ବନ୍ଧ ସହିଲେ

ନୋହିବ ମୋ ମାନ ହତ । ୨୮

 

କନ୍ୟା ସମ୍ପ୍ରଦାନେ            କହିବ ଏସନେ

ନ ଦେବି ଏ ଉପଦେଶ,

ଯେଣୁ ତୁମ୍ଭ କୃତ            ଆଚାର ପଦ୍ଧତି

ଘୋଷନ୍ତି ବୁଧେ ବିଶେଷ । ୨୯

 

ଆର୍ଯ୍ୟା ଅରୁନ୍ଧତି            ଏଥି ସହାୟତା

କରିବେ, ବହୁତ ଆଶା,

ଏ କର୍ମ ସାଧନେ            ପୁରନ୍ଧ୍ରୀ ଜନଙ୍କୁ

ଆସଇ ଚାତୁରୀ ଭାଷା । ୩୦

 

ଯାଅ ତେବେ ସର୍ବେ            କାର୍ଯସିଦ୍ଧି ଅର୍ଥେ

ଓଷଧିପ୍ରସ୍ଥ ନଗରେ,

ଏ କୁଶୀ ପ୍ରପାତେ            ଆମ୍ଭର ସାକ୍ଷାତ

ହେବ ପୁଣି ଯେହ୍ନେ ପରେ । ୩୧

 

ଆଦ୍ୟ ଯୋଗୀଶ୍ୱରେ            ବିବାହ ଉତ୍ସୁକ

ଦେଖି ସର୍ବ ପ୍ରଜାପତି

ନାରୀ ପରିଗ୍ରହ-            ଜନିତ ଲଜ୍ଜାକୁ

ତେଜିଲେ ହେଲେହେଁ ଯତି । ୩୨

 

ପ୍ରଭୁ ଆଜ୍ଞା ମାନି            ତହୁଁ ସର୍ବ ମୁନି

ସେ ସ୍ଥାନୁ କଲେ ପ୍ରସ୍ଥାନ,

ମିଳିଲେ ମୁମନେ            ସେ ସଙ୍କେତ ସ୍ଥାନେ

ଏଣେ ମଧ୍ୟ ମହେଶାନ । ୩୩

 

ତହୁଁ ଆସି ଶ୍ୟାମ            ବ୍ୟୋମଦେଶେ ଉଠି

ଓଷଧିପ୍ରସ୍ଥ ପତ୍ତନେ

ମିଳିଲେ ସେ ସପ୍ତ            ମନୋରଥ ଗତି

ପରମ ଋଷି ତକ୍ଷଣେ । ୩୪

 

ବିବିଧ ବିଭବେ            ସଦା ଋଦ୍ଧିମନ୍ତ

ଅଳକାପୁରୀକି ବଳି,

ସ୍ୱର୍ଗର ବଳକା            ଅଂଶ ଘେନି କିବା

ରଚିତ ପୁର ଏଭଳି ! ୩୫

 

ମରକତ ବେଢ଼ା            ପ୍ରାୟେ ଚଉଦିଗେ

ଶୋହେ ଜାହ୍ନବୀର ପୂର,

ମଧ୍ୟଦେଶେ ଜଳି            ଓଷଧି ସକଳ

କେଡ଼େ ତୋରା ଦିଶେ ପୁର । ୩୬

 

ସିଂହଭୟଜିଣା            ବିନୀତ ବାରଣେ,

ଯହିଁ ଅଶ୍ୱେ ବିଳୁ ଜାତ,

ଯକ୍ଷ କିଂପୁରୁଷେ            ପୁରଜନ ଯହିଁ

ନାରୀ ବନଦେବୀବ୍ରାତ । ୩୮

 

ପ୍ରାସାଦଶିଖରେ            ଯହିଁ ତାଳେ ତାଳେ

ବାଜନ୍ତେ ମୁରଜ ଧୀରେ,

ହୁଅଇ ପରତେ            ଗରଜେ କି ସତେ

କାଦମ୍ବୀନୀ ସୁଗମ୍ଭିରେ । ୩୮

 

ଯହିଁ ପୁରୋଦ୍ୟାନେ            ଅଯତ୍ନେ ବସନ

ଲାଗି କଳ୍ପତରୁ ଡାଳେ

ବାତେ ଫର ଫର            କେତନ ପରାୟେ

ଶୋହେ ଗୃହଯନ୍ତ୍ରାଧାରେ । ୪୦

 

ସ୍ଫଟିକଭବନେ            ମଧୁପାନ ସ୍ଥାନେ

ରଜନୀରେ ତାରକାଏ,

ପ୍ରତିଫଳ ଅଙ୍ଗେ            ଦିଶଇ ସୁଢ଼ଳ

ଦତ୍ତ ଫୁଲହାର ପ୍ରାୟେ ! ୪୦

 

ଦୁର୍ଦ୍ଦିନ ରଜନୀ            କାଳେ ସୁଦ୍ଧା ଯହିଁ

ଅଭିସାରିକା ରମଣୀ

ନ ଜାଣେ ଅନ୍ଧାର            ଓଷଧିର ଭାସେ

ଦିଶେ ସଙ୍କେତ ସରଣୀ । ୪୧

 

ବୟସର ସୀମା            ଯହିଁଟି ଯୌବନ,

କାମ ଯମଦେବ ଏକା,

ରତିଶ୍ରାନ୍ତବଶେ            ଘଟଇ ଯେ ନିଦ୍ରା

ଚେତନା ନାଶେ ତା ଲେଖା । ୪୨

 

ଭ୍ରୂଭଙ୍ଗ ଦର୍ଶନେ            ଅଙ୍ଗୁଳି ତର୍ଜନେ

ଓଷ୍ଠକମ୍ପେ ପ୍ରମଦାଏ

ଯହିଁ କୋପ କଲେ            ବିନୟୀ ହୁଅନ୍ତି

ଯୁବାକୋପ ଶାନ୍ତିଯାଏ । ୪୩

 

ସନ୍ତାନକ ତରୁ            ତଳେ ସୁପ୍ତ ଯହିଁ

ପାନ୍ଥ ବିଦ୍ୟାଧରଗଣ,

କୁସୁମ ସୁରଭି            ସେ ଗନ୍ଧମାଦନ

ଯାର ବାହ୍ୟ ଉପବନ । ୪୪

 

ତ୍ରି ଦିବନିବାସୀ            ମୁନିଗଣ ତହୁଁ

ଦେଖି ହିମାଦ୍ରି ପତ୍ତନ

ସ୍ୱର୍ଗଲାଭ ଆଶେ            ଯା ପୁଣ୍ୟ ଅର୍ଜନ,

ମଣିଲେ ତା ବିଡ଼ମ୍ବନ । ୪୫

 

ଓହ୍ଳାଇଲେ ଗିରି-            ପୁରେ ତ୍ୱରା କରି

ଶୂନ୍ୟମଣ୍ଡଳୁ ସକଳ,

ଶିରେ ଜଟାଜାଲ            ଦିଶେ ଚିତ୍ରାର୍ପିତ

ଅନଳ ପ୍ରାୟେ ନିଶ୍ଚଳ । ୪୬

 

ଅନାଇଲେ ଊର୍ଦ୍ଧ୍ୱ-            ମୁଖେ ଦ୍ୱାରପାଳେ

ଯଥାକ୍ରମେ ଅଗ୍ରସର

ସେ ମୁନିଗଣଙ୍କୁ,            ଜଳମଧ୍ୟେ ରବି-

ବିମ୍ବ ସମ ମନୋହର । ୪୭

 

ଅର୍ଘ୍ୟ ଘେନି ତହୁଁ            ଦମି ବସୁନ୍ଧରା

ଗୁରୁପଦନ୍ୟାସ ଭରେ

ସେ ପୂଜ୍ୟ ମୁନିଙ୍କି            ଗିରିରାଜ ଦୂରୁ

ପାଛୋଟି ଆଣିଲେ ଖରେ । ୪୮

 

ଅରୁଣ ଅଧର            ଉନ୍ନତ ଆକାର

ଶିଳାଘନ ବକ୍ଷସ୍ଥଳ,

ଦେବଦାରୁ ସମ            ସୁବିପୁଳ ଭୁଜୁ

ଜାଣିଲେ ଏ ହିମାଚଳ । ୪୯

 

ଶାସ୍ତ୍ରବିଧିମତେ            ପୂଜି ଗିରିରାଜ

ମାର୍ଗ ଦେଖାଇଲେ ଆଗେ,

ଶୁଦ୍ଧାତ୍ମା ସେ ମୁନି-            ଗଣେ ଘେନିଗଲେ

ଶୁଦ୍ଧାନ୍ତଃପୁରେ ସରାଗେ । ୫୦

 

ବିହିତ ସମ୍ମାନେ            ତହିଁ ବେତ୍ରାସନେ

ବସାଇ ଭୂଧରେଶ୍ୱର

ବସି ସ୍ୱୟଂ ପୁଣି            କୃତାଞ୍ଜଳିପୁଟେ

ପୁଚ୍ଛିଲେ ମୁନିଙ୍କି ଗିରି । ୫୧

 

ଅକସ୍ମାତେ ଆଜି            ମୋ ପୁରେ ଦର୍ଶନ

ମଣେ ବଡ଼ ଆଚମ୍ବିତ,

ବିନା ମେଘେ ବର୍ଷା            ବିନା ଫୁଲେ ଫଳ

ପ୍ରାୟେ ଏହା ଆଶାତୀତ ! ୫୨

 

ତବ ଅନୁଗ୍ରହେ            ଏହି ଧରା ଦେହେ

ସ୍ୱର୍ଗରେ ବସିଲି ସିନା,

ମୂଢ଼ ଆତ୍ମା ମମ            ହେଲା ଜ୍ଞାନଧାମ

ଲୁହା ପାଲଟିଲା ସୁନା । ୫୩

 

ଆଜହୁଁ କଳୁଷ-            ନାଶନେ ମୁଁ ତୀର୍ଥ

ବୋଲାଇବି ପ୍ରାଣୀଙ୍କର,

ଭବେ ସେହି ସିନା            ତୀର୍ଥସ୍ଥାନ ଜଣା

ଯହିଁ ସ୍ଥିତି ସାଧୁଙ୍କର । ୫୪

 

ଉଭୟରେ ମୁହିଁ            ଆପଣାକୁ ପୂତ

ମଣଇଁ ହେ ଦ୍ୱିଜବରେ,

ଶିରେ ଗଙ୍ଗାଜଳ-            ପ୍ରପାତେ, ପୁଣ ଏ

ତବ ଧୌତପଦଜଳେ । ୫୫

 

ସ୍ଥାବର ଜଙ୍ଗମ            ବେନି ବପୁ ମମ

ଲଭିଲେ ସମାନଭାଗେ,

ତୁମ୍ଭର ପ୍ରସାଦ            ତେଣୁ ମୋ ଆହ୍ଲାଦ

ହୃଦେ ଆଚମ୍ବିତେ ଜାଗେ । ୫୬

 

ଜଙ୍ଗମ ଶରୀର            ନିୟୋଜିତ ଏବେ

କିଙ୍କରପଣେ ତୁମ୍ଭର,

ବହଇ, ମସ୍ତକେ            ପଦଧୂଳି ଏବେ

ପୁଲକଭରେ ସ୍ଥାବର । ୫୭

 

ତୁମ୍ଭର ସ୍ୱାଗତେ            ସନ୍ତୋଷ ଯାବତ

ଉପୁଜେ ହୃଦରେ ମମ,

ଦିଗନ୍ତବିସ୍ତାରୀ            ଦେହରେ ମୋହର

ନ ଧରେ ତା ଅନୁପମ । ୫୮

 

ଜ୍ୟୋତିର୍ମୟ ତବ            ଦର୍ଶନେ କେବଳ

ନ ଗଲା ଗୁହା ଅନ୍ଧାର,

ହୃଦୟ ମୋହର            ଅଜ୍ଞାନ-ତମସ

ଘୁଞ୍ଚିଗଲା ସେ ପ୍ରକାର । ୫୯

 

ଦେଖୁ ନାହିଁ କିଛି            କେଉଁ କାର୍ଯ୍ୟ ଅଛି

ଥିଲେ କିବା ଅସମ୍ଭବ ?

ମଣଇଁ, ପବତ୍ର            କରିବାକୁ ମୋତେ

ଶୁଭ ଆଗମନ ତବ ! ୬୦

 

ତଥାପି ନିୟୋଗେ            ଆଜ୍ଞା ହେଉ ମୋତେ

ଏହି ମାତ୍ର ନିବେଦନ,

ପ୍ରଭୁ ପାଶେ ସିନା            ଆଜ୍ଞା -ଅନୁଗ୍ରହ

ଇଛନ୍ତି କିଙ୍କର ଜନ ? ୬୧

 

ଅଗ୍ରତେ ଏହି ମୁଁ,            ଏ ପ୍ରିୟା ମେନକା,

କନ୍ୟାକୁଳର ଜୀବନ,

ଏ ତିନିରୁ ଯହିଁ            ପ୍ରୟୋଜନ ବୋଲି,

ଆନ ସବୁ ତୁଚ୍ଛ ଧନ । ୬୨

 

ଏତିକି ଉଚ୍ଚାରି            ତହିଁ ହିମଗିରି

ଗୁହାମୁଖ ସଞ୍ଚାରିତ-

ପ୍ରତିଧ୍ୱନି ଛଳେ            ଅତର୍କିତେ କଲେ

ଦ୍ୱିବାର ତା ଉଚ୍ଚାରିତ । ୬୩

 

ଏଥୁଅନ୍ତେ ଋଷି-            ଗଣ ଅଗ୍ରଗଣ୍ୟ

ଅଙ୍ଗିରସେ ମଙ୍ଗାଇଲେ,

ସେ ମୁନିପୁଙ୍ଗବ            ଭୂଧରପତିଙ୍କୁ

ଏମନ୍ତ ତହୁଁ ଭାଷିଲେ । ୬୪

 

କହିଲ ଯା, ଗିରି-            ରାଜ ! ତହୁଁ ବଳି

ଯୁକତ ତା ତୁମ୍ଭଠାରେ,

ମାନସ ତୁମ୍ଭର            ଅଟେ ସମୁନ୍ନତ

ନିଜ ଶୃଙ୍ଗ ଯେ ପ୍ରକାରେ । ୬୫

 

ତୁମ୍ଭଙ୍କୁ ସ୍ଥାବର-            ରୂପୀ ବିଷ୍ଣୁ ବୋଲି

କହିଛନ୍ତି ଯାହା ସତ,

ତୁମ୍ଭ କଳେବର            ଚରାଚରଙ୍କର

ଆଧାରରୂପେ ବ୍ୟକତ । ୬୬

 

ରସାତଳଯାଏ            ସ୍ୱମୂଳ ବିସ୍ତାରି

ଧରି ନ ଥାନ୍ତିଟି ଯେବେ,

ମୃଣାଳ-ମୃଦୁଳ            ଫଣାରେ କି ଫଣୀ

ଧରିଥାନ୍ତି ଧରା କେବେ ? ୬୭

 

ଅଖଣ୍ଡ ଅମଳ            ଉଦବେଳ ସାଗର-

ସଙ୍ଗେ ଅନର୍ଗଳେ ମିଶେ,

ତବ ଏ କୀରତି            ତଥା ଏ ସରିତେ,

ଲୋକ-ପାବନ ଯେ ବିଶ୍ୱେ । ୬୮

 

କାରଣସ୍ୱରୂପୀ            ବିଷ୍ଣୁପଦୁ ଯଥା

ସମ୍ଭବି ଜାହ୍ନବୀ ଧନ୍ୟା,

ତୁମ୍ଭ ତୁଙ୍ଗ ଶିରୁ            ପଶ୍ଚାତେ ତେସନ

ଜନମି ସେ ଅଗ୍ରଗଣ୍ୟା । ୬୯

 

ତିନି ଦିଗେ ତିନି            ଚରଣ ବିସ୍ତାରି

ଦେଖାଇଥିଲେ ଯା ହରି,

ସା ବିରାଟ ରୂପ,            ବ୍ୟାପକ ହେ ଗିରି !

ସ୍ୱଭାବସିଦ୍ଧ ତୁମ୍ଭରି । ୭୦

 

ଯଜ୍ଞଭାଗୀ ଦେବ-            ଗଣଙ୍କ ମଧ୍ୟରେ

ଲଭି ତୁମ୍ଭେ ଯୋଗ୍ୟାସନ

ସୁମେରୁର ତୁଙ୍ଗ            ହିରଣ୍ମୟ ଶୃଙ୍ଗେ

କରିଅଛ ଅକାରଣ । ୭୧

 

ସ୍ଥାବର ଶରୀରେ            ନିହିତ ତୁମ୍ଭର

କଠିନପଣ ଯାବତ,

ସାଧୁଜନ ସେବା-            ଭାଜନ ଏ ବପୁ

ଆହା କି ଭକ୍ତିବିନତ ! ୭୨

 

ଆମ୍ଭ ଆଗମନ-            ପ୍ରୟୋଜନ ଶୁଣ,

ସେ କାର୍ଯ୍ୟ ଏକା ତୁମ୍ଭର,

ଶୁଭ ଅନୁଷ୍ଠାନେ             ଉପଦେଶ ଦାନ

କର୍ତ୍ତବ୍ୟ ମାତ୍ର ଆମ୍ଭର । ୭୩

 

ଅହ ତୀୟଗାମୀ            ଯେ ଈଶ୍ୱର ପଦ

ଆଣିମାଦି ଗୁଣାନ୍ୱିତ,

ସେ ପରମପଦେ            ଧରନ୍ତି ଯେ ମୁଦେ

ଅର୍ଦ୍ଧ ଶଶାଙ୍କ ସହିତ । ୭୪

 

ପରସ୍ପର ଶକ୍ତି-            ପରକାଶେ ଯେହୁ

କ୍ଷିତି ଆଦି ଆତ୍ମଭାଗେ,

ଧାରଣ କରନ୍ତି            ଏ ବିଶାଳ ବିଶ୍ୱେ

ଯାନେ ଯଥା ଅଶ୍ୱେ ମାର୍ଗେ । ୭୫

 

ସର୍ବ ଅନ୍ତର୍ଯ୍ୟାମୀ            ଯେଉଁ ପୁରୁଷଙ୍କୁ

ସୁମରନ୍ତି ଯୋଗୀଜନେ,

ପୁନର୍ଜନ୍ମ ଭୟ-            ରହିତ ଯା ପଦ

କହିଛନ୍ତି ବୁଧଗଣେ । ୭୬

 

ଆମ୍ଭ ମୁଖେ ସେହି            ବିଶ୍ୱକର୍ମାସାକ୍ଷୀ

ସ୍ୱୟଂ ବରଦ ଈଶ୍ୱର

ବରୁଛନ୍ତି ଏବେ            ସଧର୍ମିଣୀ ପଦେ

କନ୍ୟାରତ୍ନଙ୍କୁ ତୁମ୍ଭର । ୭୭

 

ବାଣୀ ସଙ୍ଗେ ଅର୍ଥ            ପରାୟେ ତାହାଙ୍କୁ

ମିଳାଅ ସଙ୍ଗେ କନ୍ୟାର,

ସତ୍‌ପାତ୍ରେ ଦୁହିତା            ଅର୍ପିଲେ କି କେବେ

ଶୋଚନା ଥାଏ ପିତାର ? ୭୮

 

ସ୍ଥାବର ଜଙ୍ଗମ            ଏ ଯାବନ୍ତ ପ୍ରାଣୀ

ମଣନ୍ତୁ ଏହାଙ୍କୁ ମାତା,

ଯେଣୁ ସେ ଈଶ୍ୱର            ବିଶ୍ୱଚରାଚରେ

ବିଦିତ ସବୁରି ପତା । ୭୯

 

ସକଳ ଅମରେ            ପ୍ରଣମି ଶଙ୍କରେ

ତହୁଁ ଏହାଙ୍କ ଚରଣେ

ରଞ୍ଜିତ କରନ୍ତୁ            ମୁକୁଟ ମଣିର

ବିଚିତ୍ର ବର୍ଣ୍ଣ କିରଣେ । ୮୦

 

ଉମା ଯହିଁ ବଧୂ            ତୁମ୍ଭେ କନ୍ୟାଦାତା

ବର ସ୍ୱୟଂ ମହେଶ୍ୱର,

ଆମ୍ଭେ ସର୍ବେ ପୁଣି            ହେଲୁ ହେ ଯାଚକ

ଟେକ ବଢ଼ିବ କୁଳର । ୮୧

 

ନୁହନ୍ତି ଯେ ସ୍ତୋତା            ସର୍ବସ୍ତୁତ ସେହି

ବିଶ୍ୱବନ୍ଦ୍ୟ ମହେଶ୍ୱର,

ଦୁହିତା ସମ୍ବଦ୍ଧ-            ବିଧିରେ ହୁଅ ହେ

ଗୁରୁ ବିଶ୍ୱଗୁରୁଙ୍କର । ୮୨

 

ଭାଷନ୍ତେ ଏସନ            ଦେବର୍ଷି ଅଙ୍ଗିରା,

ପିତାଙ୍କ ପାଶେ ପାର୍ବତୀ

ଲୀଳା ଶତଦଳ-            ପତ୍ର ଗଣନାରେ

ମନ ଦେଲେ ମୌନାବତୀ । ୮୩

 

ପୂର୍ଣ୍ଣ ଅଭିଳାଷ            ଥିଲେହେଁ ଭୂଧର

ମେନା ମୁଖେ ଅନାଇଲେ,

କନ୍ୟା ପ୍ରସଙ୍ଗରେ            ପରା ଗୃହିଣୀଏ

ଦେଖାନ୍ତି ବିଧି ପହିଲେ ? ୮୪

 

ପତିଙ୍କ ପ୍ରସ୍ତାବେ             କଲେ ମେନା ସତୀ

ତକ୍ଷଣେ ସମ୍ମତି ଦାନ,

ଇଷ୍ଟ କର୍ମେ ପତି-            କଥା ପତିବ୍ରତା

କେବେ ନ କରନ୍ତି ଆନ । ୮୫

 

ମୁନି ବଚନକୁ            ଯୋଗ୍ୟ ପ୍ରତ୍ୟୁତ୍ତର

ହେବ ଏହା ଭାବି ମନେ,

ମଙ୍ଗଳ ଭୂଷଣେ            ଭୂଷିତା ସୁତାଙ୍କୁ

କରେ ଧରି ଗିରି ଭଣେ । ୮୬

 

ଆସ ମା ଅମ୍ବିକା !            ହେବୁ ଆଜି ଭିକ୍ଷା

ବିଶ୍ୱପତି ଶିବଙ୍କର,

ମୋ ଦ୍ୱାରେ ଯାଚକ                  ଆଜି ଏ ମୁନିଏ,

ପାଇଲି ଗୃହସ୍ଥ-ଫଳ । ୮୭

 

ଏମନ୍ତେ ହକାରି            ଦୁହିତାଙ୍କୁ ଗିରି

ଜଣାଇଲେ ସେ ମୁନିଙ୍କି,

ଏହି ତ୍ରିଲୋଚନ-            ବଧୂ, ମୁନିଗଣ !

ପ୍ରଣାମ କରେ ସଭିଙ୍କି । ୮୮

 

ଇଷ୍ଟଫଳ ଲାଭ-            ଦର୍ଶନେ ଗିରିଙ୍କି

ପ୍ରଶଂସି ମୁନି ସକଳ

ମଙ୍ଗଳ ଆଶିଷେ            ଭୂଷିଲେ ଉମାଙ୍କୁ

ଆଗେ ଆଗେ ଯାର ଫଳ । ୮୯

 

ପ୍ରଣାମ କରନ୍ତେ            ଢଳିଲା ଶ୍ରବଣେ

କନକ କୁଣ୍ଡଳ ବେନି,

ଆଲିଙ୍ଗନେ ସ୍ନେହେ            ସେ ଲାଜ୍ଜାବତୀଙ୍କି

ଅରୁନ୍ଧତୀ କରେ ଘେନି । ୯୦

 

ତହୁଁ ମେନକାଙ୍କୁ            ପ୍ରବୋଧିଲେ ସତୀ

କନ୍ୟାସ୍ନେହେ ସୁଦୁଃଖିନୀ ।

ଅଶ୍ରୁମୁଖୀ ଦେଖି            ବର ଗୁଣମାନ

ବଖାଣି କଲେ ସୁଖିନୀ । ୯୧

 

କଉପୀନଧାରୀ            ସେ ମୁନିଙ୍କି ଗିରି

ପୃଚ୍ଛନ୍ତେ ବିବାହ ତିଥି,

ଚଳିଲେ ସକଳେ            ତିନିଦିନ ପରେ

ଜଣାଇ ଉତ୍ସବସ୍ଥିତି । ୯୨

 

ତହୁଁ ହିମାଳୟେ            ଆମନ୍ତ୍ରି ଯତି ଏ

ମିଳିଲେ ଶୂଳୀଙ୍କ ପାଶେ,

କାର୍ଯ୍ୟସିଦ୍ଧି ତାଙ୍କୁ            ଜଣାଇ ବିଦାୟ

ଘେନି ଉଠିଲେ ଆକାଶେ । ୯୩

 

ପର୍ବତତନୟା-            ସଙ୍ଗମ-ଉତ୍ସୁକ

ହୋଇ ପଶୁପତି ତହିଁ

ସେହି କେତେଦିନ            କରିଲେ ଯାପନ

ଚିତ୍ତେ ଅତି କଷ୍ଟ ସହି । ୯୪

 

ସ୍ୱୟଂ ଯେ ଈଶ୍ୱର            ବଶୀନ୍ଦ୍ର ପ୍ରବର

ସେଠି ଯେବେ ଏ ବିକାର !

କି ନୋହିବ ଅନ୍ୟେ ?      ଅବଶ ଯେ ଜନେ

ମାର-କର୍ମ ଦୁର୍ନିବାର । ୯୬

 

ସପ୍ତମ ସର୍ଗ

ଏଥୁଅନ୍ତେ ଚନ୍ଦ୍ରପକ୍ଷେ ମଙ୍ଗଳ ଦିବସେ

ଜାମିତ୍ର ଲକ୍ଷଣଯୁତ ବିଚାରି ହରଷେ

ବନ୍ଧୁବାନ୍ଧବଙ୍କୁ ଘେନି ଗିରି ହିମବାନ

କନ୍ୟାର ବିବାହବିଧି କଲେ ଅନୁଷ୍ଠାନ । ୧

ଘରେ ଘରେ ଘରଣୀଏ ବିବାହ ମଙ୍ଗଳ-

କୃତ୍ୟେ ଅନୁରାଗବଶେ ହୋଇଲେ ଚଞ୍ଚଳ,

ଗିରିରାଜଙ୍କର ପୁର ନଗର ଆବର

ମନେ ହେଲା ଯେହ୍ନେ ଏକ କୁଟୁମ୍ବ ସକଳ । ୨

ସୁନ୍ଦର ମନ୍ଦାରଫୁଲେ ଦାଣ୍ଡ ସୁମଣ୍ଡିତ,

ସ୍ତମ୍ଭେ ସ୍ତମ୍ଭେ ଉଡ଼େ ଧ୍ୱଜ କୌଷେୟରଚିତ,

କାଞ୍ଚନ ତୋରଣ ପ୍ରଭା ଚୌଦିଗେ ସଞ୍ଚରେ;

ସ୍ୱର୍ଗ ବିରାଜଇ କିବା ଆଜି ସ୍ଥାନାନ୍ତରେ ? ୩

ପାଣିଗ୍ରହଣ ସମୟ ହେବାରୁ ନିକଟ

ପିତା ମାତାଙ୍କର ଉମା ହେଲେ ପ୍ରାଣ-ଘଟ

ଯେତେ ଦେଖିଲେହେଁ ପୁନର୍ଜନ୍ମ ଅବା ସତେ

ଲଭିଛି କି ? ମଣିଲେ ସେ ତେଜି ଅନ୍ୟାପତ୍ୟେ । ୪

 

ଅଙ୍କେ ଅଙ୍କେ ନେଲେ ଉମା ଆଶିଷ ବିତରି,

ଭୂଷଣ ପରେ ଭୂଷଣ ଦେଲେ ଅଙ୍ଗେ ଭରି,

ନାନା ମିତ୍ର ସୁତେ ସ୍ନେହ ଥିଲେହେଁ ବିଭକ୍ତ

ଏକା ଉମା-ଧନେ ଗିରିବଂଶ ଅନୁରକ୍ତ । ୫

 

ଶୁଭ ମୈତ୍ର ମୁହୂର୍ତ୍ତରେ ଶଶାଙ୍କ ସହିତ

ଉତ୍ତରଫାଲ୍ଗୁନି ଯହୁଁ ହୋଇଲା ମିଳିତ,

ପତିପୁତ୍ରବତୀ ଯେତେ ବାନ୍ଧବ ସ୍ତ୍ରୀଜନ

ଆରମ୍ଭିଲେ ଉମା ସଙ୍ଗେ ଶୁଭ ପ୍ରସାଧନ । ୬

 

ବାନ୍ଧିଲେ ଶ୍ୱେତସର୍ଷପ ଦୁର୍ବାଦଳେ ଦେଇ,

ପିନ୍ଧାଇଲେ ପଟ୍ଟବାସ ନାଭିବିମ୍ୱ ଡେଇଁ,

ସଜାଇ ଶ୍ରୀଭୁଜେ ବାଣ କରାଇଲେ ବେଶ,

ସେ ଅଙ୍ଗେ ଦିଶିଲା ସବୁ ଭୂଷିତ ବିଶେଷ । ୭

 

ଶୋଭିଲେ ବିଶେଷେ ବାଳା ଘେନି ସେହି ବାଣ

ନବୀନ ବିବାହଦୀକ୍ଷା ବିଧିର ନିଶାଣ,

କୃଷ୍ଣପକ୍ଷ ଅବସାନେ ଯେହ୍ନେ ଶଶିକଳା

ରବିର କିରଣେ ଦିଶେ ଅଧିକେ ଉଜ୍ଜ୍ୱଳା ! ୮

 

ନାଶିଲେ ଶ୍ରୀଅଙ୍ଗୁ ତୈଳ ଲୋଧଚୂର୍ଣ୍ଣ ଘଷି,

ବୋଳିଲେ ଗୋଳା ଅଗୁରୁ ଚନ୍ଦନକୁ ବସି,

ଅଭିଷେକଯୋଗ୍ୟ ବାସ ପିନ୍ଧାଇ କୁମାରୀ

ବିବାହମଣ୍ଡପେ ଘେନି ଗଲେ ସର୍ବ ନାରୀ । ୯

 

ମୋତିକମେ ସୁରଞ୍ଜିତ ମରକତ ଶିଳା

ତଥି ପରେ ବସାଇ ସେ କନ୍ୟା ଚାରୁଶୀଳା

କନକକଳସୁ ଜଳ ଶ୍ରୀଅଙ୍ଗରେ ଢାଳି

ସ୍ନାନବିଧି ବଢାଇଲେ ତହିଁ ସର୍ବ ଆଳୀ । ୧୦

 

ସେ ମଙ୍ଗଳ ସ୍ନାନବିଧି ଅନ୍ତେ ଶୁଦ୍ଧବେଶେ

ସୁତନୁ ଧୌତବସନେ ଶୋଭିଲେ ବିଶେଷେ,

ବର୍ଷା ଅନ୍ତେ ଧୌତ ଧରା ଦିଶଇ ଯେସନ

ଧବଳ କାଶ କୁସୁମେ ଆହା ସୁଶୋଭନ । ୧୧

 

ନେଲେ ତହୁଁ ସୁଯତନେ ବେଦୀକୁ ବହନ

କନ୍ୟାରତ୍ନେ ଘେନି ସର୍ବ ପତିବ୍ରତାଗଣ,

ସୁଚିତ୍ର ଆସନ ଯହିଁ ଥିଲା ସୁସଜ୍ଜିତ

ଚାରି ମଣିସ୍ତମ୍ଭେ ଚାରୁ ବିତାନ ଲମ୍ବିତ । ୧୨

 

ବସାଇ ପୂରୁବମୁଖେ ପ୍ରସାଧିକାଗଣ

ଅଗ୍ରେ ଉଭା ହୋଇ କ୍ଷଣେ କଲେ ନିରୀକ୍ଷଣ,

ନିସର୍ଗ ସୁଷମା ତହିଁ ହରିଲା ନୟନ,

ନ ଚାହିଁଲେ ପାଶେ ଯେତେ ସୁବେଶ ଭୂଷଣ । ୧୩

 

ବାନ୍ଧିଲା କେ ପ୍ରସାଧିକା ମଧୁରେ କବରୀ

ଧୂପ ଧାସେ ମଉଳିଲା ଫୁଲେ ଯତ୍ନ କରି,

ସୁନ୍ଦର କୁସୁମଦାମ ବିରଚି ଯତନେ

ମଧ୍ୟେ ଦୁର୍ବାଦଳ ଖଞ୍ଜି ମଧୁକ ସୁମନେ । ୧୪

 

ଶ୍ୱେତ ଅଗରୁ ଚନ୍ଦନ ବୋଳି ଗୋରୀ ଅଙ୍ଗେ

ଗୋରୋଚନା ପାଟୀ ତହିଁ କାଟିଲେ ବିଭଙ୍ଗେ;

ବଳିଲା ସେ ରୂପଶିରୀ ମନୋନେତ୍ର ଲୋଭା

ସଚତ୍ରବାକପୁଲିନା ଜାହ୍ନବୀର ଶୋଭା । ୧୫

 

ସୁନୀଳ ଅଳକେ ଉମା-ମୁଖର ସୁଷମା

ଧିକ୍‌କାରୀ ନୀଳଜଳଦ ଅଙ୍କିତ ଚନ୍ଦ୍ରମା

ଭୃଙ୍ଗାବଳୀସମାକୁଳ ପଦ୍ମର ମାଧୁରୀ

ଉପମା ଦେବା କଥାକୁ ଠୂଳେ ଦେଲା ଚୁରି । ୧୬

 

ଲୋଧଚୂର୍ଣ୍ଣ ବିଲେପନେ କପୋଳ ଉଜ୍ଜ୍ୱଳ

ଗୋରୋଚନା ଯୋଗେ ଦିଶେ ଅନ୍ୟନ୍ତ ପାଟଳ,

ତଥିପରେ ଶୋହି କର୍ଣ୍ଣେ ପାଣ୍ଡୁ ଯବାଙ୍କୁର

ବର୍ଣ୍ଣବୈପରୀତ୍ୟେ ଦିଶେ ଅଧିକ ମଧୁର । ୧୭

 

ସୁତନୁର ଅଧରୋଷ୍ଠ ଦିଶଇ ସୁଢ଼ଳ

ମଧ୍ୟେ ସୂକ୍ଷ୍ମରେଖା ଯୋଗେ ବିଭକ୍ତ ସୁନ୍ଦର,

ବଢ଼ିଛି ପୁଣି ମଧୁତ୍ୱ ଲାଗି ଅରୁଣିମା

ଛୁଅଁନ୍ତେ ଏବେ ଲାବଣ୍ୟ ସମ୍ଭୋଗର ସୀମା

ଭବିଷ୍ୟ ମଙ୍ଗଳଶଂସୀ ବିଳାସ ସ୍ଫୁରଣେ

କି ଏକ ଅପୂର୍ବ ଶୋଭା ଧରିଲା ବଦନେ ! ୧୮

 

ଲାକ୍ଷାରସ ଦେଇ ସଖୀ କେହି ପରିହାସେ

ଭାଷିଲା ଆଶିଷଛଳେ ଗୌରୀଙ୍କି ୟା ପାଶେ,

ପତିଶିର ଶଶି-କଳା ଛୁଅଁ ଏ ପୟରେ,

ଶୁଣି ତା ପିଟିଲା ଫୁଲମାଳେ ନିରୁତ୍ତରେ । ୧୯

 

ସଜ ସରସିଜ ସମତା ବେନି ନୟନ

ନିରେଖି ନୟନଲୋଭା ପ୍ରସାଧିକାଗଣ

 

କାନ୍ତି ବଢ଼ିବାକୁ ଠୁଳେ ନ ଦେଲେ କଜ୍ଜ୍ୱଳ,

ଦେଲେ ତା କେବଳ ନେତ୍ରେ ବିଚାରି ମଙ୍ଗଳ । ୨୦

 

ନବବିକଶିତ ପୁଷ୍ପେ ଯେସନ ବଲ୍ଲରୀ,

ଅବା ନବୋଦତି ତାରାପୁଞ୍ଜେ ବିଭାବରୀ,

ରଥାଙ୍କ ଆଦି ବିହଙ୍ଗେ ସରିତ ଯେସନ

ନାନା ଆଭରଣେ ବାଳା ଶୋଭିଲେ ତେସନ । ୨୧

 

ବିଶାଳ ନିଶ୍ଚଳ ବେନି ନୟନରେ କ୍ଷଣେ

ଦେଖି ମନୋରମ ନିଜ ବେଶ ଦରପଣେ

ଶିବସଙ୍ଗଲାଭେ ବ୍ୟଗ୍ରା ହେଲେ ସେ ବିଶେଷ,

ପ୍ରିୟ ଦର୍ଶନେ ସଫଳ ସିନା ନାରୀବେଶ । ୨୨

 

ବେନି ଅଙ୍ଗୁଳିରେ ମେନା ଗୋଳା ହରିତାଳ

ତହିଁ ସଙ୍ଗେ ମନଃ ଶିଳା ଘେନି ଦୁହିତାର

ବଦନକମଳ ତୋଳି ଆହା କି କେ ମଳେ !

( ଅମଳ କୁଣ୍ଡଳ ଯହିଁ ଗଣ୍ଡଯୁଗେ ଝଳେ । ) ୨୩

 

ରଚିଲେ ଲଲାଟେ ଟୋପା ବିବାହ ମଙ୍ଗଳେ

ଗୁରୁବେଦନାମନ୍ଥରେ ଅତି ଦୁଃଖଭରେ,

 

ସ୍ତନୋଦୟ ସଙ୍ଗେ ଆଦ୍ୟେ ଯେ ନବ ବାସନା

ଉଇଁଥିଲା, ସେହି କି ଏ ତିଳକ-ରଚନା ? ୨୪

 

ବାଷ୍ପାକୁଳ ନେତ୍ରେ ରାଣୀ ଦୁହିତାର ହସ୍ତେ

ବାନ୍ଧନ୍ତେ ମଙ୍ଗଳସୂତ୍ର ସ୍ଥାନାନ୍ତରେ ବ୍ୟସ୍ତେ

ନିଜ ଅଙ୍ଗୁଳିରେ ଧାତ୍ରୀ ଘୁଞ୍ଚାଇ ସ୍ୱସ୍ଥାନେ

ବାନ୍ଧିଲା ଊର୍ଣ୍ଣାମୟ ସୂତ୍ର ବହୁ ମାନେ । ୨୫

 

ଫେନପୁଞ୍ଜେ କ୍ଷୀରସିନ୍ଧୁ ଶୋଭଇ ଯେପରି,

ଅବା ପୂର୍ଣ୍ଣଚନ୍ଦ୍ରେ ଯଥା ଶାରଦ ଶର୍ବରୀ,

ତେସନ ପାର୍ବତୀ ନବ ଦୁକୂଳବସନେ

ଶୋଭିଲେ ଆବର କରେ ଧରି ଦରପଣେ । ୨୬

 

ସେ କୁଳଲକ୍ଷ୍ମୀକି ଘେନି ବିଧିବିଚକ୍ଷଣା

ଆଗେ କୁଳଦେବତାଙ୍କ ବଢ଼ାଇ ଅର୍ଚ୍ଚନା

କରାଇଲେ ଏକେ ଏକେ ଚରଣବନ୍ଦନା

ପତିବ୍ରତା ନାରୀଙ୍କର, ଜନନୀ ସୁମନା । ୨୭

 

ଅଖଣ୍ଡ ପତିର ପ୍ରେମ ଲଭ ତୁ ଅମ୍ବିକେ !

ବିତରନ୍ତେ ଏ ଆଶିଷ ସର୍ବ ସଖୀ ଠିକେ,

 

ନତଭାବେ ସୁକୁମାରୀ ଘେନିଲେ ସୁଚିତ୍ତେ

ଜିତିବାକୁ ପତି-ମତି ପ୍ରୀତିରେ ନିଶ୍ଚିତେ,

ହର ଅର୍ଦ୍ଧ-ଅଙ୍ଗହରା ହୋଇ ସେହି ପରେ

ବନ୍ଧୁଜନଙ୍କ ଆଶିଷ ବଳିଗଲେ ଫଳେ । ୨୮

 

`ଧନ ମନ ଅନୁରୂପ ସୁତାର ବହନ

ସକଳ ମଙ୍ଗଳକର୍ମ ସାରି ବିଚକ୍ଷଣ

ଗିରିରାଜ, ସଭା ମଧ୍ୟେ ଘେନି ବନ୍ଧୁଗଣ

ପ୍ରତିକ୍ଷା କଲେ ବୃଷଭ-ଧ୍ୱଜ ଆଗମନ । ୨୯

 

ସେ କାଳେ କୈଳାସଶୈଳେ ଦେବମାତୃଗଣ

ହରଙ୍କ ଅଗ୍ରତେ କଲେ ସାଦରେ ସ୍ଥାପନ,

ଏଥି ପୂର୍ବେ ହୋଇଥିଲା ଯେ ପାଣିଗ୍ରହଣ

ତାର ଅନୁରୂପ ଯେତେ ବେଶ ଆଭରଣ । ୩୦

 

ତାଙ୍କ ଗୌରବରୁ ସେହି ମଙ୍ଗଳ ମଣ୍ଡନ

ଶ୍ରୀକରେ କେବଳ ସ୍ପର୍ଶ କଲେ ତ୍ରିଲୋଚନ,

ସେହି ସ୍ୱାଭାବିକ ବେଶ ଏବେ ବିଭୁଙ୍କର

ପରିଣୟ କାଳେ ଆଣି ଦେଲା ଭାବାନ୍ତର ! ୩୧

 

ଚିତାଭସ୍ମ ଯେହ୍ନେ ଶ୍ୱେତ ଚନ୍ଦନଲେପନ,

ନରକପାଳ ଅମଳ ମସ୍ତକଭୂଷଣ,

ଗଜାଜିନ ହେଲା ତହିଁ ଦୁକୂଳ ବସନ,

ଅଞ୍ଚଳେ ରୋଚନା କମ ଦିଶେ ଯା ଶୋଭନ । ୩୨

 

କପାଳେ ଯେଉଁ ତୃତୀୟ ନୟନ ଉଜ୍ଜ୍ୱଳ

( ମଧ୍ୟେ ଯା ପିଙ୍ଗଳ ଡୋଳା ଦିଶେ ଢଳ ଢଳ ! )

ହରିତାଳେ ବିରଚିତ ସୁନ୍ଦର ତିଳକ

ପରାୟେ ମଣ୍ଡିଲା ତାହା ସେ ବର-ମସ୍ତକ । ୩୩

 

ଠାବେ ଠାବେ ଅଙ୍ଗେ ଆନ ଆନ ଆଭରଣ-

ଶୋଭାକୁ ବହନ୍ତି, ଯେଉଁ ଭୁଜଙ୍ଗମଗଣ

କେବଳ ଶରୀର ତାଙ୍କ ବିକାର ଭଜିଲା,

ଫଣାମଣି ଶୋଭା ଏକା ସେହିପରି ଥିଲା । ୩୪

 

ଦିବସେ ମଧ୍ୟ ଯେ କରେ ପ୍ରଭା ଉଦ୍‌ଗୀରଣ,

କୃଶ ଅଙ୍ଗେ ନାହିଁ ଯାର କଳଙ୍କ-ଦର୍ଶନ,

ଭାଲେ ସେ ବାଳେନ୍ଦୁ ହର କରନ୍ତି ଧାରଣ,

ଆନ ଶିଖା-ମଣି କିପାଁ କରିବେ ଗ୍ରହଣ ? ୩୫

 

ଏରୂପେ ନିଜ ପ୍ରଭାବେ ସେ ପ୍ରଭୁ ଧାରଣ

କଲେ ଅଲୌକିକ ବରବେଶ ବିଭୂଷଣ,

ପାର୍ଶ୍ୱ ଚରଗଣେ ଆଣି ଦେଲେ ଯେ କୃପାଣ

ଦେଖିଲେ ତହିଁ ବିମ୍ବିତ ସ୍ୱରୂପ ମହାନ ! ୩୬

 

ଭକ୍ତିବଶେ ସଙ୍କୁଚିତ ବିଶାଳ ଶରୀର,

ପୃଷ୍ଠରେ ଶାର୍ଦ୍ଦୁଳଚର୍ମ ଦିଶଇ ରୁଚିର,

ନନ୍ଦୀକର ଭରେ ହର କରି ଆରୋହଣ

ଚଳିଲେ ବୃଷଭ ପୃଷ୍ଠେ କୈଳାସେ ଯେସନ । ୩୭

 

ପଶ୍ଚାତେ ସପ୍ତମାତୃକା ଚଳିଲେ ସତ୍ୱର,

ସ୍ୱବାହନ ବେଗବଶେ ଦୋଳଇ କୁଣ୍ଡଳ,

ମୁଖପଦ୍ମେ ପଦ୍ମାକର କଲେ ସେ ଅମ୍ବର

ପାଟଳ ପ୍ରଭାମଣ୍ଡଳ ଯେହ୍ନେ ତା କେଶର । ୩୮

 

ଅଗ୍ରତେ ସପ୍ତମାତୃକା କନକବରଣା,

ପଶ୍ଚାତେ ଚଳିଲେ କାଳୀ କପାଳଭୂଷଣା,

ସୁଦୂରେ ପୁରତେ ଯେହ୍ନେ ରାଜେ ସୌଦାମିନୀ

ପଛେ ନୀଳକାଦମ୍ବିନୀ ବଳାକାମାଳିନୀ । ୩୯

 

ଚଳିଲେ ପ୍ରମଥଗଣେ ଶିବଙ୍କ ଅଗ୍ରତେ,

ବାଜିଲା ମଙ୍ଗଳବାଦ୍ୟ ତହିଁ ନାନାମତେ,

ବିମାନଚାରୀ ଅମରେ ଶୁଣି ତା ଶ୍ରବଣେ

ଶିବସେବାର ଏ କାଳ ଜାଣିଲେ ତକ୍ଷଣେ । ୪୦

 

ବିଶ୍ୱକର୍ମା-ବିରଚିତ ଛତ୍ର ଅଭିନବ

ଧରିଲେ ହରିଙ୍କ ଶିରେ କମଳବାନ୍ଧବ,

ସେ ଛତ୍ର ଦୁକୂଳ ମୌଳି ପାଶେ ଫରଫରେ

ହର ଉତ୍ତମାଙ୍ଗେ ଗଙ୍ଗା କିବା ଝରିପଡ଼େ । ୪୧

 

ଜାହ୍ନବୀ ଯମୁନା ଆଜି ହୋଇ ମୂର୍ତ୍ତିମତୀ

ଚାମର ଢାଳି ଦେବଙ୍କୁ ସେବିଲେ ଝଟତି,

ସାଗରଗାମିନୀ ରୂପ ନ ଥିଲେହେଁ ଦିଶେ

ଚାମରଚାଳନ ହଂସ-ମାଳା ତହିଁ କି ସେ ! ୪୨

 

ଭେଟିଲେ ହରଙ୍କୁ ତହିଁ ଆଦ୍ୟ ପ୍ରଜାପତି

ଶ୍ରୀବତ୍ସଲାଞ୍ଛନା ପ୍ରଭୁ ଆବର ଶ୍ରୀପତି,

ବଢ଼ାଇଲେ ତାଙ୍କ ମାନ ଜୟ ଉଚ୍ଚାରଣେ

ଘୃତଆହୁତି ସଂଯୋଗେ ଯଥା ହୁତାଶନେ । ୪୩

 

ସେହି ଏକ ମୂର୍ତ୍ତି ତିନି ଭାଗେ ବିଭକତ,

ତେଣୁ ଜ୍ୟେଷ୍ଠ କନିଷ୍ଠତ୍ୱ ସମାନ ବ୍ୟକତ,

କେବେ ଜ୍ୟେଷ୍ଠ ନାରାୟଣ, କେବେ ପୁଣି ହର,

ଏ ବେନି ଜ୍ୟେଷ୍ଠ କନିଷ୍ଠ କେବେ ବ୍ରହ୍ମାଙ୍କର । ୪୪

 

ଇନ୍ଦ୍ର ଆଦି ଦିଗପାଳେ ତେଜି ଆଡ଼ମ୍ବର

ଚଳିଲେ ବିନୀତ ବେଶେ ଯହିଁ ମହେଶ୍ୱର,

ନନ୍ଦୀକୁ କଲେ ସଙ୍କେତ ଦରଶନ ଦାନେ,

କୃତାଞ୍ଜଳିପୁଟେ ସର୍ବେ ନମିଲେ ଈଶାନେ । ୪୫

 

ସେ ପଦ୍ମଯୋନିଙ୍କି ହରି ସ୍ୱଶିର ଚାଳନେ,

ସ୍ମିତେ ପୁରନ୍ଦରେ, ଚତୁର୍ଭୁଜେ ସମ୍ଭାଷଣେ,

କେବଳ ଦର୍ଶନଦାନେ ସକଳ ଅମରେ

ତୋଷିଲେ ସେ ଯଥାଯୋଗ୍ୟ ଦେଖାଇ ଆଦରେ । ୪୬

 

ଆଦ୍ୟେ ସପ୍ତ ଋଷି ମିଳି ବିଜୟ ଆଶିଷ

ବିତରନ୍ତେ ସ୍ମିତମୁଖେ ଭାଷିଲେ ଗିରୀଶ,

ଏ ବିବାହ-ଯଜ୍ଞେ ତୁମ୍ଭେ ସର୍ବେ ପୁରୋହିତ

ପଦେ ହେ ଦେବର୍ଷିଗଣ ! ଆଗହୁଁ ବରିତ । ୪୭

 

ବିଶ୍ୱାବସୁ ଆଦି ସର୍ବ ଗନ୍ଧର୍ବପ୍ରଧାନ

ତ୍ରିପୁର ଜୟଚରିତ କଲେ ଉଚ୍ଚେ ଗାନ,

ସେ ଗୀତି ଶ୍ରବଣେ ସୁଖେ ବାଳଚନ୍ଦ୍ରଧାରୀ

ତାମସ ବିକାରାତୀତ ପଥ ହେଲେ ପାରି । ୪୮

 

ନଭୋଦେଶେ ସେ ବୃଷଭ କରେ ଲୀଳାଗତି,

କନକ କିଙ୍କିଣୀ ବାଜେ ସୁମଧୁରେ ଅତି,

କୃଷ୍ଣ ଅଭ୍ର ଭେଦି ଶୃଙ୍ଗ କରନ୍ତେ ଚାଳନ

ଦିଶେ ବପ୍ର ପଙ୍କ ଅଗ୍ରେ ଲାଗିଛି ଯେସନ ! ୪୯

 

ମୁହୂର୍ତ୍ତକେ ମିଳିଲା ସେ ନଗେନ୍ଦ୍ର ନଗରେ

ପର ଆକ୍ରମଣ ଯାହା ଭିଜି ନାହିଁ ଥରେ,

ଅଗ୍ରଚାରୀ ହରଦୃଷ୍ଟି-ସୁବର୍ଣ୍ଣ ଶୃଙ୍ଖଳେ

ଆକୃଷ୍ଟ ହୋଇଲା କିବା ଆସେ ମାନସରେ ? ୫୦

 

ସେ ନଗର ଉପକଣ୍ଠେ ନୀଳକଣ୍ଠ ଦେବେ

ଅନାଇଲେ କୁତୂହଳେ ପୁରବାସୀ ଯେବେ,

ସ୍ୱଶରଚିହ୍ନିତ ଶୂନ୍ୟ-ପଥୁ କ୍ଷଣକରେ

ଓହ୍ଲାଇ ମିଳିଲେ ଦେବ-ଦେବ ଭୂତଳରେ । ୫୧

 

ବର ଆଗମନେ ଗିରି-ରାଜ ହୃଷ୍ଟମନେ

ଗଜବରେ ଘେନି ସର୍ବ ମୁଖ୍ୟ ବନ୍ଧୁଗଣେ

ସ୍ୱଚଳ ନିତମ୍ବେ ଯେହ୍ନେ ଗଲେ ସେ ପାଛୋଟି,

( କୁସୁମିତ ତରୁ ଯହିଁ ଶୋହେ ଗୋଟି ଗୋଟି । ) ୫୨

 

ଭୂଧର ଅମର ବେନି ବଳେ ଅନର୍ଗଳେ

ପ୍ରବେଶିଲେ ପୁରହାରେ ମହାନାଦଭରେ ।

ସେ କବାଟ ଫେଇ ଗତି କରନ୍ତେ ଚେତାଏ,

ବେନି ଜଳସ୍ରୋତ କବି ସେତୁ ଭାଙ୍ଗି ଧାଏଁ ? ୫୩

 

ତ୍ରିଲୋକବନ୍ଦିତ ସେହି ଦେବ ପଶୁପତି

ବିଧିରେ ଭୂଧରରାଜେ କରନ୍ତେ ପ୍ରଣତି,

ହେଲେ ସଙ୍କୁଚିତ, ମାତ୍ର ନ ଜାଣିଲେ ବାରେ

ସ୍ୱଶିର ଆଗହୁଁ ନତ ତାଙ୍କ ମହିମାରେ ! ୫୪

 

ଆନନ୍ଦେ ଭୂଧରପତି ପ୍ରଫୁଲ୍ଲ ବଦନେ

ଜାମାତାଙ୍କ ଆଗେ ଆଗେ ଯାଇଁ ସ୍ୱଭବନେ,

ଉପସ୍ଥିତ ହେଲେ ଘେନି ବରଙ୍କୁ ସଙ୍ଗତେ

ଆଗୁଳ୍‌ଫ କୁସୁମେ ଭରା ପଣ୍ୟବୀଥି ପଥେ । ୫୫

 

ପ୍ରବେଶକାଳରେ ଯେତେ ସେ ପୁରବନିତା

ବର ଦରଶନ ଆଶେ ହୋଇ ଉତ୍କଣ୍ଠିତା,

ମିଳିଲେ ପ୍ରସାଦଶିଖେ ସର୍ବେ ଛନ୍ନମନେ

ଆପଣା ଆପଣା କର୍ମ ବରଜି ଏସନେ । ୫୬

 

ବାତାୟନ ପାଶେ ଧାଉଁ ଧାଉଁ କେ ସୁନ୍ଦରୀ

ଲୋଟେ ଗଭାଫୁଲ ଫିଟି ଆପଣା କବରୀ,

ରୋଧି ରଖିଲେହେଁ କର ବନ୍ଧେ ତା ନିଜର

ବାନ୍ଧିବାକୁ ନ ଲଭିଲା ତିଳେ ଅବସର । ୫୭

 

ଲାକ୍ଷାରସ ଦେବାକାଳେ କେ ପୁଣ ରମଣୀ

ପ୍ରସାଧିକା କରୁ ପଦ ଛଡ଼ାଇ ତକ୍ଷଣି,

ଧାଇଁଲା ଗବାକ୍ଷ ପାଶେ ସବିଳାସେ ଆଗେ

ଅଳକ୍ତରଞ୍ଜିତ କରି ନିଜ ଗତିମାର୍ଗେ । ୫୮

 

ଦକ୍ଷିଣ ନୟନ କରି ଅଞ୍ଜନେ ରଞ୍ଜିତ

ଦକ୍ଷେତର କରି ପୁଣି ତହିଁରୁ ବଞ୍ଚିତ

ଧାଏଁ କେ ରମଣୀ ଛନ୍ନେ ବାତାୟନ ପାଶେ

ଅଞ୍ଜନ ଶଳାକା ଧରି ଦରଶନ ଆଶେ । ୫୯

 

ବାତାୟନ ପଥେ ଦୃଷ୍ଟି ରଖି କେ ଛଇଳା

ଧୀମନ୍ତେ ଫିଟିଲା ନୀବୀ ବାନ୍ଧି ନପାରିଲା,

କଟିତଟେ ଆଣ୍ଟେଧରେ ତା ପିନ୍ଧା ବସନ

ନାଭିବିମ୍ବେ ଝଟକଇ କଙ୍କଣ କିରଣ । ୬୦

 

କେ ଗୁନ୍ଥୁଥିଲା ମେଖଳା ଯତନେ ରମଣୀ

ଯାନ୍ତେ ଦ୍ରୁତପଦେ ଖସି ଗୋଟି ଗୋଟି ମଣି

ରହିଗଲା ଅବଶେଷେ ଅଙ୍ଗୁଷ୍ଠି ମୂଳରେ

ସେ ମେଖଳା ସୂତ୍ର ମାତ୍ର ପୁରେ ସେ କାଳରେ । ୬୧

 

ରୁଣ୍ଡ ହେଲେ ସର୍ବ ନାରୀ ତହିଁ କୁତୂହଳେ,

ମଦିରା ଗନ୍ଧ ବଦନୁଁ ଚୌଦିଗେ ସଞ୍ଚରେ,

ସେ ମୁଖେ ଗବାକ୍ଷ ଯେହ୍ନେ ଶୋଭିଲା କମଳେ,

( ତରଳ ନୟନ ଯହିଁ ଅଳି ସମ ଝଳେ । ) । ୬୨

 

ଏ ସମୟେ ପ୍ରବେଶିଲେ ରାଜପଥେ ଖରେ,

ଦ୍ୱିଗୁଣେ ଭାସ୍ୱର କରି ଶିରଚନ୍ଦ୍ର-କରେ

ପ୍ରାସାଦଶିଖରମାନ ସେ ଦେବ ଈଶାନ,

( ବିଚିତ୍ର ଧ୍ୱଜ ତୋରଣ ଯହିଁ ଶୋଭମାନ । ) ୬୩

 

ହରାଇ ଆନ ଇନ୍ଦ୍ରିୟ ଜ୍ଞାନ ବାମାଗଣେ

ସେ କମନୀୟ ମୂରତି ପିଇଲେ ନୟନେ,

ଅପର ଇନ୍ଦ୍ରିୟେ ତେଜି ବୃତ୍ତି ଆପଣାର

ଏକା ସେ ଚକ୍ଷୁକୁ ଭଜି ହେଲେ ଏକାକାର । ୬୪

 

ସୁକୁମାର ଅଙ୍ଗେ ଉମା ଉଗ୍ରତପ କଲେ

ଏହି ବର ଲାଗି ଯାହା, ସଫଳ ତା ଭଲେ,

ଧନ୍ୟ ସେ ନାରୀ କିଙ୍କର ହେବ ଯେ ୟାଙ୍କର

କି ଭାଗ୍ୟ ତାର ଯେ ଅଙ୍କେ ଶୋଭିବ ଆବର । ୬୫

 

ଏପରି ସୁନ୍ଦର ବେନି ସୃଜି ପ୍ରଜାପତି

ମିଳାଇ ନଥାନ୍ତେ ଯେବେ କରି ଜାୟାପତି,

ଏ ବେନି ରୂପ ଗଠନେ ଯେତେକ ଯତନ

ନିଶ୍ଚୟେ ବିଧିର ହୋଇଥାନ୍ତା ଅକାରଣ । ୬୬

 

ନିକର ଏ ପୁଷ୍ପଶର-ବପୁ କୋପଭରେ

ଦହି ନାହାନ୍ତି, ପରତେ ହୁଅଇ ମନରେ,

ମଣେଁ ଏ ରୂପ ଦର୍ଶନେ ଆପେ ସେ ମଦନ

ଲାଜ ପାଇ ନିଜ ତନୁ କଲା ବିସର୍ଜନ ! ୬୭

 

ମନ ଜାଣି ବନ୍ଧୁପଣ ଲଭି ଶୈଳରାଜ

ଏ ଦେବଦେବଙ୍କ ସଙ୍ଗେ, ଭାଗ୍ୟବାନ ଆଜ !

ଯେ ଶିର ଉନ୍ନତ ଥିଲା ଧରଣୀ ଧାରଣେ,

ତହୁଁ ବଳି ଉନ୍ନତ ସେ ହେବ ଏ କାରଣେ । ୬୮

 

ଏମନ୍ତେ ସେ ପୁରନାରୀଗଣଙ୍କ ବଦନେ

ଶୁଣି ନାନା ପ୍ରିୟ କଥା ମଳିଲେ ବହନେ

ଗିରୀନ୍ଦ୍ର ସଦନେ ହର, ଯହିଁ ଲାଜାମୁଷ୍ଟି

ରମଣୀ କେୟୂରେ ବାଜି ହୁଏ ଚୂର୍ଣ୍ଣ-ବୃଷ୍ଟି । ୬୯

 

ଶୁଭ୍ର ଶରଦଭ୍ର ରନ୍ଧ୍ରୁ ଯେସନ ଭାସ୍କର

ସେ ବାହନ ପୃଷ୍ଠୁ ତେହ୍ନେ ଅବତରି ହର

ହରି କର ଧରି କକ୍ଷୁଁ କକ୍ଷେ ପ୍ରବେଶିଲେ,

ଆଗେ ଆଗେ ପ୍ରଜାପତି ପଥ କଢ଼ାଇଲେ । ୭୦

 

ପଛେ ପଛେ ପ୍ରବେଶିଲେ ଗିରୀନ୍ଦ୍ର ସଦନେ

ଇନ୍ଦ୍ରାଦି ଦେବତା ପୁଣ ଦେବଋଷିଗଣେ,

ଦଳେ ଦଳେ ରୁଦ୍ରଗଣ; ମହା ଆୟୋଜନେ

ମିଳନ୍ତି ଯେହ୍ନେ ସକଳ ସାଧୁ ପ୍ରୟୋଜନେ । ୭୧

 

ଆସନରେ ବସି ତହୁଁ ଘେନିଲେ ଶଙ୍କର

ବିଧିମତେ ମନ୍ତ୍ର ସ୍ମରି ରତ୍ନ-ଅର୍ଘ୍ୟ ଜଳ,

ପଞ୍ଚାମୃତ ପୁଣି ବେନି ନବୀନ ଦୁକୂଳ,

ଆଣି ଯାହା ଗିରିରାଜ ଭେଟିଲେ ଛାମୁର । ୭୨

 

ପିନ୍ଧାଇ ଦୁକୂଳ ବାସ ନେଲେ ବଧୂପାଶେ

ଅନ୍ତଃପୁରଚର ନରେ ବିନୟେ କିବା ସେ !

ନବୋଦିତ ଚନ୍ଦ୍ର କରେ ଘେନିଯାନ୍ତି ସାଥେ

ବେଳାଭୂମେ ଫେନ-ଶୁଭ୍ର ନୀଳ ଅମ୍ବୁନାଥେ । ୭୩

 

ଶରଦେ ଧରଣୀ ଶୋଭା ବହଇ ଯେସନ,

ଶିବ ସେହି କନ୍ୟାରତ୍ନେ ଶୋହିଲେ ତେସନ,

ପୂର୍ଣ୍ଣେନ୍ଦୁ ବଦନ ଦେଖି ନେତ୍ର-କୁବଳୟ

ବିକଶିଲା, ସୁପ୍ରସନ୍ନ ହେଲା ଚିତ୍ତ-ପୟ । ୭୪

 

ହେଲେ ଛନ ଛନ ବେନି ନୟନ ମିଳନେ

ତରଳ ସେ ଅନ୍ୟ ରୂପ ଦରଶନେ,

କ୍ଷଣେ ସ୍ଥିର ଭାବେ ବେନି ବେନିଙ୍କି ଚାହାଁନ୍ତି,

କ୍ଷଣେ ଲାଜ ପାଇ ପୁଣି ସ୍ୱରୂପ ଫେରାନ୍ତି । ୭୫

 

ବଢ଼ାଇ ଦିଅନ୍ତେ ଶୈଳ ରାଜ ଉମା କରେ

ଅଷ୍ଟମୂର୍ତ୍ତିଧାରୀ ହର ଧରିଲେ ଶ୍ରୀକରେ,

ସତେ କି ସେ ଆଦ୍ୟାଙ୍କୁର କାମର ହୋଇଲା ?

ତାଙ୍କ ଭୟ ଉମା ଅଙ୍ଗେ ଗୁପତ ଯେ ଥିଲା । ୭୬

 

ଉମାଙ୍କ ଅଙ୍ଗରେ ତହିଁ ରୋମାଞ୍ଚ ଉଇଁଲା,

ହର କର-ଅଙ୍ଗୁଳିରେ ସ୍ଵେଦ ଉପୁଜିଲା,

ସେ କରମିଳନ କାଳେ ସମାନ ପ୍ରକାର

ହେଲା ବରବଧୂଙ୍କର କାମଜ ବିକାର । ୭୭

 

ପାଣିଗ୍ରହଣ ସମୟେ ଯାଙ୍କ ପ୍ରସାଦରେ

ଲଭନ୍ତି ଅପୂର୍ବ ଶିରୀ ଅନ୍ୟ ବଧୂ ବରେ,

ଏବେ ସେ ଉମା ମହେଶ ବେନିଙ୍କ ମିଳନେ

ଯେ ଶିରୀ, ତା ପାରିବ କେ ବଖାଣି ବଚନେ ! ୭୮

 

ପ୍ରଦକ୍ଷିଣ କଲେ ଯହୁଁ ଦୀପ୍ତ ହୁତାଶନେ

ଶୋଭିଲେ ସେ ବେନି ଅତି ଉଜ୍ଜ୍ୱଳବରଣେ,

ମେରୁ ଆବର୍ତ୍ତନେ ଦିନ ଯାମିନୀ ଯେସନ

ଅନ୍ୟୋନ୍ୟ ଶୋଭାଜନନେ ଦିଶନ୍ତି ଶୋଭନ । ୭୯

 

ତିନିବାର ପ୍ରଦକ୍ଷିଣ କଲେ ହୁତାଶନେ

ପରସ୍ପର ଅଙ୍ଗ ସ୍ପର୍ଶେ ମୁଦ୍ରିତ ନୟନେ,

ତହୁଁ ପୁରୋଧା ବଚନେ ଉମା ସୁକୁମାରୀ

ଦେଲେ ଲାଜାଞ୍ଜଳ ତହିଁ ଶ୍ରୀକରେ ପ୍ରସାରି । ୮୦

 

ପୁରୋହିତ ଉପଦେଶେ ସେ ଲାଜ-ଧୂମାଳୀ

ମୁଖମଣ୍ଡଳକୁ ଗୌରୀ ନେଲେକ ସମ୍ଭାଳି,

କ୍ଷଣେ ସଞ୍ଚରି ତା ଶିଖା କପୋଳଫଳକେ

କର୍ଣ୍ଣୋତ୍ପଳ ପ୍ରାୟେ ଆହା ମଧୁରେ ଝଟକେ । ୮୧

 

ସେ ଧୂମ ପରଶେ ଗୌରୀଗଣ୍ଡମଣ୍ଡଳରେ

ବିଳସି ପାଟଳ ଦ୍ୟୁତି ସ୍ୱେଦ ବିନ୍ଦୁ ଝରେ,

ବେନି ନୟନେ କଜ୍ଜଳ ଗିରା ଉକୁଟିଲା,

କର୍ଣ୍ଣଯୁଗେ ଯବାଙ୍କୁର କାନ୍ତି ମଉଳିଲା । ୮୨

 

ବଧୂକୁ ସମ୍ବୋଧି ତହୁଁ ପୁରୋଧା ଭାଷିଲେ,

ଏ ବହ୍ନି ବିବାହେ ତବ ସାକ୍ଷୀ ଗୋ ସୁଶୀଳେ,

ଆଜିଠାରୁ ପତି ସଙ୍ଗେ ଧର୍ମ ଆଚରଣ

ନ ବିଚାରି କରିବ ଗୋ ଯାବତ ଜୀବନ । ୮୩

 

ନେତ୍ରାନ୍ତଯାଏ ପ୍ରସାରି ଶ୍ରବଣ ଯୁଗଳ

ପିଇଲେ ଭବାନୀ ବିପ୍ର-ବଚନ-ମଙ୍ଗଳ,

ନିଦାଘ ପ୍ରଚଣ୍ଡ ତାପେ ତାପିତ ବସୁଧା

ପିଏ ଯଥା ନବ ବର୍ଷା-ଅମ୍ବୁ ଜିଣି ସୁଧା । ୮୪

 

ସେ ପ୍ରିୟଦର୍ଶନ ପତି ଶିବ ସନାତନ

କହନ୍ତେ ପ୍ରିୟାକୁ କର ଧ୍ରୁବ ଦରଶନ,

ଅଳପେ ଶ୍ରୀମୁଖ ଟେକି ଉମା ପ୍ରତ୍ୟୁତ୍ତରେ

ଭାଷିଲେ ‘ଦେଖିଲି’ ବୋଲି ଲାଜରୁଦ୍ଧସ୍ୱରେ । ୮୫

 

ଏହିମତେ ପୁରୋହିତ ବଚନ ପ୍ରମାଣେ

ସମ୍ପାଦି ଯାବତ ପାଣି-ଗ୍ରହଣ ବିଧାନେ

ସର୍ବଭୂତ ପିତା ମାତା ସେ ଭବଭବାନୀ

ପ୍ରଣମିଲେ ପଦ୍ମାସନ ବ୍ରହ୍ମାଙ୍କୁ ସମ୍ମାନି । ୮୬

 

ବୀରପ୍ରସବିନୀ ତୁମ୍ଭେ ହୁଅ ଗୋ କଲ୍ୟାଣି !

ଭାଷିଲେ ଚତୁରାନନ ଏ ଆଶିଷ ବାଣୀ,

ବାଚସ୍ପତି ହୋଇ ମଧ୍ୟ ସେହି ମହେଶ୍ୱରେ

ରହିଲେ ‘କିବା କହିବେ !’ ଭାବି ଚିନ୍ତାଭରେ । ୮୭

 

ଏଥୁଅନ୍ତେ ବରକନ୍ୟା ବସି ବିଭୂଷଣେ

ଚତୁରସ୍ର ବେଦୀମଧ୍ୟେ ସୁବର୍ଣ୍ଣ ଆସନେ

ଲୋକାଚାରମତେ ତହିଁ କଲେ ଅନୁଭବ

ଜଳାର୍ଦ୍ର ମଙ୍ଗଳାକ୍ଷତ-ବୃଷ୍ଟି ଅଭିନବ । ୮୮

 

ଧରିଲେ କମଳାଦେବୀ ବେନିଙ୍କ ଉପରେ

ଶତଦଳ ଆତପତ୍ର ଆପଣା ଶ୍ରୀକରେ,

ଛତ୍ରଦଣ୍ଡ ପ୍ରାୟେ ଶୋହେ ଯହିଁରେ ମୃଣାଳ

ଦଳଲଗ୍ନ ଜଳବିନ୍ଦୁ ଯେହ୍ନେ ମୁକ୍ତାମାଳ । ୮୯

 

ଉଚ୍ଚାରି ଦ୍ୱିବିଧ ବାଣୀ ଏବେ ସରସ୍ୱତୀ

ସ୍ତୁତି ଆରମ୍ଭିଲେ ଅଗ୍ରେ ଦେଖି ସେ ଦମ୍ପତୀ,

ବିଶୁଦ୍ଧ ସଂସ୍କୃତ ଶବ୍ଦେ ବରେଣ୍ୟ ଈଶ୍ୱରେ

ସରଳ ସୁବୋଧ ପଦେ ବଧୂଙ୍କୁ ଆଦରେ । ୯୦

 

ଦେଖାଇଲେ ଅଙ୍ଗ ଭେଦି କ୍ରିୟା ଉକୁଟାଇ

ରସ ଅନୁରୂପେ ରାଗ ରାଗିଣୀ ବସାଇ,

ଲଳିତ ଅଙ୍ଗ ବିନ୍ୟାସେ ଅପସରାଗଣେ

ଯେରୁପକ, ସେ ଦମ୍ପତୀ ଦେଖିଲେ ତକ୍ଷଣେ । ୯୧

 

ସ୍ୱ-ମୁକୁଟେ କରପୁଟ ନିହି ସୁରଗଣେ

କୃତଦାର ହରେ ତହୁଁ ଭାଷିଲେ ଏସନେ;

‘ଶପ ଅବସାନେ ଏବେ କାମ ମୂର୍ତ୍ତି ମାନ’,

ସଦୟେ ତା ସେବା ଏବେ ଘେନନ୍ତି ଈଶାନ । ୯୨

 

କୋପ ନଥିବାରୁ ଦେଲେ ଅନୁମତି ହର

ନିଜ ଅଙ୍ଗେ ବିନ୍ଧିବାକୁ ବାଣ ପଞ୍ଚଶର,

ବେଳଜାଣି ଜଣାଇଲେ ପ୍ରଭୁଙ୍କ ଆଗରେ

ସଫଳ ହୁଅଇ କାର୍ଯ୍ୟ କାର୍ଯ୍ୟଜ୍ଞର ଭଲେ । ୯୩

 

ଏଥୁଅନ୍ତେ ସୁରଗଣେ ବିସର୍ଜି ଶଙ୍କର

ଶ୍ରୀକର ଧରି ଭୂଧର-ରାଜସୁତା-କର,

ପ୍ରବେଶିଲେ କେଳିଗୃହେ, ଯହିଁ ବିରାଜନ୍ତି

କନକ ଦଳ ସମାନ ହୋଇ ପନ୍ତି ପନ୍ତି । ୯୪

 

ବିବିଧ କୁସୁମେ, ସ୍ନିଗ୍‌ଧ ଗନ୍ଧ ଯା ପ୍ରସରେ,

ବିରଚିତ ନବଶଯ୍ୟା ଶୋହେ କ୍ଷିତି ତଳେ,

ନବ ପରିଣୟ ଲାଜେ ଶୋଭନ୍ତି ସୁନ୍ଦରୀ

ପରଶିଲେ ମୁଖଶଶୀ ଯାନ୍ତି ଅପସରି । ୯୫

 

ଶୟନ ସଙ୍ଗିନୀଗଣେ ଅତି କଷ୍ଟେ କଥା

କହନ୍ତି ସଲାଜେ ପଦେ ପଦେ ପୋତି ମଥା,

ପ୍ରଥମଗଣଙ୍କ ମୁଖ ବିକାର ନିରେଖି

ହସନ୍ତି ଗୋପାଳେ ପୁଣି ଲାଜକୁ ଉପେକ୍ଷି । ୯୬